ଅତିରିକ୍ତ ଜିଲାପାଳଙ୍କୁ ବିଜେପି ଜିଲା ସଭାପତିଙ୍କ ଦୁର୍ବ୍ୟବହାର ଅଭିଯୋଗ: ଜିଲାପାଳ ଓ ଏସପିଙ୍କୁ ଫେରାଦ, ଓଏଏସ ସଂଘର ନିନ୍ଦା
ଜିଲା ସଭାପତିଙ୍କ ଅଭିଯୋଗକୁ ଖଣ୍ଡନ

ରାୟଗଡ଼ା: ରାୟଗଡ଼ା ଅତିରିକ୍ତ ଜିଲାପାଳ ନିହାର ରଞ୍ଜନ କହଁରଙ୍କୁ ଜିଲା ବିଜେପି ସଭାପତି ଗୋପୀ ଆନନ୍ଦ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଗୁରୁବାର ଜିଲା ଓଏଏସ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅତିରିକ୍ତ ଜିଲାପାଳ ତଥା ଓଏଏସ ସଂଘର ଜିଲା ସଭାପତି ନବୀନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଏଏସ ସଂଘ ଏହାକୁ ତୀବ୍ର ନିନ୍ଦା କରିବା ସହ ଜିଲା ବିଜେପି ସଭାପତି ଗୋପୀ ଆନନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ବୈଠକ ପରେ ଜିଲାର ସମସ୍ତ ଓଏଏସ ଅଫିସର ମିଳିତ ଭାବେ ଜିଲାପାଳ ପାରୁଲ ପଟ୍ଟାୱରୀ ଓ ଏସପି ସ୍ୱାତି ଏସ.କୁମାରଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇଛନ୍ତି। ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପୁଲିସ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଅତିରିକ୍ତ ଜିଲାପାଳ ଶ୍ରୀକହଁର ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୯, ୧୪, ୧୭ ତାରିଖ ଓ ୨୦ ତାରିଖରେ ତାଙ୍କୁ ଗୋପୀ ଆନନ୍ଦ ଫୋନ୍ କରିବା ସହ ହ୍ୱାଟ୍ସଆପ୍ ଜରିଆରେ ମେସେଜ କରି ବିଭିନ୍ନ ପ୍ରକାର ଅସାମ୍ବିଧାନିକ ଶବ୍ଦ ପ୍ରୟୋଗ କରିଥିଲେ। ୯ ତାରିଖରେ ଜିଲାପାଳ ଓ ଜିଲା ମଙ୍ଗଳ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ପଚାରିବା ସହ ଗୁଣପୁର ଅନ୍ୱେଷା ହଷ୍ଟେଲରେ କଣ ଚାଲିଛି ବୋଲି ପ୍ରଶ୍ନ କରିଥିଲେ। ତୁରନ୍ତ ହଷ୍ଟେଲ ପରିଦର୍ଶନ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ବିଜେପି ସଭାପତି ଗୋପୀ ଆନନ୍ଦ ନିର୍ଦ୍ଦେଶ ଦେଇଥିବା ଅତିରିକ୍ତ ଜିଲାପାଳ ନିଜ ଅଭିଯୋଗରେ ଦର୍ଶାଇଛନ୍ତି।
ସେହିଭଳି ଗତ ୧୪ ତାରିଖରେ ଫୋନ୍ କରି ଏସପି କାହିଁକି ସର୍ବଦା ନିଜ ମୋବାଇଲ ଫୋନ୍ ବନ୍ଦ କରି ରଖୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଯାହାକି ଜଣେ ସରକାରୀ କର୍ମଚାରୀ ଏବଂ ଅତିରିକ୍ତ ଜିଲାପାଳଙ୍କ ଭଳି ଅଫିସରଙ୍କ ପ୍ରତି ଅତ୍ୟନ୍ତ ନିନ୍ଦନୀୟ ବୋଲି ଓଏଏସ ସଂଘ ତରଫରୁ କୁହାଯାଇଛି। ଅଭିଯୋଗ ପାଇବା ପରେ ଉଭୟ ଜିଲାପାଳ ଓ ଏସପି ଘଟଣାର ଅନୁସନ୍ଧାନ କରିବା ସହ ସରକାରୀ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଆରକ୍ଷୀ ଅଧୀକ୍ଷକଙ୍କୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଡେପୁଟି କଲେକ୍ଟରଙ୍କ ସହ ଜିଲା ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଏ ନେଇ ଜିଲ ବିଜେପି ସଭାପତି ଗୋପୀ ଆନନ୍ଦଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ମୁଁ ଜିଲାରେ ହୋଇଥିବା ଦୁ୍ନୀତି ସଂପର୍କରେ ପ୍ରଶ୍ନ କରିବାରୁ ମୋ ବିରେଧରେ ଏଭଳି ଅଭିଯୋଗ ଆଣିଛନ୍ତି। ଆଉ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଏ ନେଇ ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ମଧ୍ୟ ଜଣାଇଛନ୍ତି। ଦଳୀୟ ନିର୍ଦ୍ଦେଶରେ ସେ ଆଗାମୀ ପଦକ୍ଷେପ ନେବେ ବୋଲି କହିଛନ୍ତି।
Comments are closed.