ଏହି ସମୟରେ ସମସ୍ତ ପ୍ରକାର ସହାୟତା ପାଇଁ ଭାରତ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମିଆଁମାର ଓ ଥାଇଲାଣ୍ଡ ଭୂମିକମ୍ପକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ଥିତି ନେଇ ଉଦ୍ବେଗ ପ୍ରକାଶ କରିବାସହ ସମସ୍ତଙ୍କ ସୁରକ୍ଷା କାମନା କରିଛନ୍ତି ମୋଦୀ। ଏହି ସମୟରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ଦୁଇ ଦେଶର ସରକାର ସହ ଯୋଗାଯୋଗରେ ରହିବାକୁ ବୈଦେଶିକ ମନ୍ତ୍ରଣାଳୟକୁ କହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମିଆଁମାରରେ ଶୁକ୍ରବାର ଦୁଇ ଦୁଇ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହି ଝଟ୍କା ଏତେ ଶକ୍ତିଶାଳୀ ଥିଲା ଯେ, ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍ଗ୍କକ୍ ମଧ୍ୟ ଥରି ଉଠିଛି। ପ୍ରଥମ ଝଟ୍କା ଦିନ ୧୧ଟା ୫୦ରେ ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହା ତୀବ୍ରତା ୭.୨ ରେକର୍ଡ଼ କରାଯାଇଛି। ଏହାପରେ ଦ୍ଵିତୀୟ ଥର ପାଇଁ ଦିନ ୧୨ଟାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୭.୦ ରେକର୍ଡ଼ ହୋଇଛି। ଏହି ଭୂକମ୍ପରେ ବର୍ତ୍ତମାନସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି।
ମିଳିଥିବା ସୂଚନା ମୁତାବକ, ଭୂମିକମ୍ପ କାରଣରୁ ମିଆଁମାରର ମାଣ୍ଡଲେରେ ଇରାଓ୍ବଡି ନଦୀ ଉପରେ ଥିବା ଲୋକପ୍ରିୟ ଆଭା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ଭୂକମ୍ପରେ ଅନେକ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ପ୍ରାୟ ୯୦୦ କିଲୋମିଟର ଦୂରରେ ଥିବା ବ୍ୟାଙ୍ଗ୍କକ୍ରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଛି। ବ୍ୟାଙ୍ଗ୍କକ୍ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। କୁହାଯାଉଛି ଯେ, ଚୀନ୍ ଏବଂ ତାଇୱାନର କେତେକ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ବ୍ୟାଙ୍ଗ୍କକ୍ ପୁଲିସର କହିବାନୁସାରେ, ଆଜି ଥାଇ ରାଜଧାନୀରେ ଅନୁଭୂତ ହୋଇଥିବା ୭.୭ ତୀବ୍ରତାର ଭୂମିକମ୍ପରେ ନିର୍ମାଣାଧୀନ ଏକ ଉଚ୍ଚ ଅଟ୍ଟାଳିକା ଭୁଶୁଡି ପଡ଼ିଛି।
Comments are closed.