nua o banner

ସ୍ୱତନ୍ତ୍ର କୃଷି ବଜେଟ ୨୦୧୮-୧୯

BSKY banner  750×100
0
-୫ବର୍ଷରେ ୨.୩୫ଗୁଣ ବୃଦ୍ଧି, -ବନ୍ୟା ନିୟନ୍ତ୍ରଣ ଲାଗି ୧ହଜାର କୋଟି, -କୃଷି ଋଣ ରିଆତି ଲାଗି ୪୭୦ କୋଟି

ଭୁବନେଶ୍ୱର  : ବିଶ୍ୱରେ ଆର୍ଥିକ ଅସ୍ଥିରତା ଲାଗି ରହିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତବର୍ଷ ୮.୫ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ୨୦୧୮-୧୯ ବର୍ଷରେ ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି ବଜେଟ୍‍ ପ୍ରାୟ ଅଢ଼େଇଗୁଣ ବୃଦ୍ଧି କରିଛନ୍ତି। ସରକାର ବଜେଟ୍‍ ଆକାର ୧୬ହଜାର ୭୬୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥିରେ କୃଷକମାନଙ୍କ ଆୟ ଓ କୃଷି ଉତ୍ପାଦନ ବୃଦ୍ଧି କରିବା ସହିତ ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ବ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ ତାଙ୍କ ଅଭିଭାଷଣରେ ଦର୍ଶାଇଛନ୍ତି।
ଦ୍ୱାଦଶ ବିଧାନସଭାର ୪ର୍ଥ ଦିନ ଅପରାହ୍ନରେ କୃଷି ବଜେଟ୍‍ ୨୦୧୮-୧୯ ଉପସ୍ଥାପନ କରି ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳସେଚନ ଉନ୍ନୟନକୁ ତ୍ୱରାନ୍ୱିତ କରିବା ଲାଗି ଅଙ୍ଗୀକାରବଦ୍ଧ। ଏଥିପାଇଁ ଗଙ୍ଗାଧର ମେହର କେନାଲ ଉଠା ଜଳସେଚନ
ଯୋଜନା ଲାଗି ୧୨୪୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେହିପରି ଚାଲୁ ରହିଥିବା ସେଚ୍‍ ପ୍ରକଳ୍ପଗୁଡିକର ଆଧୁନିକୀକରଣ ଲାଗି ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ମାଧ୍ୟମରେ ୬୩୫କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ପାର୍ବତୀଗିରି ବୃହତ୍‍ ଉଠାଜଳସେଚନ ପ୍ରକଳ୍ପ ପାଇଁ ୧୮୦୨ କୋଟି ଏବଂ ୮ଟି ତ୍ୱରିତ ଜଳସେଚନ ସୁବିଧା ଯୋଜନାରେ ୨୬୨୯ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ନାବାର୍ଡ ଅଧୀନରେ ଦୀର୍ଘ ମିଆଦୀ ଜଳସେଚନ ପାଣ୍ଠି ସହ ଅନୁବନ୍ଧିତ ହୋଇଥିବାବେଳେ ଏଥିରେ ୧୭୦ଟି ବୃହତ ଉଠାଜଳସେଚନ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ପ୍ରାୟ ୩ଲକ୍ଷ ହେକ୍ଟର ଜମିକୁ ଜଳସେଚନ ହେବ। ଏହାବ୍ୟତୀତ ଭୂତଳ ଜଳ ପ୍ରୟୋଜନ ପାଇଁ ୩୪୪କୋଟି ଟଙ୍କାରେ ୨ହଜାର ଆଡିବନ୍ଧ ଏବଂ ୬୯୦ଟି ଅଚଳ ଉଠା ଜଳସେଚନ ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ୧୨୦କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଗଭୀର ନଳକୂପ ଖନନ ଲାଗି ୫୪୦କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ବିଜୁ କୃଷି ବିକାଶ ଯୋଜନାରେ ଉଠା ଜଳସେଚନ ପ୍ରକଳ୍ପ ଲାଗି ୨୯୦ କୋଟି ଟଙ୍କା, ଅଣୁ ଜଳସେଚନ ଲାଗି ୨୫୦କୋଟି ଟଙ୍କା, ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ(କାଡା) ଯୋଜନାରେ ୨୦୦କୋଟି ଏବଂ ଜଳ ସଞ୍ଚାଳନ କ୍ଷତିକୁ କମାଇବା ପାଇଁ ୧୩୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ସେହିପରି ରାଜ୍ୟରେ ସୃଷ୍ଟି ହେଉଥିବା ବନ୍ୟାକୁ ନିୟନ୍ତ୍ରଣ କରିବା ଓ ଜଳ ନିଷ୍କାସନ କରିବା ପାଇଁ ୧ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତେବେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ସବୁଜ ପାଣିପାଗ ପାଣ୍ଠି(ଜିସିଏଫ୍‍) ଗଠନ ହାତକୁ ନେଇଛି। ଏହାଦ୍ୱାରା ପୋଖରୀ ମାଧ୍ୟମରେ ଭୂତଳ ଜଳ ପୁନଃ ସଂରକ୍ଷଣ କରାଯାଇ ପାରିବ। ଏହି ଯୋଜନାରେ ଆସନ୍ତା ୫ବର୍ଷ ମଧ୍ୟରେ ୨୩୧କୋଟି ଟଙ୍କାର ବିଦେଶୀ ପାଣ୍ଠି ପ୍ରାପ୍ତି ହେବ। ତେବେ କୃଷକମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାପାଇଁ ଚଳିତବର୍ଷ ୪୭୦ କୋଟି ଟଙ୍କାର ସୁଧ ରିଆତି ପାଇଁ ବ୍ୟବସ୍ଥା କରାଯାଇଛି। ଯାହାକି ପୂର୍ବର୍ବର୍ଷ ଭଳି ଚାଷୀମାନେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ୧ ପ୍ରତିଶତ ହାରରେ ସୁଧ ଦେବେ ଏବଂ ୫୦ହଜାର ଟଙ୍କାରୁ ଊଦ୍ଧ୍ୱର୍ ରାଶି ଋଣରେ ୨ପ୍ରତିଶତ ସୁଧ ରିଆତି ଦିଆଯିବ। ସେହିପରି ଚାଷୀମାନଙ୍କ ଫସଲ ଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଫସଲ ବୀମା ବାବଦକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଚାଷୀଙ୍କ ଲାଗି ୪୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ମୃତ୍ତିକା ସଂରକ୍ଷଣ କାର୍ଯ୍ୟର ସଫଳ ରୂପାୟନ ପାଇଁ ୬୦୨ କୋଟି ଟଙ୍କା ଏବଂ କୃଷିର ଆଧୁନିକୀକରଣ ପାଇଁ ସରକାରଙ୍କ କ୍ଷେତ ଯାନ୍ତ୍ରିକୀକରଣ ଯୋଜନାରେ ୪୫୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାବ୍ୟତୀତ କୃଷି ଓ ଆନୁଷଙ୍ଗିକ ଉନ୍ନତିକରଣ ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‍କେଭିୱାଇ)ରେ ୭୫୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଶ୍ୱେତ ବିପ୍ଲବରେ ୮୮କୋଟି, କୃଷକ ଓ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ୨୫୦କୋଟି, ବିଜୁ କୃଷକ କଲ୍ୟାଣ ଯୋଜନାରେ ୯୦ କୋଟି, ପଶୁ ଚିକିତ୍ସା ସେବା ଲାଗି ୧୪କୋଟି, ପଶୁ ସମ୍ପଦ ଚାଷୀଙ୍କୁ ମୋବାଇଲ ଫୋନ୍‍ ମାଧ୍ୟମରେ ପରାମର୍ଶ ଲାଗି ୪କୋଟି, ଦୁଧିଆଳି ଗାଈମାନଙ୍କୁ ଗୋଖାଦ୍ୟ ଯୋଗାଇବାକୁ ୯କୋଟି, ନୀଳ ବିପ୍ଲବରେ ମତ୍ସ୍ୟ ବିହନ ଉତ୍ପାଦନ କେନ୍ଦ୍ରର ଦକ୍ଷତା ବିକାଶ ଲାଗି ୫୧ କୋଟି, ମତ୍ସ୍ୟ ପୋଖରୀ ଯୋଜନାରେ ୨କୋଟି, ମାଛ ଉତ୍ପାଦନ ବୃଦ୍ଧି ଓ ମାଛ ଚାଷ ଲାଗି ୭୩କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହାଦ୍ୱାରା ଆଗାମୀ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ପ୍ରାୟ ୫୦ଲକ୍ଷ ଚାଷୀ ପରିବାର ବିଶେଷ ଭାବେ ଉପକୃତ ହେବା ସହିତ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଦର୍ଶାଇଛନ୍ତି।

Leave A Reply