ରେଳଯାତ୍ରୀଙ୍କ ଜିନିଷପତ୍ରରେ କଟକଣା

0

ନୂଆଦିଲ୍ଲୀ : ଏଣିକି ବିମାନ ଭଳି ରେଳଯାତ୍ରୀଙ୍କ ସାମଗ୍ରୀ ପରିବହନ ଉପରେ ଲାଗିବ କଟକଣା। ନିର୍ଦ୍ଧାରିତ ଓଜନ ଠାରୁ ଅତିରିକ୍ତ ଲଗେଜ୍‍ ନେଲେ ଦେବାକୁ ପଡ଼ିବ ଅଧିକ ଅର୍ଥ। ଧରାପଡ଼ିଲେ ଗଣିବାକୁ ହେବ ୬ ଗୁଣ ଜୋରିମାନା। ଦୀର୍ଘ ୩ ଦଶନ୍ଧି ଊର୍ଦ୍ଧ୍ବ ରେଳ ଯାତ୍ରୀଙ୍କ ଜିନିଷପତ୍ର ପରିବହନ ଆଇନ୍‍କୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ଲାଗି ଭାରତୀୟ ରେଳ ନିଷ୍ପତ୍ତି ନେଇଛି। ନିୟମ ଅନୁଯାୟୀ ଜଣେ ସ୍ଲିପରକ୍ଲାସ ଯାତ୍ରୀ ଓ ଦ୍ୱିତୀୟ ଶ୍ରେଣୀଯାତ୍ରୀ ଯଥାକ୍ରମେ ୪୦ ଓ ୩୫ କିଲୋ ଲଗେଜ୍‍ ନେଇପାରିବେ। ଏହାଠାରୁ ଅଧିକ ନେଇ ଧରାପଡ଼ିଲେ ୬ ଗୁଣା ଜୋରିମାନା ଦେବାକୁ ହେବ। ଅବଶ୍ୟ ଏହି ଦୁଇ ଶ୍ରେଣୀର ଯାତ୍ରୀ ଅତିରିକ୍ତ ଅର୍ଥ ପଇଠକରି ଯଥାକ୍ରମେ ୭୦ ଓ ୮୦ କିଲୋ ଓଜନର ଜିନିଷପତ୍ର ଟ୍ରେନ୍‍ ଯାତ୍ରାବେଳେ ନେଇପାରିବେ। ଏଥିପାଇଁ ଯାତ୍ରୀଙ୍କୁ ଅତିରିକ୍ତ ସାମଗ୍ରୀ ଭଡ଼ା ଅର୍ଥ ପାର୍ସଲ ଅଫିସ୍‍ରେ ଦାଖଲ କରିବାକୁ ପଡ଼ିବ। ଏପରିକି ଏହି ଅତିରିକ୍ତ ସାମଗ୍ରୀ ଲଗେଜ୍‍ ଭ୍ୟାନ୍‍ରେ ଯିବ। ଏହି ନିୟମ ରେଳବାଇ ବ୍ୟବସ୍ଥାରେ ପୂର୍ବରୁ ରହିଛି। ତେବେ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଉଦାହରଣ ସ୍ୱରୂପ ଯଦି ଜଣେ ଯାତ୍ରୀ ସ୍ଲିପର ଶ୍ରେଣୀରେ ୮୦ କିଲୋ ଓଜନର ଜିନିଷପତ୍ର ନେଇ ୫୦୦ କିମି ଯାତ୍ରା କରୁଥାନ୍ତି ତେବେ ତାଙ୍କୁ ଅତିରିକ୍ତ ୪୦ କିଲୋ ଓଜନର ସାମଗ୍ରୀ ପରିବହନ ପାଇଁ ୧୦୯ ଟଙ୍କା ଦେବାକୁ ପଡ଼ିବ। ଯଦି ଏଥିପାଇଁ ଦେୟ ଦେଇନଥାନ୍ତି ଓ ଧରାପଡ଼ନ୍ତି ତେବେ ତାଙ୍କୁ ୬୫୪ ଟଙ୍କା ଜୋରିମାନା ଅର୍ଥ ଗଣିବାକୁ ପଡିବ। ଅନୁରୂପ ଭାବେ ବାତାନୁକୁଳ ପ୍ରଥମଶ୍ରେଣୀ ଯାତ୍ରୀଙ୍କ ପାଇଁ ମାଗଣା ୭୦ କିଲୋ ଜିନିଷ ନେବା ବ୍ୟବସ୍ଥା ରହିଛି। ଏହି ଟିକଟରେ ଜଣେ ସର୍ବାଧିକ ୧୫୦ କିଲୋ ନେଇପାରିବେ। ତେବେ ଏଥିପାଇଁ ଅତିରିକ୍ତ ୮୦ କିଲୋ ଓଜନ ପାଇଁ ତାଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ। ଅନୁରୂପ ଭାବେ ଏସି ଟୁ-ଟାୟାର ଯାତ୍ରୀଙ୍କ ପାଇଁ ୫୦ କିଲୋ ମାଗଣା, ସର୍ବାଧିକ ୧୦୦ କିଲୋ ଓଜନର ସାମଗ୍ରୀ ନେଇ ୫୦ କିଲୋର ଅତିରିକ୍ତ ଦେୟ ଦେବାକୁ ପଡ଼ିବ।

Leave A Reply