BJD Bijuli 480×75 Mob

ରତ୍ନଭଣ୍ଡାର ଖୋଲିବାକୁ ଆଜି ମିଳିବ ଅନୁମତି !

BJD Bijuli 480×75 Mob
0

ସନ୍ଧ୍ୟାରେ ବସିବ ସବ୍‌କମିଟି ବୈଠକ
ପୁରୀ  : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସୋମବାର ଅନୁମତି ଦେଇପାରନ୍ତି ରାଜ୍ୟ ସରକାର । ଏହାପରେ ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରାଯିବ । ରତ୍ନଭଣ୍ଡାର ଛାତ, ଚଟାଣ ଓ କାନ୍ଥର ସ୍ଥିତି ଯାଞ୍ଚ୍‌ କରିବେ ବିଶେଷଜ୍ଞ । ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯିବ। ଅନୁଧ୍ୟାନ କମିଟିରେ ଶ୍ରୀମନ୍ଦିର ପ୍ରଶାସନ, ଏଏସ୍‌ଆଇ ଏବଂ କୋର୍‌ କମିଟି ପ୍ରତିନିଧି ରହିବେ । ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ସୁନାରୁପା, ହୀରାନୀଳା, ମୋତିମାଣିକ୍ୟର ଆକଳନ ପାଇଁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ । ଆବଶ୍ୟକ ପଡ଼ିଲେ ରତ୍ନଭଣ୍ଡାର ମରାମତି କରାଯିବ । ଏଥିପାଇଁ ଦୁଇରୁ ତିନିମାସ ସମୟ ଲାଗିପାରେ । ତେଣୁ ରତ୍ନଭଣ୍ଡାରରେ ଥିବା ଗହଣାଭର୍ତ୍ତି ରୁପା ସିନ୍ଦୁକଗୁଡ଼ିକୁ ସାମୟିକ
ଭାବେ କେଉଁଠି ରଖାଯିବ ସୁରକ୍ଷିତ ସ୍ଥାନ ଖୋଜିବା ଆରମ୍ଭ ହୋଇଛି । ୧୯୫୨ରେ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି (ରେକର୍ଡ ଅଫ୍‌ ରାଇଟସ୍‌) ପ୍ରସ୍ତୁତ ହୋଇଥିଲା । ସେଥିରେ ଭିତର, ବାହାର ଓ ବ୍ୟବହୃତ ରତ୍ନଭଣ୍ଡାର ଗହଣା ତାଲିକା ରହିଛି । ବରିଷ୍ଠ ସେବକଙ୍କ କହିବା ଅନୁଯାୟୀ ତାହା ପୂର୍ଣ୍ଣାଙ୍ଗ ନୁହେଁ । ୧୯୭୮ ମେ ୧୩ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭଣ୍ଡାରଘର ସମେତ ଭିତର ରତ୍ନଭଣ୍ଡାର ଯାଞ୍ଚ୍‌ କରାଯାଇଥିଲା। ୩ଟି କୋଠରିରେ ଥିବା ଗହଣା ତାଲିକା ପ୍ରସ୍ତୁତ ପାଇଁ ୬ଜଣିଆ କମିଟିକୁ ୨ମାସରୁ ଊର୍ଦ୍ଧ୍ବ ସମୟ ଲାଗିଥିଲା ।
ରତ୍ନଭଣ୍ଡାରରେ ୩୬୭ ପ୍ରକାର ସୁନା ଏବଂ ୨୩୧ ପ୍ରକାର ରୁପା ଗହଣା ରହିଥିବା ସେଥିରେ ଉଲ୍ଲେଖ କରାଯାଇଛି । ହୀରାନୀଳା ଓ ମୋତିମାଣିକ୍ୟ ତାଲିକା ଗୋପନୀୟ ରଖାଯାଇଛି । ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପ୍ରହ୍ଲାଦ ରଥ, ଗଜପତି ମହାରାଜାଙ୍କ ପ୍ରତିନିଧି ଆର. ବିଶ୍ୱାଳ, ଜିଲା ପ୍ରଶାସନ ପକ୍ଷରୁ ଲକ୍ଷ୍ମୀକାନ୍ତ ମହାନ୍ତି, ଅତିରିକ୍ତ ଏସ୍‌ପି ସଚ୍ଚିକାନ୍ତ ତ୍ରିପାଠୀ, ପରିଚାଳନା କମିଟି ସଭ୍ୟ ଭୀମସେନ ଗୋଚ୍ଛିକାର ଏବଂ ନରସିଂହ ଦାସମହାପାତ୍ରଙ୍କ ସ୍ୱାକ୍ଷର ରତ୍ନଭଣ୍ଡାର ଗହଣା ତାଲିକାରେ ରହିଛି । ରତ୍ନଭଣ୍ଡାରରୁ ମିଳିଥିବା ଗୋଟିଏ ହୀରାର ମୂଲ୍ୟ ଆକଳନ ପାଇଁ ଅହମ୍ମଦାବାଦରୁ ଜଣେ ଜୋହରିଙ୍କୁ ଡକାଯାଇଥିଲା । ଏଭଳି ବିରଳ ଏବଂ ଦୁର୍ଲଭ ହୀରା ସେ ବ୍ୟବସାୟିକ ଜୀବନରେ କେବେ ଦେଖିନଥିବା ମତ ଦେଇଥିଲେ । ହୀରାମୂଲ୍ୟ ଆକଳନ ହୋଇପାରି ନଥିଲା । ଜୋହରି ଜଣଙ୍କ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣାମ କରି ଫେରି ଯାଇଥିଲେ।
୧୯୮୪ ରେ ମଧ୍ୟ ମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲିଥିଲା । ରାଜ୍ୟ ସରକାର ଏଥିପାଇଁ ସ୍ୱତନ୍ତ୍ର ଭାବେ ଅନୁମତି ଦେଇଥିଲେ । ସେତେବେଳେ ୧୯୭୮ ମସିହା ସ୍ଥିତି ପରିଲକ୍ଷିତ ହୋଇଥିଲା । ତୃତୀୟ କୋଠରିରେ ପ୍ରବେଶ କରିବାକୁ କୌଣସି କର୍ମଚାରୀ ସାହସ କରିନଥିଲେ । ତୃତୀୟ ଓ ଚତୁର୍ଥ କୋଠରି ଏପର୍ଯ୍ୟନ୍ତ ଖୋଲାଯାଇ ପାରିନାହିଁ । ତେଣୁ ଏହି ଦୁଇଟି କୋଠରି ଏବେବି ରହସ୍ୟାବୃତ୍ତ ହୋଇ ରହିଛି । ମିଳିଥିବା ସୂଚନା ଅନୁଯାୟୀ ୧୯୨୬ ସାଲରେ ତତ୍କାଳୀନ ଗଜପତି ରାଜାସାହେବଙ୍କ ସ୍ୱୀକୃତିକ୍ରମେ ରତ୍ନଭଣ୍ଡାର ଅଳଙ୍କାର ଜିଲାପାଳଙ୍କ ରେକର୍ଡ ରୁମ୍‌ରେ ଜଉମୁଦ କରି ରଖାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ୧୨୪ ପୃଷ୍ଠା ସମ୍ବଳିତ ମୂଲ୍ୟବାନ ଗହଣା ତାଲିକାରେ ୧୦୦ପୃଷ୍ଠା କେବଳ ରତ୍ନଭଣ୍ଡାରର । ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ନକ୍ସା ପ୍ରଶାସନ ପାଖରେ ଥିବା ବେଳେ ରତ୍ନଭଣ୍ଡାର ନକ୍ସା ନିରାପତ୍ତା ଦୃଷ୍ଟିରୁ ଜାଣିଶୁଣି ପ୍ରସ୍ତୁତ କରାଯାଇ ନାହିଁ । ତେଣୁ ରତ୍ନଭଣ୍ଡାର ଖୋଲିବା ପ୍ରଶାସନ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହୋଇଛି ।
ଏ ସମ୍ପର୍କରେ ଆଲୋଚନା ପାଇଁ ସୋମବାର ରତ୍ନଭଣ୍ଡାର ସବ୍‌କମିଟି ବୈଠକ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ମନ୍ଦିର ପ୍ରଶାସନ ଅନୁମତି ମାଗିଛି। ଗବେଷକଙ୍କ ମତ ଅନୁଯାୟୀ ଅନଙ୍ଗ ଭୀମଦେବ ୩ୟ ତ୍ରୟୋଦଶ ଶତାବ୍ଦୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ରାଜାଧିରାଜ ଏବଂ ନିଜକୁ ରଇତ ଘୋଷଣା କରିଥିଲେ । ତାଙ୍କ ପାଖରେ ଥିବା ସମସ୍ତ ସୁନାରୁପା ସେ ମହାପ୍ରଭୁଙ୍କୁ ଦାନ କରିଥିଲେ । ରାଜା କପିଳେନ୍ଦ୍ର ଦେବ ଏବଂ ପୁରୁଷୋତ୍ତମ ଦେବ ବିଭିନ୍ନ ରାଜ୍ୟ ଜୟ କରି ଆଣିଥିବା ସୁନାରୁପା ଓ ହୀରାନୀଳା ଶ୍ରୀଜୀଉଙ୍କୁ ଅର୍ପଣ କରିଥିଲେ । କଳାପାହାଡ଼ ୧୫୬୮ରେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ୫୨କୋଟି ଭଣ୍ଡାର ଏବଂ ୪୦ମହଣ ଓଜନର ସୁନା ଲକ୍ଷ୍ମୀମୂର୍ତ୍ତି ଲୁଟି ନେଇଥିଲା । ତେଣୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତିକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଉଛି।

ରତ୍ନଭଣ୍ଡାର ଯାଞ୍ଚପାଇଁ ଆଜି ଆସିବେ ବିଶେଷଜ୍ଞ

ପୁରୀ  : ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ସୋମବାର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ)ର ବିଶେଷଜ୍ଞ ଦଳ ପୁରୀ ଗସ୍ତରେ ଆସିବେ। ସେଥିରେ ବୈଷୟିକ କୋର୍‍ କମିଟିକୁ ସାମିଲ କରାଯାଇଛି। ରତ୍ନଭଣ୍ଡାର ଯାଞ୍ଚପାଇଁ ହାଇକୋର୍ଟ ଏଏସ୍‍ଆଇକୁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଦିନଧାର୍ଯ୍ୟ ହୋଇଛି। ରତ୍ନଭଣ୍ଡାର ହସ୍ତାନ୍ତର ନିମନ୍ତେ ଏଏସ୍‍ଆଇ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆନୁସଙ୍ଗିକ ପ୍ରସ୍ତୁତି ଓ ଆଇନଗତ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସ୍‍ଆଇ ଅଧିକାରୀଙ୍କୁ ନେଇ କମିଟି ଗଠନ ନିମନ୍ତେ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା। ସରକାରଙ୍କଠାରୁ ଅନୁମତି ମିଳିନଥିବା ଯୋଗୁଁ କମିଟି ଗଠନ କରାଯାଇ ନାହିଁ। ଏଏସ୍‍ଆଇ ଚିଠିର ଉତ୍ତର ମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇ ନାହିଁ। ସୋମବାର ସନ୍ଧ୍ୟାରେ ରତ୍ନଭଣ୍ଡାର ସବ୍‍କମିଟି ବୈଠକ ବସିବ। ତେଣୁ ତା’ପୂର୍ବରୁ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ହେବାନେଇ ଅନିଶ୍ଚିତତା ଦେଖାଦେଇଛି।

Leave A Reply