ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାଙ୍ଗ୍କକ୍ରେ ଭୁଶୁଡ଼ିଲା ଅଟ୍ଟାଳିକା

ନୂଆଦିଲ୍ଲୀ: ମିଆଁମାରରେ ଶୁକ୍ରବାର ଦୁଇ ଦୁଇ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହି ଝଟ୍କା ଏତେ ଶକ୍ତିଶାଳୀ ଥିଲା ଯେ, ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍ଗ୍କକ୍ ମଧ୍ୟ ଥରି ଉଠିଛି। ପ୍ରଥମ ଝଟ୍କା ଦିନ ୧୧ଟା ୫୦ରେ ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହା ତୀବ୍ରତା ୭.୨ ରେକର୍ଡ଼ କରାଯାଇଛି। ଏହାପରେ ଦ୍ଵିତୀୟ ଥର ପାଇଁ ଦିନ ୧୨ଟାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୭.୦ ରେକର୍ଡ଼ ହୋଇଛି।
ମିଳିଥିବା ସୂଚନା ମୁତାବକ, ଭୂମିକମ୍ପ କାରଣରୁ ମିଆଁମାରର ମାଣ୍ଡଲେରେ ଇରାଓ୍ବଡି ନଦୀ ଉପରେ ଥିବା ଲୋକପ୍ରିୟ ଆଭା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ଭୂକମ୍ପରେ ଅନେକ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ପ୍ରାୟ ୯୦୦ କିଲୋମିଟର ଦୂରରେ ଥିବା ବ୍ୟାଙ୍ଗ୍କକ୍ରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଛି। ବ୍ୟାଙ୍ଗ୍କକ୍ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। କୁହାଯାଉଛି ଯେ, ଚୀନ୍ ଏବଂ ତାଇୱାନର କେତେକ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି।
ବ୍ୟାଙ୍ଗ୍କକ୍ ପୁଲିସର କହିବାନୁସାରେ, ଆଜି ଥାଇ ରାଜଧାନୀରେ ଅନୁଭୂତ ହୋଇଥିବା ୭.୭ ତୀବ୍ରତାର ଭୂମିକମ୍ପରେ ନିର୍ମାଣାଧୀନ ଏକ ଉଚ୍ଚ ଅଟ୍ଟାଳିକା ଭୁଶୁଡି ପଡ଼ିଛି। ମୃତାହତ ନେଇ ବର୍ତ୍ତମାନସୁଦ୍ଧା କୌଣସି ସୂଚନା ମିଳିନାହିଁ।
Comments are closed.