ଭାରତ ଗଣତନ୍ତ୍ରର ଜନନୀ

ନୂଆଦିଲ୍ଲୀ : ୭୭ତମ ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମ୍ପ୍ରତିକ ପରିବେଶରୁ ଊର୍ଦ୍ଧ୍ବକୁ ଯାଇ ଦେଶବାସୀ ସ୍ବାଧୀନତା ଦିବସ ପାଳନ କରିବାକୁ ନେଇ ରାଷ୍ଟ୍ରପତି ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ। ପ୍ରାଚୀନ କାଳରୁ ଭାରତର ତୃଣମୂଳସ୍ତରରୁ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡିକ କାର୍ଯ୍ୟ କରିଆସୁଥିଲା। ମାତ୍ର ଦୀର୍ଘ ବର୍ଷର ଉପନିବେଶବାଦ ଶାସନ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନଷ୍ଟ କରିଦେଇଥିଲା। ୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ଏକ ନୂଆ ସକାଳ ଦେଖିଲା। ଏହି ଦିନ ଆମେ ବିଦେଶ ଶାସନରୁ ମୁକ୍ତ ହେବା ସହିତ ଆମେ ଆମର ଭାଗ୍ୟ ଓ ଭବିଷ୍ୟତ ଲେଖିବାର ସ୍ବାଧୀନତା ପାଇଲୁ। ଏକ ମହାନ୍ ଗଣତନ୍ତ୍ରର ଅଂଶବିଶେଷ ଭାବେ ଆମେ ଆମ ସ୍ୱାଧୀନତା ଦିବସ ପାଳନ କରୁଛୁ। ଆମ ପ୍ରତ୍ୟେକଙ୍କର ଅନେକ ପରିଚୟ ରହିଛି। ଜାତି, ଧର୍ମ, ମତ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଆମେ ଆମ ପରିବାର ଓ ବୃତ୍ତି ସହିତ ସମ୍ପୃକ୍ତ। ମାତ୍ର ଏସବୁ ସତ୍ତ୍ବେ ଆମ ସମସ୍ତଙ୍କର ଗୋଟିଏ ମାତ୍ର ପରିଚୟ ହେଲା, ଆମେ ସମସ୍ତେ ଭାରତୀୟ, ଭାରତର ନାଗରିକ। ପ୍ରତ୍ୟେକ ନାଗରିକ ଦେଶ ଆଗରେ ସମାନ। ଆମ ସମସସ୍ତଙ୍କ ପାଇଁ ସମାନ ସୁବିଧା ଉପଲବ୍ଧ। ଏହି ଭୂମିରେ ଆମ ସମସ୍ତଙ୍କର ଅଧିକାର ଓ କର୍ତ୍ତବ୍ୟ ସମାନ। ସତ୍ୟ ଓ ଅହିଂସା-ଯାହା ଭାରତର ଜାଜୁଲ୍ୟମାନ ଉଦାହରଣ ଥିଲା ତାହାକୁ ଅନୁକରଣ କରି ବିଶ୍ୱର ଅନେକ ଭାଗରେ ରାଜନୀତିକ ସଂଗ୍ରାମ ଆରମ୍ଭ ହେଲା ଓ ସେମାନେ ଏଥିରେ ଆମ ଭଳି ମଧ୍ୟ ସଫଳ ହେଲେ। ରାଷ୍ଟ୍ରପତି କହିଛନ୍ତି ଯେ ସମଗ୍ର ବିଶ୍ୱରେ ମାନବୀୟ ଓ ବିକାଶ ସଂକ୍ରାନ୍ତ ଲକ୍ଷ୍ୟ ହାସଲ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଜି-୨୦ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ମଞ୍ଚର ନେତୃତ୍ୱ ଭାରତ ଏବେ ନେଉଛି। ଭାରତର ଅର୍ଥନୀତି କେବଳ ସୁଦୃଢ ହୋଇନାହିଁ ମହାମାରୀର ଅସ୍ଥିର ସମୟରେ ଏହା ଅନ୍ୟ ଦେଶଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛି। ଭାରତ ମହାମାରୀ ସମୟର ସମସ୍ୟାବଳୀକୁ ବେଶ୍ ଦକ୍ଷତାର ସହିତ ସୁଯୋଗରେ ପରିଣତ କରିପାରିଥିଲା। ଏହା ଫଳରେ ଏକ ଅସ୍ଥିର ସମୟରେ ଆମେ ନିରାପଦରେ ଆମ ଲକ୍ଷ୍ୟ ହାସଲ କରିପାରିଲୁ। କରୋନା ମହାମାରୀ ପରେ ବିଶ୍ୱର ସବୁ ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ହାର
ସର୍ବାଧିକ ଥିଲା। ଏହା ଏ କ୍ଷେତ୍ରରେ ଏକ ରେକର୍ଡ। ଆମର ଅନ୍ନଦାତା, ଚାଷୀମାନେ ଆମ ଅର୍ଥନୀତିର ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ସମଗ୍ର ରାଷ୍ଟ୍ର ସେମାନଙ୍କ ପାଖରେ ଋଣୀ। ବୈଶ୍ୱିକ ସ୍ତରରେ ମୁଦ୍ରାସ୍ଫୀତି ଏବେ ଚିନ୍ତାର କାରଣ ପାଲଟିଛି। ମାତ୍ର ଭାରତରେ ଉଭୟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମିଳିତ ଭାବେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାକୁ ସଫଳ ହୋଇଛନ୍ତି। ଉଚ୍ଚ ମୁଦ୍ରାସ୍ଫୀତି ଜନିତ ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ରଖିବାରେ ଆମ ସରକାର ସଫଳ ହେବା ଉଲ୍ଲେଖଯୋଗ୍ୟ। ଏହି ସମୟରେ ଦେଶର ଗରିବମାନଙ୍କୁ ବ୍ୟାପକ ନିରାପତ୍ତା ଓ ସୁରକ୍ଷା ଯୋଗାଇ ଦିଆଯାଉଛି। ବୈଶ୍ୱିକ ଅର୍ଥନୀତି ଅଭିବୃଦ୍ଧି ପାଇଁ ସମଗ୍ର ପୃଥିବୀ ଭାରତକୁ ଚାହିଁଛି।
ଦ୍ୱିମୁଖୀ ରଣନୀତି ଯୋଗୁଁ ଦେଶର ଅର୍ଥନୀତିକ ବିକାଶ ପ୍ରକ୍ରିୟା ଆଗେଇ ଚାଲିଛି। ଗୋଟିଏ ପଟେ ନିଯୁକ୍ତି ସୃଷ୍ଟି, ପୁଞ୍ଜିନିବେଶ ଓ ଉଦ୍ୟୋଗିତାକୁ ବଢାଇବା ପାଇଁ ସରକାର ବ୍ୟବସାୟ ବାଣିଜ୍ୟକୁ ପ୍ରୋତ୍ସାହିତ କରୁଥିବାବେଳେ ଅନ୍ୟ ପଟରେ ଦେଶର ପ୍ରତ୍ୟେକ ଅଭାବୀ ଓ ଅସହାୟ ଲୋକଙ୍କୁ ବିବିଧ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ସେମାନଙ୍କ ଦୁଃଖ ଲାଘବ କରୁଛନ୍ତି। ବଞ୍ଚିତ ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ଆମ ସରକାରଙ୍କ ନୀତିରେ ଅଗ୍ରାଧିକାର ପାଇଛି। ବିଭିନ୍ନ ଜନକଲ୍ୟାଣ ଓ ଗରିବ ନିରାକରଣ କାର୍ଯ୍ୟକ୍ରମ ଫଳରେ ଦେଶର ବହୁ ଲୋକ ଦରିଦ୍ରରୁ ଉପରକୁ ଉଠିଛନ୍ତି। ସେହିଭଳି ଆଦିବାସୀମାନଙ୍କ ବିକାଶ ପାଇଁ ସରକାର ନାନାବିଧ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ବିକାଶ ଯାତ୍ରାରେ ସାମିଲ ହେବାକୁ ସେମାନଙ୍କୁ ଉତ୍ସାହିତ କରାଯାଉଛି। ନିଜର ପରମ୍ପରାକୁ ଆହୁରି ସମୃଦ୍ଧ କରିବା ସହିତ ଆଧୁନିକତାକୁ ଗ୍ରହଣ କରିବାକୁ ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ରାଷ୍ଟ୍ରପତି ନିବେଦନ କରୁଛନ୍ତି।
ରାଷ୍ଟ୍ରପତି କହିଛନ୍ତି ଯେ ସାମାଜିକ ସଶକ୍ତୀକରଣ ପାଇଁ ଶିକ୍ଷା ସବୁଠୁ ବଡ଼ ଅସ୍ତ୍ର। ୨୦୨୦ର ନୂଆ ଜାତୀୟ ଶିକ୍ଷା ନୀତି ଏ କ୍ଷେତ୍ରରେ ତାହାର ପ୍ରଭାବ ପ୍ରଦର୍ଶନ କଲାଣି। ନୂଆ ଶିକ୍ଷାନୀତି ଦ୍ବାରା ଶିକ୍ଷଣ ପ୍ରକ୍ରିୟା ଅଧିକ ନମନୀୟ ହୋଇଛି। ଏହି ଦୂରଦୃଷ୍ଟି ସମ୍ପନ୍ନ ନୀତି ପ୍ରାଚୀନ ମୂଲ୍ୟବୋଧକୁ ଆଧୁନିକ କୌଶଳ ଓ ଦକ୍ଷତା ସହିତ ମିଶାଇ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ। ଏହା ଫଳରେ ଦେଶର ଏକ ବିରାଟ ପରିବର୍ତ୍ତନ ଆସିବ। ଭାରତୀୟ ମହାକାଶ ସଂଗଠନ ନୂଆ ସୋପାନ ଛୁଇଁଛି ଏବଂ ବିଚକ୍ଷଣତାର ଉତ୍କର୍ଷ ସ୍ଥାପନ କରିଛି। ଚଳିତ ବର୍ଷ ଚନ୍ଦ୍ରଯାନ-୩ ମହାକାଶକୁ ଛଡାଯାଇଛି, ଯାହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିସାରିଛି। ଏହାର ବିକ୍ରମ ନାମକ ଲ୍ୟାଣ୍ଡର ଓ ପ୍ରଜ୍ଞାନ ନାମକ ରୋଭର୍ ଆଉ କିଛିଦିନ ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ରାଷ୍ଟ୍ରପତି କହିଛନ୍ତି ମହିଳାମାନଙ୍କ ଅନୁକମ୍ପା ଅଧିକ ମହତ୍ତ୍ବପୂର୍ଣ୍ଣ ଓ ନିବିଡ। ମାନବ ସମାଜ ଯେତେବେଳେ ରାସ୍ତା ଭୁଲିଯାଏ, ମହିଳାମାନଙ୍କ ଅନୁକମ୍ପା ରାସ୍ତା ଦେଖାଏ। ଆମ ଦେଶ ନୂଆ ସଂକଳ୍ପ ସହ ଅମୃତକାଳରେ ପ୍ରବେଶ କରିଛି। ୨୦୪୭ ସୁ୍ଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଦେଶ ଆଗେଇ ଚାଲିଛି। ଆସନ୍ତୁ ଆମେ ସମସ୍ତେ ନିଜ ନିଜର ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ନିଭାଇବା ପାଇଁ ପ୍ରତିଜ୍ଞା କରିବା ତଥା ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ସବୁକ୍ଷେତ୍ରରେ ଉତ୍କର୍ଷ ହାସଲ ନିମନ୍ତେ ଆଗକୁ ବଢ଼ିବା ଲାଗି ସବୁପ୍ରକାର ଚେଷ୍ଟା କରିବା। ଫଳରେ ଆମ ଦେଶ ନିରନ୍ତର ବିକାଶ ହାସଲ କରିବା ସଙ୍ଗେ ସଙ୍ଗେ ଆମର କର୍ମକୁଶଳତା ଓ ଅଭିଜ୍ଞତାକୁ ନୂଆ ସୋପାନରେ ପହଞ୍ଚିପାରିବା।

Comments are closed.