ଭୁବନେଶ୍ବର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟ ଜୟନ୍ତୀ ଅବସରରେ “ପଲ୍ଲି କବିତାରେ ଓଡ଼ିଆ ଅସ୍ମିତା” ସଂକ୍ରାନ୍ତୀୟ ଏକ ଦିବସୀୟ ଆଲୋଚନାଚକ୍ର ଗୁରୁ କେଳୁ ଚରଣ ଓଡିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ବର ଠାରେ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ମୁଖ୍ୟଅତିଥି ରୂପେ ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନର ସଭାପତି ସମୀର ରଞ୍ଜନ ମହାନ୍ତି ଯୋଗଦେଇ ଯୁବ ଗବେଷକ ମାନଙ୍କୁ ଓଡ଼ିଶାର ଗ୍ରାମ ସମାଜ ଓ ଭାଷା ସାହିତ୍ୟ ଉପରେ ପର୍ଯ୍ୟାପ୍ତ ଗବେଷଣା କରିବାକୁ ଆହ୍ବାନ ଦେଇଥିଲେ ଏଥି ସହିତ ଓଡ଼ିଶାର ପୌରାଣିକ ବ୍ୟାଖ୍ୟାନ ଉପରେ ଗୁରୁତ୍ୱାରୋପ କରିଥଲେ।
ଏହି ଅବସରରେ ରାଜ୍ୟ ବିଜେପିର ଉପସଭାପତି ଗୋଲକ ମହାପାତ୍ର ଯୋଗଦେଇ ଓଡ଼ିଶା ବୀରତ୍ୱର ଇତିହାସ, ପାରମ୍ପରିକ ଖାଦ୍ୟର ପ୍ରାଧାନ୍ୟ ଓ ଜଗନ୍ନାଥ ସଂସ୍କୃତି ସହିତ ପଲ୍ଲିକବି ନନ୍ଦକିଶୋର ବଳଙ୍କ କବିତା ଉପରେ ଆଲୋଚନା କରିଥଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଅଭିନେତା ତଥା ଶତାବ୍ଦୀର କଳାକାରର ଅଧକ୍ଷ ଧୀର ମଲ୍ଲିକ ଯୋଗଦେଇ ମଧୁବାବୁଙ୍କ ଜୀବନୀ ଓ ଓଡ଼ିଶା ପାଇଁ ତାଙ୍କ ଅବଦାନ ଓ ଓଡ଼ିଆ ସ୍ଵାଭିମାନ ଉପରେ ଆଲୋକପାତ କରିଥଲେ। ବିଶିଷ୍ଟ ଔପନ୍ୟାସିକ କାଳନ୍ଦୀ ସାମଲ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଆ କବିତାର ଶୈଳୀ ଓ ଲୋକଗୀତ ସହିତ ପର୍ବ ପର୍ବାଣୀ ଉପରେ ଆଲୋଚନା କରିଥଲେ।
ସଭାର ସଭାପତି ପ୍ରାଧ୍ୟାପକ ବସନ୍ତ ପଣ୍ଡା ଓଡ଼ିଆ ଅସ୍ମିତା ଓ ମଧୁବାବୁଙ୍କ ଜୀବନର ବିଭିନ୍ନ ଉଲ୍ଲେଖନୀୟ ଘଟଣା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ ଗୀତିକାର ପଞ୍ଚାନନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଏକ ଦିବସୀୟ ଆଲୋଚନା ଚକ୍ରରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ବିଶିଷ୍ଟ ସାହିତ୍ୟିକ , ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଗବେଷକ ଓ ଛାତ୍ରଛାତ୍ରୀମାନେ ବିଭିନ୍ନ ଗବେଷଣା ନିବନ୍ଧମାନ ଉପସ୍ଥାପନ କରିଥିଲେ। ଏଥିସହିତ ଯୁବ କବିମାନଙ୍କ ଦ୍ଵାରା କବିତା ପରିବେଷଣ ମଧ୍ଯ କରଯାଇଥିଲା। ଏହି ଆସରରେ ପଦ୍ମଶ୍ରୀ ଶ୍ୟାମାମଣି ଦେବିଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣରୁ ଉଦ୍ଘାଟନ ସଭା ଆରମ୍ଭ ହୋଇଥିବାବେଳେ ବିଶିଷ୍ଟ ଲେଖକ ବିଜୟ ମଲ୍ଲ ସଭା ପରିଚାଳନା କରିଥିଲେ। ପ୍ରସିଦ୍ଧ ଲେଖକ ପଂଞ୍ଚାନନ ନାୟକ ଓ ସମାଜସେବୀ ଅଜିତ କୁମାର ଦାସଙ୍କ ସହ ଅନ୍ୟ ସହଯୋଗୀମାନଙ୍କ ପ୍ରମୁଖ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।



