ଓଡ଼ିଆ ଚଳଚ୍ଚିତ୍ର ‘ଆଜିର ରେବତୀ’ର ଅଡିଓ ରିଲିଜ୍, ଏପ୍ରିଲ ୧୧ରେ ଶୁଭମୁକ୍ତି

ଡେସ୍କ: ସମାଜଚେତନା ଭିତ୍ତିକ ଓଡ଼ିଆ ସିନେମା ‘ଆଜିର ରେବତୀ’ ଆସନ୍ତା ୧୧ ଏପ୍ରିଲରେ ମୁକ୍ତିଲାଭ କରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଏହାର ଅଡିଓ ରିଲିଜ୍ ହୋଇଛି। ସବୁ ଗୀତ ଗୁଡିକ ଆଗାମୀ ଦିନରେ ପ୍ରକାଶ ମ୍ୟୁଜିକ୍ ୟୁଟ୍ୟୁବ ଚ୍ୟାନେଲରେ ଦର୍ଶକ ଦେଖିବାକୁ ପାଇବେ।

ଅଡିଓ ରିଲିଜ୍ ଅବସରରେ ‘ଆଜିର ରେବତୀ’ ଚଳଚ୍ଚିତ୍ରର ପ୍ରଯୋଜକ ରମେଶ ବାରିକ, କାହାଣୀକାର ଡ଼. ବଦ୍ରି ମିଶ୍ର, ଚିତ୍ରନାଟ୍ୟ ଏବଂ ସଂଳାପ ଲେଖକ ଶ୍ୟାମା ପ୍ରସାଦ ମିଶ୍ର, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ମୁଖ୍ୟ ଅଭିନେତ୍ରୀ ଶୀତଲ ପାତ୍ର, ଅଭିନେତା ସୁକାନ୍ତ ରଥ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଗୀତିକାର ବାପୁ ଗୋସ୍ୱାମୀ, କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ, ସ୍ୱୟଂ ପାଢ଼ୀ, ସତ୍ୟଜିତ ପ୍ରଧାନ ଏବଂ ସବିଶେଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

କ୍ଷୁଦ୍ର ଗଳ୍ପ ରେବତୀର କାହାଣୀକୁ ନେଇ ଓଡ଼ିଆ ସିନେ ଦୁନିଆର ଅଭିଜ୍ଞ ସଂଳାପକାର ଶ୍ୟାମା ପ୍ରସାଦ ମିଶ୍ର ‘ଆଜିର ରେବତୀ’ ସିନେମାର ସଂଳାପ ରଚନା କରିଛନ୍ତି। ଏ ପର୍ଯ୍ୟନ୍ତ ୨୫ଟି ସିନେମାର ପ୍ରଯୋଜନା କରିଥିବା ଯୁବ ପ୍ରଯୋଜକ ରମେଶ ବାରିକ ‘ଆଜିର ରେବତୀ’ ସିନେମାର ପ୍ରଯୋଜନା କରିଛନ୍ତି। ସଦା ସର୍ବଦା କିଛି ନୁଆ କାହାଣୀ ଦର୍ଶକଙ୍କୁ ଭେଟି ଦେବାକୁ ଚାହୁଁଥିବା ପ୍ରଯୋଜକ ହେଉଛନ୍ତି ରମେଶ ବାରିକ।

ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ଶୁଭ୍ରାଂଶୁ ଦାସ। ଶୁଭ୍ରାଂଶୁ, ମୁମ୍ବାଇକୁ ନିଜର କର୍ମକ୍ଷେତ୍ର କରିଥିଵା ବିଶିଷ୍ଟ ଚିତ୍ର ଉତ୍ତୋଳନକାରୀ ବା ଡାଇରେକ୍ଟର ଅଫ ଫୋଟୋଗ୍ରାଫି ଭାବେ ଅନେକ ଓଡ଼ିଆ, ହିନ୍ଦୀ ଓ ଅନ୍ୟାନ୍ୟ ଭାଷାରେ କାର୍ଯ୍ୟ କରିଛନ୍ତି। ତରଙ୍ଗ ପ୍ରଯୋଜିତ ‘ପୁଷ୍କରା’ ସିନେମାରେ ନିର୍ଦ୍ଦେଶକ ଭାବେ ପ୍ରଥମେ ପାଦ ଦେଇଥିବା ବେଳେ ‘ଆଜିର ରେବତୀ’ର ମଧ୍ୟ ସେ ନିର୍ଦ୍ଦେଶନା ଦେଇଛନ୍ତି। ମହିଳା ସିନେ ଚିତ୍ର ଉତ୍ତୋଳନକାରୀ କୁହୁ ମଲ୍ଲ ‘ଆଜିର ରେବତୀ’ ସିନେମାର ଚିତ୍ରତ୍ତୋଳନ ଦାୟିତ୍ୱ ବହନ କରିଛନ୍ତି।

ଏହି ସିନେମାର ମୁଖ୍ୟ ଭୂମିକାରେ ନାୟିକା ଶୀତଲ ପାତ୍ର, ପୁଷ୍ପା ପଣ୍ଡା, ପୃଥ୍ଵୀରାଜ ନାୟକ, କଲିକତାର ଫିଲ୍ମ ଷ୍ଟାର ବୋନି ସେନଗୁପ୍ତା, ସୁକାନ୍ତ ରଥ, ରବି ମିଶ୍ର ଓ ଉଷଶୀ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି।

ଭାଙ୍ଗି ଯାଉଥିବା ସମାଜକୁ ଗଢି ତୋଳିବା, ଉଜୁଡି ଯାଉଥିବା ସଂସାରକୁ ସଜାଡି ଦେବା ସହିତ ନାରୀ ଶିକ୍ଷାକୁ ନେଇ ଓଡ଼ିଆ ସିନେମା ‘ଆଜିର ରେବତୀ’ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ଏକ ଆନ୍ଦୋଳନ ଓ ବିପ୍ଳବ ସୃଷ୍ଟି କରିବ ବୋଲି ପ୍ରଯୋଜନା ସଂସ୍ଥା କହିଛି। ଆସନ୍ତା ଏପ୍ରିଲ ୧୧ ତାରିଖ ଦିନ ଏହି ଦ୍ବିଭାଷୀ ଚଳଚ୍ଚିତ୍ର ଓଡିଶା ଏବଂ କଲିକତାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କୁହାଯାଇଛି।

Comments are closed.