ଭୁବନେଶ୍ଵର: ବିଶ୍ବବିଦ୍ୟାଳୟ ହେଉଛି ଶିକ୍ଷା ଓ ବୌଦ୍ଧିକ ବିକାଶର କେନ୍ଦ୍ର। ଉତ୍କୃଷ୍ଟ ଶିକ୍ଷା ବ୍ୟବସ୍ଥା ହିଁ ଗୋଟିଏ ଜାତିର ଅର୍ଥନୈତିକ, ସାମାଜିକ ବିକାଶର ଚାବିକାଠି। ଶିକ୍ଷା ହିଁ ମଣିଷ ତିଆରି କରେ ଓ ମଣିଷର ଚିନ୍ତାଧାରାକୁ ବିକଶିତ ଓ ମାର୍ଜିତ କରେ। ବିଶ୍ବବିଦ୍ୟାଳୟଗୁଡ଼ିକ ମଣିଷ ତିଆରି କାରଖାନା। ମାନବ ସମ୍ବଳର ସାମଗ୍ରିକ ବିକାଶ ଓ ଉପଯୁକ୍ତ ବିନିଯୋଗ ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଓଡ଼ିଶାରେ ବିଶ୍ବବିଦ୍ୟାଳୟଗୁଡିକର ସୁପରିଚାଳନା ପାଇଁ ୧୯୮୯ରେ ରାଜ୍ୟ ସରକାର ପ୍ରଥମ ବିଶ୍ୱବିଦ୍ୟାଳୟ ଆଇନ ପ୍ରଣୟନ କରିଥିଲେ। ପରବର୍ତ୍ତୀ ସମୟରେ ଏଥିରେ ଅନେକ ଥର ଆବଶ୍ୟକ ସଂଶୋଧନ କରାଯାଇଛି। ଏହି ଆଇନ ୨୦୨୦ ମସିହାରେ ଓ ପୁନର୍ବାର ୨୦୨୪ ମସିହାରେ ସଂଶୋଧିତ ହୋଇଛି। ଏହି ପ୍ରବନ୍ଧରେ ଆମେ ବିଶ୍ୱବିଦ୍ୟାଳୟ ଆଇନ ୨୦୨୪ରେ ଅଣାଯାଇଥିବା ତିନି ମୁଖ୍ୟ ପରିବର୍ତ୍ତନ ସଂପର୍କରେ ଆଲୋଚନା କରୁଛୁ।
ସିନେଟ୍: ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା ବିଶ୍ବବିଦ୍ୟାଳୟରେ ଶିକ୍ଷା ଏବଂ ଗବେଷଣାର ସର୍ବୋଚ୍ଚ ମାନ ବଜାୟ ରଖିବା ପାଇଁ ସହାୟକ ହୁଏ। ଏହା ପାଠ୍ୟକ୍ରମ, ପରୀକ୍ଷା, ନାମଲେଖା ଏବଂ ଶୈକ୍ଷିକ ସହଯୋଗ ସମ୍ବନ୍ଧୀୟ ନୀତି ପ୍ରସ୍ତୁତ କରେ। ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ କର୍ତ୍ତୃପକ୍ଷ ଭାବରେ, ଏହା ସୁନିଶ୍ଚିତ କରେ ଯେ ଶିକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ସାମୂହିକ ହେଉ ଏବଂ ଅନୁଷ୍ଠାନର ଲକ୍ଷ୍ୟ ଏବଂ ମୂଲ୍ୟବୋଧ, ଜାତୀୟ ଶିକ୍ଷାନୀତିକୁ ପ୍ରତିଫଳିତ କରୁ। ନୂତନ କାର୍ଯ୍ୟକ୍ରମ ଅନୁମୋଦନ, ପାଠ୍ୟକ୍ରମ ସ୍ଥିର କରିବା ଏବଂ ଶୈକ୍ଷିକ ପ୍ରଦର୍ଶନ ଉପରେ ନଜର ରଖିବାରେ ମଧ୍ୟ ସିନେଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାର ଅସ୍ତିତ୍ୱ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସ୍ୱାଧୀନ ଶିକ୍ଷାର ବାତାବରଣ, ଗଣତାନ୍ତ୍ରିକ ଶାସନ ଏବଂ ଉତ୍ତରଦାୟିତ୍ୱର ନୀତିକୁ ନିଶ୍ଚିତ କରାଏ। ଯାହାଦ୍ୱାରା ବିଶ୍ବବିଦ୍ୟାଳୟର ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୁଏ। ୧୯୮୯ ଆଇନ ଅନୁଯାୟୀ ଏଠାରେ ବିଶ୍ୱବିଦ୍ୟାଳୟର ବାର୍ଷିକ ରିପୋର୍ଟ, ଅଡିଟ ରିପୋର୍ଟ ଇତ୍ୟାଦି ଆଲୋଚନା ହୋଇ ଗୃହୀତ ହେବାର ବ୍ୟବସ୍ଥା ଥିଲା। ମୋଟାମୋଟି ବିଶ୍ୱବିଦ୍ୟାଳୟର ବର୍ତ୍ତମାନର ପରିଚାଳନା ଓ ଉନ୍ନତିରେ ସିନେଟ ମୁଖ୍ୟ ଭୂମିକା ନେଉଥିଲା।
ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୨୦୨୦ରେ ଏହି ସିନେଟ ବ୍ୟବସ୍ଥାକୁ ଉଠାଇ ଦିଆଗଲା। ତତ୍କାଳୀନ ସରକାର କୌଣସି କାରଣରୁ ଏହି ସିନେଟ ବ୍ୟବସ୍ଥାକୁ ବାତିଲ କରିଦେଲେ। ମୋଟ ଉପରେ ୨୦୨୦ ଆଇନରେ ବିଶ୍ୱବିଦ୍ୟାଳୟ ଗୁଡିକର ସ୍ୱାୟତ୍ତତାକୁ ହ୍ରାସ କରି ଦିଆଯାଇଥିଲା ବୋଲି ବୁଦ୍ଧିଜୀବୀ ଅଭିଯୋଗ କରନ୍ତି। ନୂଆ ୨୦୨୪ ଆଇନରେ ପୁଣିଥରେ ସିନେଟ ବ୍ୟବସ୍ଥା କୁଳପତିଙ୍କ ସଭାପତିତ୍ୱରେ ଗଠିତ ହୋଇଛି। ଏଥିରେ ଶିକ୍ଷା ବିଭାଗର କର୍ମଚାରୀ, ବିଶ୍ବବିଦ୍ୟାଳୟ ଅଧ୍ୟାପକ, ଜିଲାପାଳ, ଆଡଭୋକେଟ ଜେନେରାଲ, ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ମୁଖ୍ୟମାନେ, ପୁରାତନ ଛାତ୍ରଛାତ୍ରୀ, ବିଶ୍ବବିଦ୍ୟାଳୟ ଅଣଶିକ୍ଷକ କର୍ମଚାରୀ, ଶିକ୍ଷାବିତ୍, ବର୍ତ୍ତମାନ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନର ସଭାପତି, ସମ୍ପାଦକ, ବିଦେଶରେ ରହିଥିବା ଜଣେ ବିଶିଷ୍ଟ ଓଡ଼ିଆ ଇତ୍ୟାଦି ସଭ୍ୟ ରହିବେ। ତା’ଛଡା ସେହି ଅଞ୍ଚଳର ସାଂସଦ ମଧ୍ୟ ସଭ୍ୟ ରହିବେ। ରାଜ୍ୟ ବିଧାନସଭାର ବାଚସ୍ପତି ଚାରିଜଣ ବିଧାୟକଙ୍କୁ ବାଛି ଗୋଟିଏ ବିଶ୍ବବିଦ୍ୟାଳୟର ସିନେଟ ସଭ୍ୟ କରାଇବେ। ମୋଟ ଉପରେ ଏହି ସିନେଟରେ ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ ସରକାର ନିଶ୍ଚିତ କରିଛନ୍ତି ଏବଂ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
କୁଳପତି ମନୋନୟନ ପ୍ରକ୍ରିୟା: କୁଳପତି ହେଉଛନ୍ତି ବିଶ୍ବବିଦ୍ୟାଳୟର ଅନ୍ତରାତ୍ମା। ସେ ନିର୍ଭୀକ, ସେ ବାହ୍ୟ ଚାପର ସମ୍ମୁଖୀନ ହୁଅନ୍ତି, କିନ୍ତୁ ବିଶ୍ୱବିଦ୍ୟାଳୟର ସ୍ବାର୍ଥ ସହିତ ବୁଝାମଣା କରନ୍ତି ନାହିଁ। ୟୁଜିସି (୨୦୧୯) କହନ୍ତି ଯେ ଜାତୀୟ ଶିକ୍ଷାନୀତି ଓ କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର ମୁଖ୍ୟ ହିସାବରେ କାର୍ଯ୍ୟକାରୀ କରିବା କୁଳପତିଙ୍କର ଦାୟିତ୍ବ। ବିଶ୍ବବିଦ୍ୟାଳୟର ଗୁଣାତ୍ମକ ମାନ ବୃଦ୍ଧିରେ କୁଳପତି ମୁଖ୍ୟ ଭୂମିକା ନିର୍ବାହ କରନ୍ତି। ବିଶ୍ବବିଦ୍ୟାଳୟଗୁଡିକର ବୌଦ୍ଧିକ ବିକାଶରେ କୁଳପତି ମାର୍ଗଦର୍ଶକ ହୁଅନ୍ତି। ଉଚ୍ଚଶିକ୍ଷାର ଉତ୍ଥାନ ବା ପତନ ପାଇଁ କୁଳପତି ହିଁ ମୁଖ୍ୟତଃ ଉତ୍ତରଦାୟୀ।
କୁଳପତିମାନେ ହେଉଛନ୍ତି ଉଚ୍ଚଶିକ୍ଷାର ନେତୃତ୍ୱ ବହନକାରୀ। ଠିକ ବ୍ୟକ୍ତିଙ୍କୁ କୁଳପତି ଭାବରେ ମନୋନୟନ କରିବା ଦାୟିତ୍ବ ହେଉଛି ସର୍ଚ୍ଚ କମିଟି ଓ ମନୋନୟନକାରୀ କମିଟିର। ତେଣୁ କୌଣସି ଗୋଟିଏ ବିଶ୍ବବିଦ୍ୟାଳୟର ଉପଲବ୍ଧି (ସଫଳତା ବା ବିଫଳତା) ପାଇଁ ସର୍ଚ କମିଟିର ସଭ୍ୟମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଦାୟୀ। ଏହି କଥା ସୁପ୍ରିମ କୋର୍ଟ ମତ ରଖିଛନ୍ତି। ବିଶ୍ବବିଦ୍ୟାଳୟ କୁଳପତିଙ୍କ ଠିକ୍ ମନୋନୟନ ଓ କୁଳପତିଙ୍କ କାର୍ଯ୍ୟକଳାପ ଖାଲି ବିଶ୍ବବିଦ୍ୟାଳୟକୁ ଲାଭଦାୟକ ହୁଏ ନାହିଁ, ଏହା ଭବିଷ୍ୟତ ରାଷ୍ଟ୍ର ନିର୍ମାଣରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ।
୨୦୨୦ରେ କୁଳପତି ମନୋନୟନ ପ୍ରକ୍ରିୟା ପରିବର୍ତ୍ତନ କରାଯାଇଥିଲା, ଯାହାକୁ ବିରୋଧ କରି ଶିକ୍ଷକ ଓ ବୁଦ୍ଧଜୀବୀମାନେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ତିନିଜଣିଆ ସର୍ଚ୍ଚ କମିଟିରେ ରାଜ୍ୟ ସରକାରଙ୍କ ତରଫରୁ ଦୁଇଜଣ ରହୁଥିଲେ। ଏଥିରେ ୟୁଜିସି ନିୟମର ଉଲ୍ଲଙ୍ଘନ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ୨୦୨୪ ବିଶ୍ୱବିଦ୍ୟାଳୟ ଆଇନରେ ଏକ ତିନିଜଣିଆ କମିଟି ଏହି କୁଳପତି ମନୋନୟନ କଥା ବୁଝିବେ। ଜଣଙ୍କୁ କୁଳାଧିପତି, ଆଉ ଜଣଙ୍କୁ ଚେୟାରମ୍ୟାନ ୟୁଜିସି, ଏବଂ ତୃତୀୟ ସଭ୍ୟଙ୍କୁ ନିର୍ଦିଷ୍ଟ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ବାଛିବେ। ଏହି ତିନିଜଣ ନିଶ୍ଚିତ ବିଶିଷ୍ଟ ବ୍ୟକ୍ତି ହୋଇଥିବେ ଓ ସେହି ବିଶ୍ବବିଦ୍ୟାଳୟ ସହିତ ଜଡିତ ନଥିବେ। ଏହି କମିଟି ଯେଉଁମାନଙ୍କୁ ମନୋନୀତ କରିବେ, ସେମାନଙ୍କ ନାମ କୁଳାଧିପତିଙ୍କ ପାଖକୁ ପଠାଯିବ ଓ ଜଣଙ୍କୁ କୁଳପତି ମନୋନୀତ କରାଯିବ।
ବିଶ୍ବବିଦ୍ୟାଳୟ ଶିକ୍ଷକ ମନୋନୟନ: ୟୁଜିସି ନିୟମାବଳୀକୁ ଆଧାର କରି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ମନୋନୟନ କରାଯିବା ଉଚିତ। ଗୋଟିଏ ବିଶ୍ବବିଦ୍ୟାଳୟ ଏହି ମନୋନୟନ ପ୍ରକ୍ରିୟା ସ୍ୱାଧୀନ ଭାବରେ କରିପାରିବ। ଏହି ବ୍ୟବସ୍ଥା ଓଡ଼ିଶାରେ ମଧ୍ୟ ଥିଲା; କିନ୍ତୁ ୨୦୨୦ରେ ଏହି ଦାୟିତ୍ୱ ଓଡିଶା ରାଜ୍ୟ ଲୋକସେବା ଆୟୋଗକୁ ଦିଆଗଲା। ଏହା ବିଶ୍ବବିଦ୍ୟାଳୟର ସ୍ୱାୟତ୍ତତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲା। ଏହି ମନୋନୟନ ପ୍ରକ୍ରିୟାକୁ ନେଇ ଅନେକ ବାଦାନୁବାଦ ଲାଗି ରହିଲା। ଏହା ଅଧାରୁ ବନ୍ଦ ହୋଇଗଲା।
୨୦୨୪ ଆଇନରେ ପୁଣି ପୁରୁଣା ବ୍ୟବସ୍ଥାକୁ ଲାଗୁ କରାଯାଇଛି। ଅର୍ଥାତ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ୟୁଜିସି ନିୟମ ମାନି ଅଧ୍ୟାପକ ମନୋନୟନ କରିପାରିବେ। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ନିଜର ଉଦ୍ଦେଶ୍ୟ, ଆବଶ୍ୟକତା, ଗବେଷଣାକୁ ପ୍ରୋତ୍ସାହନ, କୌଣସି ବିଭାଗରେ କେଉଁ ବିଶେଷଜ୍ଞ ତାକୁ ଗୁରୁତ୍ୱ ଦିଆଯିବା ଇତ୍ୟାଦିକୁ ନେଇ ବିଶ୍ୱବିଦ୍ୟାଳୟ ଏହି ମନୋନୟନ ପ୍ରକ୍ରିୟା ଶେଷ କରିପାରିବେ। ଅଯଥା ସରକାରୀ ହସ୍ତଷେପ ନ ରହିଲେ କାମଟି କମ୍ ସମୟରେ ସରିଯିବ ଓ ବିକେନ୍ଦ୍ରୀକୃତ ନିଯୁକ୍ତି ଯୋଗ୍ୟତାଭିତ୍ତିକ ମନୋନୟନ, ଉଦ୍ଭାବନ ଏବଂ ଶୈକ୍ଷିକ ଉତ୍କର୍ଷତାକୁ ପ୍ରୋତ୍ସାହିତ କରେ, ଯାହା ବିଶ୍ୱସ୍ତରୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ଗଢ଼ିବାରେ ସହାୟକ ହୁଏ।
ସରକାରୀ ଶିକ୍ଷା ବ୍ୟବସ୍ଥାରେ ଆର୍ଥିକ ଲାଭ ଆଶା ରଖି କରାଯାଇ ନଥାଏ। ଏଥିରେ ନିବେଶ କଲେ ଅଳ୍ପ ସମୟରେ ଏହା ଲାଭ ଦେବ ଭାବିବା ବୋକାମି। ଦେଶର ବିକାଶ ପାଇଁ ଶିକ୍ଷାର ଆବଶ୍ୟକତା କାହାକୁ ଅଜଣା ନୁହେଁ। ସରକାରୀ ବିଶ୍ବବିଦ୍ୟାଳୟଗୁଡିକର ଦୈନନ୍ଦିନ କାର୍ଯ୍ୟରେ ସରକାରୀ ହସ୍ତକ୍ଷେପ ଆଦୌ ପ୍ରଶଂସନୀୟ ନୁହେଁ। ସରକାରୀ ବିଶ୍ବବିଦ୍ୟାଳୟଗୁଡିକ ବର୍ତ୍ତମାନ ଘରୋଇ ବିଶ୍ବବିଦ୍ୟାଳୟ ସହିତ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସରକାରୀ ହସ୍ତକ୍ଷେପ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରଗତିରେ ବାଧକ ହୁଏ; କିନ୍ତୁ ଖୁସିର କଥା ୨୦୨୪ ବିଶ୍ବବିଦ୍ୟାଳୟ ଆଇନରେ କିଛି ଉଚିତ ସଂଶୋଧନ କରାଯାଇଛି ଓ ଆଶା କରାଯାଏ ଏହାଦ୍ୱାରା ବିଶ୍ବବିଦ୍ୟାଳୟ ଉନ୍ନତି ତ୍ୱରାନ୍ୱିତ ହେବ। ସବୁଠାରୁ ବଡ କଥା ହେଉଛି ଉଚ୍ଚମାନର ଉଚ୍ଚ ଶିକ୍ଷା ସବୁ ବର୍ଗର ଲୋକ, ବିଶେଷ କରି ଦରିଦ୍ର ଓ ଅନୁନ୍ନତ ଅଞ୍ଚଳ ଲୋକଙ୍କ ପାଇଁ ଉପଲବ୍ଧ ହେବ। ଲୋକଙ୍କର ବୌଦ୍ଧିକ ବିକାଶ ସହିତ ଅର୍ଥନୈତିକ ବିକାଶ ମଧ୍ୟ ସମ୍ଭବ ହେବ।
ବିଶ୍ଵ ବିଦ୍ୟାଳୟ ଆଇନ୍ : ସ୍ଵାଗତଯୋଗ୍ୟ ପରିବର୍ତ୍ତନ
Popular Categories



