ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି। ଆବଶ୍ୟକତା ଅନୁସାରେ ନୂଆ ନିଯୁକ୍ତି କରାଯାଉନାହିଁ କିମ୍ବା ପଦୋନ୍ନତି ମାଧ୍ୟମରେ ପଦ ପୂରଣ କରାଯାଉନାହିଁ। ଫଳେର ଗୁଣାତ୍ମକ ଶିକ୍ଷା ପ୍ରଭାବିତ ହେବା ସହ ଗବେଷଣାରେ ବାଧା ସୃଷ୍ଟି ହେଉଛି। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଭଳି ଉଚ୍ଚଶିକ୍ଷାନୁଷ୍ଠାନ ‘ନାକ୍’ ଗ୍ରେଡ୍ ନ ପାଇବା ପଛରେ ଏହା ପ୍ରମୁଖ କାରଣ ହୋଇଥିଲାବେଳେ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା କହୁଛନ୍ତି; କିନ୍ତୁ ଉଚ୍ଚଶିକ୍ଷାନୁଷ୍ଠାନର ଏହି ମୌଳିକ ଅଭାବ ଅସୁବିଧା ପ୍ରତି ଧ୍ୟାନ ନଦେବା ପରିତାପର ବିଷୟ ହୋଇଛି।
ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ୨୭୮ଟି ଅନୁମୋଦିତ ପ୍ରଫେସର ପଦ ରହିଥିଲାବେଳେ ଅଛନ୍ତି ମାତ୍ର ୩୮। ସେଥିରୁ ପଶ୍ଚିମ ଓଡ଼ିଶାର ବିଶ୍ବବିଦ୍ୟାଳୟଗୁଡ଼ିକରେ ଏହି ସଂଖ୍ୟା ଖୁବ୍ କମ୍। ସମ୍ବଲପୁରରେ ମୁଖ୍ୟାଳୟ ଥିବା ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ (ଓସୁ)ରେ ୯ ଅନୁମୋଦିତ ପ୍ରଫେସର ପଦ ଥିଲେ ହେଁ ଏଠାରେ ଜଣେ ହେଲେ ନାହାନ୍ତି। କଳାହାଣ୍ଡିର ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ୧୬ଟି ଅନୁମୋଦିତ ପଦ ଥିଲାବେଳେ ସବୁଗୁଡ଼ିକ ଶୂନ୍ୟ ରହିଛି। ବଲାଙ୍ଗିରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୧୮ଟି ଅନୁମୋଦିତ ପଦ ଥିବାବେଳେ ସେଠାରେ ମଧ୍ୟ ସବୁ ପଦ ଫାଙ୍କା। ସମସ୍ତ ତିନିଟି ନୂତନ ବିଶ୍ବବିଦ୍ୟାଳୟ ପ୍ରଫେସର ଶୂନ୍ୟ ରହିଛି। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୨୩ଟି ଅନୁମୋଦିତ ପ୍ରଫେସର ପଦରୁ ୨ଜଣ କାର୍ଯ୍ୟରତ। ଅନ୍ୟତମ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ଥିତି ମଧ୍ୟ ସମାନ।
ଏଠାରେ ୨୬ଟି ଅନୁମୋଦିତ ପ୍ରଫେସର ପଦ ଥିବାବେଳେ ଅଛନ୍ତି ମାତ୍ର ୬ଜଣ। କେବଳ ପ୍ରଫେସର ପଦ ନୁହେଁ, ଅଧିକାଂଶ ପୂର୍ଣ୍ଣକାଳୀନ ଅଧ୍ୟାପକ ପଦ ମଧ୍ୟ ଖାଲି ରହିଛି। ଅନେକ ବିଭାଗ କେବଳ ଚୁକ୍ତିଭିତ୍ତିକ ଅଥବା ଅସ୍ଥାୟୀ ଅଧ୍ୟାପକ ଭରସାରେ ଚାଲିଛି। କେତେକ କ୍ଷେତ୍ରରେ ଅତିଥି ଅଧ୍ୟାପକ କାମ ଚଳାଉଛନ୍ତି। ଏହାଦ୍ବାରା ବିଶ୍ବବିଦ୍ୟାଳୟର ମୂଳ ଲକ୍ଷ୍ୟ ଗବେଷଣା ଉପରେ ଗୁରୁତର ପ୍ରଭାବ ପଡ଼ୁଛି ବୋଲି ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଅବସରପ୍ରାପ୍ତ ପ୍ରଫେସର କହିଛନ୍ତି। ପ୍ରଫେସରମାନଙ୍କ ଭୂମିକା ବିଶେଷ ଭାବେ ଗବେଷଣା କ୍ଷେତ୍ରେର ମହତ୍ତ୍ବପୂର୍ଣ୍ଣ ଥାଏ। ମୌଳିକ ଗବେଷଣା ପରିଚାଳନା, ଅଧ୍ୟୟନ ଡିଜାଇନ୍, ତଥ୍ୟ ସଂଗ୍ରହ, ନିବନ୍ଧ ପ୍ରକାଶ, ପୁସ୍ତକ ଏବଂ ଶୈକ୍ଷିକ ପ୍ରବନ୍ଧ ଲିଖନ ଆଦି ସେମାନଙ୍କର ପ୍ରମୁଖ କାର୍ଯ୍ୟ ଥାଏ। ତା’ ଛଡ଼ା ପ୍ରବନ୍ଧଗୁଡ଼ିକର ତଦାରଖ, ମାଷ୍ଟର ଏବଂ ପିଏଚଡି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସେମାନଙ୍କ ଦାୟିତ୍ବ। ଏହାବ୍ୟତୀତ ପ୍ରଶାସନିକ ଏବଂ ସାଂଗଠନିକ ଦାୟିତ୍ୱ, ନୈତିକ ବୋର୍ଡ, ଶୈକ୍ଷିକ ପରିଷଦର ନେତୃତ୍ବ, ବିଶ୍ୱବିଦ୍ୟାଳୟ ପାଇଁ ନୀତି ନିର୍ଦ୍ଧାରଣ, ଶିଳ୍ପ କିମ୍ବା ସରକାରଙ୍କ ସହିତ ସହଯୋଗ ଓ ବିଶେଷଜ୍ଞ ଭାବେ ପରାମର୍ଶ ଆଦି ପ୍ରଫେସରଙ୍କ କାର୍ଯ୍ୟ। ବିଶ୍ବବିଦ୍ୟାଳୟଗୁଡ଼ିକରେ ପ୍ରଫେସର ମରୁଡ଼ି ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁରୁତର ପ୍ରଭାବ ପକାଉଥିବା ଦେଖାଯାଉଛି। ତୁରନ୍ତ ଉଚ୍ଚଶିକ୍ଷା କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ହୋଇପଡ଼ିଛି।



