ଅଙ୍ଗନୱାଡି କେନ୍ଦ୍ର ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗ

odisha news

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଥିବା ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଶିଶୁଙ୍କ ପାଇଁ ପଢିବା ଟେବୁଲ ଓ ବିଶୁଦ୍ଧ ପାନୀୟ ଜଳ ପାଇଁ କିଣାଯାଇଛି ଓ୍ବାଟର ଫିଲଟର। ପ୍ରାୟ ୧ କୋଟି ୩୫ ଲକ୍ଷ ଟଙ୍କାର ସାମଗ୍ରୀ କିଣାଯାଇଛି। ଏହି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି କରାଯାଇ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ଆସିଛି। ଜିଇଏମ ପୋର୍ଟାଲ ମାଧ୍ୟମରେ ଆହ୍ୱାନ କରା ଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କରା ଯାଇଥିବା ଏବଂ ବିଡ଼ିଂରେ ଭାଗ ନେବା ପାଇଁ ୩୦ ଦିନ ସମୟ ଥିବା ବେଳେ ସମୟ ପୂର୍ବରୁ ଟେଣ୍ଡର ଖୋଲାଯାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ବେଳେ ସେମାନଙ୍କୁ ବାଦ ଦେଇ ଏକ ଯୋଗାଣକାରୀ ସଂସ୍ଥାକୁ ଯୋଗାଣ ଆଦେଶ ଦିଆଯାଇଛି।

prayash

ସୂଚନାଯୋଗ୍ୟ, କେନ୍ଦ୍ରୀୟ ଅନୁଦାନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଥିବା ଅଙ୍ଗନବାଡି କେନ୍ଦ୍ରର ଶିଶୁଙ୍କ ପାଇଁ ପଢ଼ା ପ୍ଲାଷ୍ଟିକ ଟେବୁଲ ସହ ଚେୟାର ଓ ପାନୀୟ ଜଳ ଫିଲଟର୍ କିଣିବା ନିମନ୍ତେ ସରକାର ନିଷ୍ପତି ନେଇଥିଲେ। ଏ ନେଇ ସମସ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ଏନ ସି ଜ୍ୟୋତିରଞ୍ଜନ ନାୟକ ଗତ ସେପ୍ଟେମ୍ବର ୧୨ ତାରିଖରେ ଚିଠି (ନଂ. ୨୦୪୭୭) କରିଥିଲେ। ଚିଠିରେ କ୍ରୟ ହେବାକୁ ଥିବା ପଢ଼ା ପ୍ଲାଷ୍ଟିକ ଟେବୁଲ, ଚୌକି ଓ ପାଣି ଫିଲଟର୍ ପାଇଁ ନିର୍ଦ୍ଧାରିତ ସ୍ପେସିଫିକେସନ୍ ଓ ଦର ସହ ଟେଣ୍ଡର ପ୍ରକ୍ରିୟା ନିମନ୍ତେ ନିର୍ଦ୍ଧାରିତ ଗାଇଡ଼ଲାଇନ୍ ଉଲ୍ଲେଖ କରାଯାଇଥିଲା। ଏଥିରେ ପଢ଼ା ପ୍ଲାଷ୍ଟିକ ଟେବୁଲର ଦର ଗୋଟା ପ୍ରତି ୫ଶହ ଟଙ୍କା, ଚେୟାର ଦର ୩ଶହ ଟଙ୍କା ଏବଂ ଫିଲଟର୍ ଦର ଗୋଟା ପ୍ରତି ୧ ହଜାର ୫ଶହ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସେହି ଚିଠି ଅନୁସାରେ ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏସବୁ ସାମଗ୍ରୀ କ୍ରୟ ନିମନ୍ତେ ଅକ୍ଟୋବର ୨୯ ତାରିଖରେ ଜିଇଏମ୍ ମାଧ୍ୟମରେ ଟେଣ୍ଡର ବିଡ଼(ଜିଇଏମ୍/୨୦୨୪/ବି/୫୫୫୯୭୮୪) ଆହ୍ୱାନ କରିଥିଲେ। ନିର୍ଦ୍ଧାରିତ ବିଡ଼ ଗାଇଡ଼ଲାଇନକୁ ପୂରଣ କରୁଥିବା ସେଲ୍ଲୋ-ୱିମ୍ ପ୍ଲାଷ୍ଟ୍ ଲିମିଟେଡ଼, ନିଲକମଲ୍ ଲିମିଟେଡ଼, ସୁପ୍ରୀମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ ଏବଂ ନ୍ୟାସନାଲ୍ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ ଭଳି ଫର୍ଣ୍ଣିଚର୍ ମାନ୍ୟୁଫାକ୍ଚରିଂ କମ୍ପାନୀ ସମେତ ଅନ୍ୟ କିଛି ଯୋଗାଣକାରୀ ଏଜେନ୍ସି ମଧ୍ୟ ବିଡ଼ିଂ କରିଥିଲେ। ତେବେ ବିଡ଼ିଂ ପାଇଁ ଧାର୍ଯ୍ୟ ୩୦ଦିନ ରହିଥିଲା ବେଳେ ନଭେମ୍ବର ୧୮ତାରିଖ ରାତିରେ ଟେଣ୍ଡର ଖୋଲି ଦିଆଯାଇଥିଲା। ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ରାଣ୍ଡେଡ୍ ପ୍ଲାଷ୍ଟିକ ଫର୍ଣ୍ଣିଚର୍ ମାନ୍ୟୁଫାକ୍ଚରିଂ କମ୍ପାନୀ ବିଡ଼ିଂ କରିଥିଲେ ମଧ୍ୟ ସେସବୁ ସଂସ୍ଥାଙ୍କୁ ଅଯୋଗ୍ୟ କରି ଏକ ଯୋଗାଣକାରୀ ସଂସ୍ଥାକୁ ଯୋଗ୍ୟ ବିବେଚିତ କରାଯାଇଛି। ଅପରପକ୍ଷେ, ଟେଣ୍ଡର ନୋଟିସରେ ପଞ୍ଜୀକୃତ କମ୍ପାନୀର ସାମଗ୍ରୀ କିଣିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଏଥିରେ ବ୍ୟତିକ୍ରମ କରାଯାଇ ଅନ ବ୍ରାଣ୍ଡେଡ ଜିନିଷ କିଭଳି କିଣାଗଲା, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ନିର୍ଭରଯୋଗ୍ୟ ସୂତ୍ରର ତଥ୍ୟ ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡ଼ଲାଇନ ଓ ସାମଗ୍ରୀ ସ୍ପେସିଫିକେସନ୍ ପୂରଣ କରୁ ନ ଥିବା ସଂସ୍ଥାକୁସୁହାଇଲା ଭଳି ବିଡିଂରେ କିଛି ଅତିରିକ୍ତ ସର୍ତ୍ତ ରଖା ଯାଇଥିଲା। ଫଳରେ ଉକ୍ତ ସଂସ୍ଥା ହିଁ ସାମଗ୍ରୀ ଯୋଗାଣ ପାଇଁ ଯୋଗ୍ୟ ବିବେଚିତ ହେବ। ରାଜ୍ୟ ସରକାର ଟେବୁଲ ଗୋଟା ପ୍ରତି ୫୦୦ ଟଙ୍କା ଏବଂ ଚେୟାର ଗୋଟା ପ୍ରତି ୩୦୦ ଟଙ୍କା ଦର ଧାର୍ଯ୍ୟ କରିଥିଲେ। କନ୍ଧମାଳ ଜିଲ୍ଲାର ଆହୁତ ବିଡ଼ିଂ ଅନୁସାରେ ୧୦, ୮୬୪ଟି ପ୍ଲାଷ୍ଟିକ ପଢ଼ା ଟେବୁଲ ପାଇଁ ଗୋଟା ପ୍ରତି ୪୯୩ ଟଙ୍କା ଏବଂ ୨୦, ୩୭୦ଟି ପ୍ଲାଷ୍ଟିକ ଚେୟାର ପାଇଁ ଗୋଟା ପ୍ରତି ୨୯୬ ଟଙ୍କା ଦରରେ ଯୋଗାଇ ଦେବାକୁ ଷ୍ଟାର୍ ଏଣ୍ଟରପ୍ରାଇଜେସ୍ ବିଡ଼ିଂ କରିଥିବାରୁ ସର୍ବନିମ୍ନ ବିଡ଼ର ଭାବେ ଉକ୍ତ ସଂସ୍ଥାକୁ ନନ୍ ବ୍ରାଣ୍ଡେଡ୍ ଟେବୁଲ ଓ ଚେୟାର ଯୋଗାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ବିଡ଼ିଂରେ ଏଭଳି ଅନିୟମିତତା ହୋଇଥିବା ନେଇ ସେଲ୍ଲୋ-ୱିମ୍ ପ୍ଲାଷ୍ଟ୍ ଲିମିଟେଡ଼ ପକ୍ଷରୁ ନଭେମ୍ବର ୨୦ ତାରିଖରେ କନ୍ଧମାଳ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି। କିନ୍ତୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏ ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲଷ୍ମୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ତ ପ୍ରକ୍ରିୟା ନିୟମ ଅନୁଯାୟୀ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜିନିଷ ଆମର ହସ୍ତଗତ ହୋଇନାହିଁ। ଅପରପକ୍ଷେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଇଏମ ବ୍ୟବସ୍ଥାରେ ସମସ୍ତ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ହେଉଛି। ତେଣୁ ଏଥିରେ ହେରଫେର ହେବାର ସମ୍ଭାବନା ବହୁତ କମ। ତଥାପି ଯଦି ଅନିୟମିତତା ହୋଇଥାଏ, ତେବେ ସମ୍ପୃକ୍ତ ଅଧିକାରୀ ତଦନ୍ତର ସମ୍ମୁଖୀନ ହେବେ।

Comments are closed.