ପାଣି ପାଇଁ ଗୋଷ୍ଠୀସଂଘର୍ଷ, ୧ ମୃତ ୨୫ ଆହତ
ଔରଙ୍ଗାବାଦ୍: ପାଣି ପାଇଁ ଘଟିଛି ଗୋଷ୍ଠୀସଂଘର୍ଷ। ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉତ୍ତ୍ୟକ୍ତ ଲୋକେ ନିଅାଁ ଲଗାଇଦେବା ଫଳରେ ଅନ୍ୟୁନ ୧୦୦ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି। ମହାରାଷ୍ଟ୍ରର ଔରଙ୍ଗାବାଦ୍ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା। ଶୁକ୍ରବାର ଦିନ ଏକ ଧାର୍ମିକ ଅନୁଷ୍ଠାନକୁ ଦିଆଯାଇଥିବା ପାଣି ସଂଯୋଗ କାଟି ଦିଆଯିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏଥିପାଇଁ ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀକୁ ଦୋଷ ଦେଇଥିଲା। ବିବାଦ କ୍ରମଶଃ ଉଗ୍ର ହୋଇ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଲୋକମାନେ କେତେକ ଦୋକାନକୁ ନିଅାଁ ଲଗାଇଦେଇଥିଲେ। ଅଗ୍ନିକାଣ୍ଡରେ ପ୍ରାୟ ୧୦୦ ଦୋକାନ ଘର ଜଳିଯାଇଛି। ସଂଘର୍ଷକୁ ଆୟତ୍ତ କରିବାକୁ ଯାଇ ପୁଲିସ ଟିୟର ଗ୍ୟାସ୍ ପ୍ରୟୋଗ କରିଥିଲା। ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିବାରୁ ପୁଲିସ୍କୁ ଗୁଳି ଚାଳନା କରିବାକୁ ପଡ଼ିଥିଲା। ପୁଲିସ୍ ଗୁଳିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଂଘର୍ଷରେ ୨୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅଘଟଣ ଆଶଙ୍କାରେ ଅଧିକ ସଂଖ୍ୟକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।