ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ ରାସ୍ତା ସଂଯୋଗ ହୋଇପାରିଲା ନାହିଁ। ଏହି ପଡ଼ା ଗାଁ ଗୁଡ଼ିକ କେବଳ ଆଦିବାସୀ ଅଧ୍ୟୁଷିତ ଜିଲାର ନୁହେଁ; ବରଂ ଏଥିରେ ରହିଛି ଉପକୂଳବର୍ତ୍ତୀ ଜିଲାର ଗାଁ। ଉନ୍ନତ ଜିଲା କୁହାଯାଉଥିବା ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲାର କେତେକ ଗାଁକୁ ରାସ୍ତା ନାହିଁ। ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଏବଂ କନ୍ଧମାଳ ଜିଲାର ଶହ ଶହ ଗାଁକୁ ରାସ୍ତା ନିର୍ମାଣ ହୋଇନାହିଁ। ଗାଁକୁ ରାସ୍ତା ନଥିବାରୁ ଗ୍ରାମବାସୀ ସହରକୁ ଆସିବା ନିମନ୍ତେ ବଣଜଙ୍ଗଲ, ହିଡ଼, ନଦୀନାଳ ଏବଂ ପାହାଡ଼ ଦେଇ ପାଦରେ ଚାଲିଚାଲି ଆସୁଛନ୍ତି। ଛୁଆଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ହଇରାଣ ହେଉଛନ୍ତି। ସଡ଼କ ସଂଯୋଗ ନଥିବାରୁ ଏସବୁ ଗାଁ ଗୁଡ଼ିକୁ ମୌଳିକ ସୁବିଧା ପହଞ୍ଚା ଯାଇପାରୁନାହିଁ ା ଗାଁର ପିଲାଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଞ୍ଚି ପାରୁନାହିଁ। କାହାର ରୋଗ ହେଲେ ଗାଁକୁ ଆମ୍ବୁଲାନ୍ସ ପ୍ରବେଶ ନକରିବାରୁ ରୋଗୀ ଖଟିଆରେ ବୁହା ହେଉଛନ୍ତି। କେବେ ସୁଦ୍ଧା ଗାଁଗୁଡ଼ିକରେ ନିତିଦିନିଆ ରାସ୍ତା ତିଆରି କରାଯିବ ତାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ପଞ୍ଚାୟତିରାଜ ବିଭାଗର ତଥ୍ୟ କହୁଛି, ‘କୋର୍ ନେଟୱର୍କ’ ଅନୁଯାୟୀ ରାଜ୍ୟରେ ଅଦ୍ୟାବଧି ୬,୭୦୪ଟି ଗ୍ରାମକୁ ରାସ୍ତା ସଂଯୋଗୀକରଣ କରାଯାଇ ନାହିଁ। ରାୟଗଡ଼ା ଜିଲାରେ ସର୍ବାଧିକ ୮୧୬ଟି ଗାଁକୁ ନିତିଦିନିଆ ରାସ୍ତା ନଥିବା ବେଳେ କୋରାପୁଟ ଜିଲାର ୭୫୯ଟି ଗାଁ ଏବଂ କଳାହାଣ୍ଡି ଜିଲାର ୫୫୪ଟି ଗାଁକୁ ରାସ୍ତା ନାହିଁ। ସେହିପରି ଅନୁଗୋଳ ଜିଲାରେ ୧୪୦ଟି ଗାଁକୁ ରାସ୍ତା ନଥିବା ବେଳେ ବଲାଙ୍ଗିରରେ ୧୦୫, ବାଲେଶ୍ବରରେ ୧୪୧, ବରଗଡ଼ରେ ୭୦, ଭଦ୍ରକରେ ୫୦, ବୌଦ୍ଧରେ ୧୩୨, କଟକରେ ୨୭, ଦେବଗଡ଼ରେ ୧୫୪, ଢେଙ୍କାନାଳରେ ୧୩୧, ଗଜପତିରେ ୩୦୯, ଗଞ୍ଜାମରେ ୧୧୯, ଜଗତସିଂହପୁରରେ ୮, ଯାଜପୁରରେ ୩୦, ଝାରସୁଗୁଡ଼ାରେ ୧୧୬, କନ୍ଧମାଳରେ ୪୦୨, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୨୫୩, ଖୋର୍ଦ୍ଧାରେ ୬୫, ମାଲକାନଗିରିରେ ୫୦୦, ମୟୂରଭଞ୍ଜରେ ୩୩୮, ନବରଙ୍ଗପୁରରେ ୫୦୩, ନୟାଗଡ଼ରେ ୨୯୦, ନୂଆପଡ଼ାରେ ୧୧୫, ପୁରୀରେ ୩, ସମ୍ବଲପୁରରେ ୧୫୮, ସୁବର୍ଣ୍ଣପୁରରେ ୮୫ ଏବଂ ସୁନ୍ଦରଗଡ଼ ଜିଲାର ୩୦୯ଟି ଗାଁକୁ ରାସ୍ତା ନାହିଁ।
ସରକାରଙ୍କ ତଥ୍ୟାନୁଯାୟୀ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ-୪)ର ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲା ପାଇଁ ନୂତନ ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି। ସେହି ପ୍ରସ୍ତାବଗୁଡ଼ିକର ଯାଞ୍ଚ ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ବିକାଶ ସଂସ୍ଥା ଦ୍ବାରା ଚାଲୁ ରହିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତାବଗୁଡ଼ିକ ଅନୁମୋଦନ ହେଲାପରେ ଟେଣ୍ଡର ପ୍ରକ୍ରିୟା କରାଯାଇ କାର୍ଯ୍ୟ ଆରମ୍ଭ ହେବ। ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଜିଲାଗୁଡ଼ିକ ପାଇଁ ଡିପିଆର ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୭୩ଟି ଜନବସତିକୁ ରାସ୍ତା ସଂଯୋଗୀକରଣ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ ୨ଟି ଜନବସତିକୁ ରାସ୍ତା ସଂଯୋଗୀକରଣ କରାଯାଇଛି। ୬୧ଟି ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେେଳ ୩ଟି ଗ୍ରାମକୁ ରାସ୍ତା ସଂଯୋଗୀକରଣ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି। ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲାପରେ ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।



