‘୨୦୧୯ ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ’
ଅାହ୍ଲାବାଦ : ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ ବୋଲି ବିଜେପି ସାଂସଦ ରାମବିଳାସ ବେଦାନ୍ତି କହିଛନ୍ତି। ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ଥିବା ଶ୍ରୀ ବେଦାନ୍ତି ରବିବାର କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ଦୃଢପ୍ରତିଜ୍ଞ। ତେଣୁ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏହାର ନିର୍ମାଣ କାମ ଆରମ୍ଭ ହେବ। ବେଦାନ୍ତିଙ୍କ ପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଅନୁରୂପ ଘୋଷଣା କରିଛନ୍ତି। ରାମ ମନ୍ଦିର ନିର୍ମାଣ ବିଜେପିର ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ ଅନ୍ୟତମ। ହିନ୍ଦୁ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବାରେ ବିଜେପିର ଏହି ଘୋଷଣା ବେଶ ସହାୟକ ହୋଇଥିଲା। ତେବେ କ୍ଷମତା ଦଖଲର ୫ବର୍ଷିଆ ଅବଧି ଶେଷ ହେବାକୁ ବସିଥିବାବେଳେ ବିଜେପି ଏହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିପାରି ନାହିଁ। ରାମ ମନ୍ଦିର ନିର୍ମାଣ ହେବାକୁ ଥିବା ଅଯୋଧ୍ୟାର ଜମି ଏବେ ବିବାଦ ମଧ୍ୟରେ ରହିଛି। ବିବାଦୀୟ ୨.୭୭ ଏକର ଜମିକୁ ନେଇ ରାମ ଲାଲା, ନିର୍ମୋହି ଆଖଡା ଓ ସୁନ୍ନି ୱାକଫ ବୋର୍ଡ ମଧ୍ୟରେ ବିବାଦ ଲାଗି ରହିଛି। ଏହି ବିବାଦ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି।