ହାଇଟେକ୍ ହସ୍ପିଟାଲ ଛାତରୁ ପଡ଼ି ରୋଗୀ ମୃତ: ହତ୍ୟା ଅଭିଯୋଗ
ରାଉରକେଲା : ରାଉରକେଲା ହାଇଟେକ୍ ହସ୍ପିଟାଲ ଏଣ୍ଡ ମେଡିକାଲ କଲେଜର ଦୁଇ ମହଲା ଛାତରୁ ଖସି ଜଣେ ଚିକିତ୍ସାଧୀନ ରୋଗୀ ପ୍ରାଣ ହରାଇବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଆଇସିୟୁରେ ଚିକିତ୍ସା ଚାଲିଥିବାବେଳେ କେମିତି ଛାତରୁ ଖସିପଡ଼ିଲେ ତାକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିବା ସହ ହତ୍ୟା ଅଭିଯୋଗ କରିଛନ୍ତି। ପରିବାରର ସୂଚନା ମୁତାବକ କୁଆଁରମୁଣ୍ଡା ଅଞ୍ଚଳର ମନୋଜ ଡୁଙ୍ଗଡ଼ୁଙ୍ଗ ଯକୃତ ରୋଗରେ ପୀଡିତ ହୋଇ ରାଉରକେଲା ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବାବେଳେ ଆଜି ତାଙ୍କର ଡିସ୍ଚାର୍ଜ ହୋଇଥାନ୍ତା, କିନ୍ତୁ ଗତକାଲି ରାତିରେ ମନୋଜ ହାଇଟେକ୍ ହସ୍ପିଟାଲର ୨ ମହଲା ଛାତରୁ ତଳକୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଆଇସିୟୁର ଜଣେ ଚିକିତ୍ସାଧୀନ ରୋଗୀ କେମିତି ବାହାରକୁ ଆସିଲେ ଓ ଛାତରୁ ତଳକୁ ପଡ଼ିଲେ ବୋଲି ମନୋଜଙ୍କ ପରିବାର ହାଇଟେକ୍ ବିରୋଧରେ ଅଭିଯୋଗ ଆଣିଥିଲେ। ମନୋଜଙ୍କ ସ୍ତ୍ରୀ ସୁଧା ଡୁଙ୍ଗଡ଼ୁଙ୍ଗ ଅଭିଯୋଗ କରିଛନ୍ତି ଯେ, ମନୋଜ ସୁସ୍ଥ ହୋଇସାରିଥିଲେ ଓ ସେ ନିଜେ ଛାତରୁ ଡେଇଁ ନାହାନ୍ତି ବରଂ ତାଙ୍କୁ ଛାତରୁ ଠେଲି ହତ୍ୟା କରାଯାଇଛି। ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଧାରଣା ଦେବା ସହ ଘଟଣାର ତଦନ୍ତ କରି ଉଚିତ୍ ନ୍ୟାୟ ପ୍ରଦାନ କରିବା ଓ ଉଚିତ୍ କ୍ଷତିପୂରଣ ଦାବି କରିଥିଲେ। ଡାକ୍ତରଖାନା ପକ୍ଷରୁ ସଂପୃକ୍ତ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବା ସହ ଥଇଥାନ ଦିଗରେ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ସେମାନେ ଶାନ୍ତ ପଡ଼ିଥିବା ଶୁଣିବାକୁ ମିଳୁଛି ା ଅପରପକ୍ଷରେ ମୃତକଙ୍କ ପରିବାରର ଅଭିଯୋଗକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି ା ମେଡିକାଲ ପକ୍ଷରୁ କୁହାଯାଇଛି ଯେ ଗୁରୁତର ଅସୁସ୍ଥ ଥିବା ମନୋଜଙ୍କ ମାନସିକ ଅବସ୍ଥା ଠିକ ନ ଥିଲା। ପ୍ରଚୁର ମଦ୍ୟପାନ ଯୋଗୁଁ ତାଙ୍କ ଯକୃତ ଓ କିଡନୀ ଖରାପ ହୋଇଥିଲା ା ଚିକିତ୍ସା ବେଳେ ଏଣେତେଣେ ଉଠିଯାଉଥିବାରୁ ତାଙ୍କୁ ଏକ ଗଜ କପଡ଼ାରେ ବନ୍ଧା ଯାଇଥିଲା। ବିଳମ୍ବିତ ରାତିରେ ଡ୍ୟୁଟିରେ ଥିବା କର୍ମଚାରୀ ଶୋଇ ପଡ଼ିଥିବାବେଳେ ତାଙ୍କୁ ଡେଇଁ ସେ ଛାତ ଉପରକୁ ଯାଇଥିଲେ ଓ ସେଠାରୁ ଡେଇଁ ପ୍ରାଣ ହରାଇଛନ୍ତି। କର୍ତ୍ତୃପକ୍ଷ ତୁରନ୍ତ ଏନେଇ ପରିବାର ଓ ପୁଲିସକୁ ସୂଚନା ଦେଇଥିଲେ। ଅଭିଯୋଗରେ ସତ୍ୟତା ନାହିଁ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଥାନାରେ କୌଣସି ଏତଲା ହୋଇ ନ ଥିବା ଜଣାପଡିଛି। ହାସପାତାଳ ପକ୍ଷରୁ ମୃତକଙ୍କ ପୁଅର ପାଠପଢ଼ା ସରିବା ପରେ ତାଙ୍କୁ ଥଇଥାନ ଦିଗରେ ପଦକ୍ଷେପ ନିଆଯିବା ପାଇଁ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିବା ପ୍ରକଳ୍ପ ପରିଚାଳକ ମଧୁ ମହାନ୍ତି ସୂଚନା ଦେଇଛନ୍ତି।
Comments are closed.