ପାଟଣା : ଆଜିବି କେନ୍ଦୁଝର ଜିଲ୍ଲାରେ ଏମିତି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି ସରକାରଙ୍କ ଯୋଜନା ଅପହଞ୍ଚ ହୋଇ ରହିଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ପିଛୁଳାବେଡା ଗ୍ରାମର ଦୁର୍ଗମ ବେଙ୍ଗେଇ ସାହି କ୍ଷେତ୍ରରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ଏଠାରେ ପହଞ୍ଚି ପାରିଲାନି ୨୪ ବର୍ଷର ବିଜେଡି ସରକାରଙ୍କ ମାଳ ମାଳ ଯୋଜନା। ଏଠି ଖଣ୍ଡିଏ ରାସ୍ତାର ସୁବିଧା ଅଛି ନା ପାନୀୟ ଜଳର ସୁବିଧା ହେଇଛି । ବ୍ଲକ କାର୍ଯ୍ୟାଳୟ ଠାରୁ ୧୬ କିମି ଦୂରରେ ଅବସ୍ଥିତ ଏହି ଗାଁ। ଘଞ୍ଚ ଜଙ୍ଗଲ ମଝିରେ ଅଙ୍କା ବଙ୍କା ସଂକୀର୍ଣ୍ଣ ପାଦଚଲା ରାସ୍ତା ଦେଇ ଗଲେ ପଡେ ପିଛୁଳାବେଡା ଗ୍ରାମର ଏହି ବେଙ୍ଗେଇ ସାହି। ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ଏଠି ବିକାଶ ହେବା ତ ଦୁରର କଥା ମୌଳିକ ସମସ୍ୟାର ସମାଧାନ ହୋଇ ପାରିନି। ଏହି ସାହିରେ ୨୦ପରିବାର ର ପାଖାପାଖି ୨୦୦ ଲୋକ ବସବାସ କରନ୍ତି। ଜଙ୍ଗଲ ମଧ୍ୟରେ ସଂକୀର୍ଣ୍ଣ ପଥୁରିଆ ରାସ୍ତା ହିଁ ଏମାନଙ୍କ ଗମନାଗମନର ମାଧ୍ୟମ। ସ୍କୁଲ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ପଥୁରିଆ ରାସ୍ତାରେ ଯିବାକୁ ପଡେ। ପ୍ରତି ମାସ ବୃଦ୍ଧ, ବୃଦ୍ଧା ହିତାଧିକାରୀମାନେ ପଞ୍ଚାୟତରୁ ଚାଉଳ ଓ ବିଧବା ଭତ୍ତା ଟଙ୍କା ଧରି ବହୁ କଷ୍ଟରେ ଗାଁକୁ ଫେରନ୍ତି। ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଅସିପାରୁନି। ଫଳରେ ଗର୍ଭବତୀ ମହିଳା ଓ ରୋଗୀ କୁ ୨ କିମି ପାହାଡିଆ ରାସ୍ତାରେ ଖଟିଆ ରେ ବୋହି ନେବାକୁ ପଡୁଛି।

ନିକଟରେ ମାତ୍ର ଦିନ କେଇଟା ପୂର୍ବ ରୁ ଜଣେ ଗୁରୁତର ରୋଗୀ ଙ୍କୁ ୨ କିମି ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନିଆଯାଇଛି। ଯାହାକୁ ନେଇ ଏବେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଦୀର୍ଘ ୨୪ ବର୍ଷ ସ୍ଥିର ସରକାର ରେ ଗାଁକୁ ରାସ୍ତାଟିଏ କରି ପାରିଲେ ନାହିଁ ବିଜେଡ଼ି ସରକାର । କେବଳ ସମସ୍ୟା ଏତିକିରେ ଶେଷ ହୋଇନି । ବର୍ଷ ବର୍ଷ ଏଠି ଜଳ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ। କେବଳ ଯେ ଗ୍ରୀଷ୍ମ ଆସିଲେ ଏଠାରେ ପାନୀୟ ଜଳ ସମସ୍ୟା ଦେଖାଦିଏ ତାହା ନୁହେଁ। ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଏଠାରେ ଅଭିଶପ୍ତ ଜୀବନ ଜିଉଛନ୍ତି ଗ୍ରାମବାସୀ । ଟାଇଁ ଟାଇଁ ଖରାରେ ମାଇଲ ମାଇଲ ବାଟ ଯାଇ କିଭଳି ପାଣି ଟୁପାଏ ପାଇଁ ସଂଘର୍ଷ କରୁଛନ୍ତି ଲୋକେ। ଡହ ଡହ ଖରାରେ ଏବେ ଲୋକେ ପିଇବା ପାଣି ନପାଇ ବାଧ୍ୟ ହୋଇ ଚୁଆର ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶୀକାର ହେଉଛନ୍ତି। ନିଜର ହକ ପାଇଁ ପଞ୍ଚାୟତ ଠାରୁ ବ୍ଲକ ଅଫିସ୍ ଗଲେବି କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏବେ ରାଜ୍ୟରେ ନୂତନ ସରକାର ଆସିବା ପରେ ସମସ୍ୟାର ସମାଧାନ ଆଶା ରଖିଛନ୍ତି ଲୋକେ। ଏହି ସମସ୍ୟା ନେଇ ପାଟଣା ବିଡ଼ିଓଙ୍କୁ ପଚାରିବାରୁ ସେ ଘଟଣାକୁ ସ୍ବିକାର କରିବା ସହ ଖୁବ ଶୀଘ୍ର ରାସ୍ତା ଓ ପାନୀୟ ଜଳ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।



