BJD Bijuli 480×75 Mob

ଉଦ୍‍ଘାଟନୀ ଉତ୍ସବରେ ଜାତୀୟ ପତାକା ଧରିବେ ସିନ୍ଧୁ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଆସନ୍ତା ମାସରେ ଅଷ୍ଟ୍ରେଲିଆର ଗୋଲ୍‍ଡ କୋଷ୍ଟରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦ୍‍ଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିବେ ରିଓ ଅଲିମ୍ପିକ୍‍ସରେ ରୌପ୍ୟ ପଦକ ଜିତିଥିବା ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ। ଗତ ସପ୍ତାହରେ ଅଲ୍‍ ଇଂଲଣ୍ଡ ଚମ୍ପିଆନ୍‍ସିପର ସେମିଫାଇନାଲରେ ପ୍ରବେଶ କରିଥିବା ସିନ୍ଧୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦ୍‍ଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିବେ ବୋଲି ଭାରତୀୟ ଅଲିମ୍ପିକ ମହାସଂଘ (ଆଇଓଏ)ର ଏକ ବୈଠକରେ ନିଷ୍ପତ୍ତି ହୋଇ଼ିଛି।
ଏ ସଂପର୍କରେ ସିନ୍ଧୁଙ୍କୁ ଆଇଓଏ ତରଫରୁ ଜଣାଇ ଦିଆଯାଇଥିବା କୁହାଯାଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦ୍‍ଘାଟନୀ ଉତ୍ସବ ଏପ୍ରିଲ ୪ରେ ଗୋଲ୍‍ଡକୋଷ୍ଟର କାରରା ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। ଭାରତୀୟ ଦଳରେ ମହିଳା ବକ୍ସର ମେରି କମ୍‍ ଓ ଅନ୍ୟତମ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ୍‍ ଥିଲେ ମଧ୍ୟ ସିନ୍ଧୁଙ୍କୁ ଉଦ୍‍ଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିବାକୁ ସୁଯୋଗ ଦିଆଯାଇଛି। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସିନ୍ଧୁ ମହିଳା ସିଙ୍ଗଲ୍‍ସ ବିଭାଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ତେବେ ଚଳିତଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜାପାନ ଓ ଚୀନ୍‍ ଭଳି ଦେଶ ଭାଗ ନେଉନଥିବାରୁ ମହିଳା ସିଙ୍ଗଲ୍‍ସରେ ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିବା ଆଶା କରାଯାଉଛି। ତେବେ ସାଇନା ନେହୱାଲ ମଧ୍ୟ ମହିଳା ସିଙ୍ଗଲ୍‍ସରେ ଖେଳୁଥିବାରୁ ସ୍ୱର୍ଣ୍ଣ ଜିତିବାକୁ ଉଭୟ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଲୋଚନା ହେଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୨୨ଜଣ ଭାରତୀୟ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। ଜଳକ୍ରୀଡ଼ା, ଆଥଲେଟିକ୍‍, ବ୍ୟାଡମିଣ୍ଟନ୍‍, ବାସ୍କେଟବଲ୍‍, ବକ୍ସିଂ, ସାଇକଲଚାଳନା, ଜିମ୍ନାଷ୍ଟିକ୍‍ସ, ହକି, ଲନ୍‍ ବୋଲ୍‍ସ, ବନ୍ଧୁକଚାଳନା, ସ୍କ୍ୱାଶ୍‍, ଟେବୁଲ ଟେନିସ, ଭାରୋତ୍ତୋଳନ, କୁସ୍ତି ଆଦି ବିଭାଗରେ ଭାରତୀୟ ଖେଳାଳି ଭାଗ ନେବେ। ଅନ୍ୟ ଏକ ଘଟଣାକ୍ରମରେ ସିନ୍ଧୁଙ୍କ ମା’ ବିଜୟାଙ୍କୁ ଅଧିକାରୀ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିମନ୍ତେ ଗୋଲ୍‍ଡ କୋଷ୍ଟ ପଠାଇବାକୁ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଆପତ୍ତି ଉଠାଯାଇଥିଲା। ତେବେ ମା’ଙ୍କୁ ଗୋଲ୍‍ଡ କୋଷ୍ଟ ଯିବାର ସୁଯୋଗ ଦେବା ନିମନ୍ତେ ସିନ୍ଧୁ ଅନୁରୋଧ କରିବା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଏ ନେଇ ସବୁଜ ସଙ୍କେତ ଦେବେ ବୋଲି ଆଶା କରାଯାଉଛି। ବିଜୟାଙ୍କ ଗସ୍ତ ଖର୍ଚ୍ଚ ଭାରତୀୟ ଅଲିମ୍ପିକ୍‍ ମହାସଂଘ ତୁଲାଇବ ବୋଲି ଆଲୋଚନା ହେଉଛି।

ସୂଚନାଥାଉକି ୨୦୦୬ ମେଲବୋର୍ଣ୍ଣ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏଥେନ୍‍ସ ଅଲିମ୍ପିକ୍‍ସରେ ରୌପ୍ୟ ପଦକ ଜିତିଥିବା ବନ୍ଧୁକଚାଳନାକାରୀ ତଥା ବର୍ତ୍ତମାନର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଉଦ୍‍ଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିଥିଲେ। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବେଜିଂ ଅଲିମ୍ପିକ୍‍ସରେ ସ୍ୱର୍ଣ୍ଣ ଜିତିଥିବା ଅଭିନବ ବିନ୍ଦ୍ରା ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଲଣ୍ଡନ ଅଲିମ୍ପିକ୍‍ସରେ ରୌପ୍ୟ ପଦକ ଜିତିଥିବା ବନ୍ଧୁକଚାଳନାକାରୀ ବିଜୟ କୁମାର ଉଦ୍‍ଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିଥିଲେ।

Leave A Reply