ରାଘବ ଚଢ଼ା ରାଜ୍ୟସଭାରୁ ନିଲମ୍ବିତ
ନୂଆଦିଲ୍ଲୀ : ଆମ୍ ଆଦ୍ମୀ ପାର୍ଟି (ଆପ୍) ସଦସ୍ୟ ରାଘବ ଚଢ଼ାଙ୍କୁ ଶୁକ୍ରବାର ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ସ୍ବାଧିକାର କମିଟି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ରିପୋର୍ଟ ଦେବା ପର୍ଯ୍ୟନ୍ତ ତାଙ୍କ ନିଲମ୍ବନ ବଳବତ୍ତର ରହିବ। ଦିଲ୍ଲୀ ସେବା ବିଧେୟକ ସମ୍ପର୍କିତ ଏକ ଦସ୍ତାବିଜ୍ରେ ରାଘବ ଗତ ୭ ତାରିଖରେ ସେମାନଙ୍କ ଦସ୍ତଖତ ଜାଲ୍ କରିଥିବା ଓ ସମ୍ମତି ବିନା ସେମାନଙ୍କ ନାମ ଉଲ୍ଲେଖ କରିଥିବା ୪ ସାଂସଦଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏ ନେଇ ସମ୍ପୃକ୍ତ ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କୁ ଅଭିଯୋଗ କରିଥିଲେ। ଅଧ୍ୟକ୍ଷ ଏହାକୁ ବୁଧବାର ସ୍ବାଧିକାର କମିଟିକୁ ବିଚାର ପାଇଁ ପଠାଇଥିଲେ। ଏହାର ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅଧ୍ୟକ୍ଷ ଶୁକ୍ରବାର ରାଘବଙ୍କୁ ନିଲମ୍ବିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସାଂସଦ ସସ୍ମିତ ପାତ୍ର, ଏସ୍ ଫାଙ୍ଗନନ୍ କୋନ୍ୟାକ୍, ଏମ୍. ଥାମ୍ବିଦୁରାଇ ଓ ନରହରି ଅମିନ ଉପରୋକ୍ତ ଅଭିଯୋଗ କରିଥିଲାବେଳେ ରାଘବଙ୍କୁ ନିଲମ୍ବନ ପ୍ରସ୍ତାବ ମନ୍ତ୍ରୀ ପୀୟୂଷ ଗୋୟଲ ଆଗତ କରିଥିଲେ। ଅପରପକ୍ଷରେ ଆପ୍ ପକ୍ଷରୁ କୁହାଯାଇଛି ଯେ ସାଂସଦମାନଙ୍କ ଅଭିଯୋଗ ପାଇଁ ରାଘବଙ୍କୁ ନିଲମ୍ବନ କରାଯାଇନାହିଁ; ବରଂ ଏହା ପଛରେ ଅନ୍ୟ ରାଜନୈତିକ କାରଣ ରହିଛି।
Comments are closed.