ଡେସ୍କ: ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ଆଜି ଫ୍ରାନ୍ସ ସହ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସର ସଶସ୍ତ୍ର ବାହିନୀ ମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ଣ୍ଣୁ ନୂଆଦିଲ୍ଲୀଠାରେ ଏହି ଆନ୍ତଃ-ସରକାରୀ ବୁଝାମଣା ସ୍ୱାକ୍ଷର କରିଛନ୍ତି। ୨୬ଟି ରାଫେଲ ସାମୁଦ୍ରିକ ବିମାନ ମଧ୍ୟରୁ ୨୨ଟି ସିଙ୍ଗଲ ସିଟର ଏବଂ ୪ଟି ଡବଲ ସିଟର ହେବ ଏବଂ ଏହାକୁ ଭାରତୀୟ ନୌସେନାର ଆବଶ୍ୟକତା ଅନୁଯାୟୀ ଡିଜାଇନ୍ ଓ ପ୍ରସ୍ତୁତ କରାଯିବ। ୨୦୩୦ ସୁଦ୍ଧା ଏହି ବିମାନଗୁଡ଼ିକ ଭାରତକୁ ଆସିବ।
ଏହି ଚୁକ୍ତିରେ ପ୍ରଶିକ୍ଷଣ, ସିମୁଲେଟର, ଆନୁସଙ୍ଗିକ ଉପକରଣ, ଅସ୍ତ୍ରଶସ୍ତ୍ର ଏବଂ ପ୍ରଦର୍ଶନ ଭିତ୍ତିକ ଲଜିଷ୍ଟିକ୍ସ ଅନ୍ତର୍ଭୁକ୍ତ। ଏଥିରେ ଭାରତୀୟ ବାୟୁସେନାର ବର୍ତ୍ତମାନର ରାଫେଲ ଫ୍ଲିଟ୍ ପାଇଁ ଅତିରିକ୍ତ ଉପକରଣ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଚୁକ୍ତି ଦ୍ୱାରା ଦେଶରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ଏକୀକରଣ ପାଇଁ ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତର ଏବଂ ରାଫେଲ ଫ୍ୟୁସେଲେଜ୍ ପାଇଁ ଉତ୍ପାଦନ ସୁବିଧା ପ୍ରତିଷ୍ଠା ସହିତ ବିମାନ ଇଞ୍ଜିନ, ସେନ୍ସର ଏବଂ ଅସ୍ତ୍ରଶସ୍ତ୍ରର ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହୋଲ ସୁବିଧା ଉପଲବ୍ଧ ହେବ। ଏହି ଚୁକ୍ତି ଦ୍ୱାରା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ହଜାର ହଜାର ନିଯୁକ୍ତି ଓ ରାଜସ୍ୱ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
ନୂଆଦିଲ୍ଲୀର ନୌସେନା ଭବନରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ଉପସ୍ଥିତିରେ ଭାରତ ଓ ଫ୍ରାନ୍ସ ଅଧିକାରୀମାନେ ଚୁକ୍ତିନାମାର ସ୍ୱାକ୍ଷରିତ ନକଲ, ବିମାନ ପ୍ୟାକେଜ୍ ଯୋଗାଣ ପ୍ରୋଟୋକଲ୍ ଏବଂ ଅସ୍ତ୍ରଶସ୍ତ୍ର ପ୍ୟାକେଜ୍ ଯୋଗାଣ ପ୍ରୋଟୋକଲ୍ ଆଦାନ ପ୍ରଦାନ କରିଥିଲେ। ରାଫେଲ ସାମୁଦ୍ରିକ ବିମାନ ସାମିଲ ହେବା ପରେ ନୌସେନାର ଶକ୍ତି ବହୁଗୁଣିତ ହେବ ଏବଂ ଏହି ଲଢୁଆ ବିମାନକୁ ଆଇଏନଏସ ବିକ୍ରମାଦିତ୍ୟ ଏବଂ ଆଇଏନଏସ ବିକ୍ରାନ୍ତ ଭଳି ବିମାନବାହୀ ଜାହାଜରେ ମୁତୟନ କରାଯିବ। ରାଫେଲରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ର ରହିବ। ଫ୍ରାନ୍ସର ଡାସଲ୍ଟ ଏଭିଏସନ୍ ଦ୍ୱାରା ନିର୍ମିତ ରାଫେଲ-ମେରିନ୍ ହେଉଛି ଏକ ବାହକବାହୀ ଯୁଦ୍ଧ ପ୍ରସ୍ତୁତ ବିମାନ ଯାହାର ସାମୁଦ୍ରିକ ପରିବେଶରେ ପ୍ରମାଣିତ ପରିଚାଳନା କ୍ଷମତା ରହିଛି।



