ଷ୍ଟେଚରରେ ବୁହାହେଲେ ଗର୍ଭବତୀ, ଭରା ନଈ ପାର କଲେ ଚାରି ଯୁବକ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ତଳ ସାଜା ଗାଁର ଜଣେ ଗର୍ଭବତୀଙ୍କୁ ଷ୍ଟେଚର ସାହାଯ୍ୟରେ ଭରା ନଈ ପାର କଲେ ଚାରି ଯୁବକ । ଉକ୍ତ ଗ୍ରାମରେ ବର୍ଷ ବର୍ଷ ଧରି ଗର୍ଭବତୀ, ରୋଗୀ ଓ ଶିଶୁମାନଙ୍କୁ ବହି ନେବା ଦେଖିବାକୁ ମିଳୁଛି । ସ୍ଵାଧୀନତାର ୭୭ବର୍ଷ ପାଳନ ଶେଷ ହୋଇଗଲା। କିନ୍ତୁ ସର୍ବନିମ୍ନ ସୁବିଧା ଆଜିଯାଏଁ  ଏମାନଙ୍କ ଭାଗ୍ୟରେ ଜୁଟି ପାରିଲା ନାହିଁ କି ସରକାରଙ୍କର ଚେତା ପଡିଲା ନାହିଁ। ଗତ ୨୦୧୮ ମସିହାରେ ନାଗାବଳୀ ନଦୀରେ ବଢି ପାଣିରେ ଟ୍ୟୁବ୍ ମାଧ୍ୟମରେ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀ ପାର ଖବର  ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚହଳ ପଡିତିଲା ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲା। କିନ୍ତୁ ଆଜିଯାଏ ପୋଲ କି ଭଲ ରାସ୍ତା ଖଣ୍ଡିଏ ଏହି ଗାଁକୁ ହୋଇ ପାରିଲା ନାହିଁ। ଏମିତି ଅନେକ ମହିଳା ଓ ଶିଶୁଙ୍କୁ ବୋହି ନେବାକୁ ପଡୁଛି। ଗୁରୁବାର ସକାଳ ତଳସଜା ଜୟରାମ ମିଣିଆକାଙ୍କ ଗର୍ଭବତୀ ସ୍ତ୍ରୀ  କବିତା ମିଣିଆକା ଗର୍ଭ ଯନ୍ତ୍ରଣାରେ ଛଟ ପଟ ହେଉଥିବା ପରିବାର ଲୋକେ ଦେଖିଥିଲେ। ପରେ ଗ୍ରାମର ଲୋକଙ୍କୁ ଜଣାଇବା ପରେ ଗ୍ରାମର ଚାରି ଯୁବକ  ମିତେଶ ମିଣିଆକା, ମାଲେସ ରାଓ ମିଣିଆକା, ଦାମୋଦର ମିଣିଆକା, ରବି ମିଣିଆକା ସହିତ ପରିବାର ଲୋକେ ମିଶି ଏକ ଷ୍ଟେଚରରେ ଦୁଇ କିମି ବୋହି ଆଣି ଜୀବନକୁ ପାଣି ଛଡାଇ ନାଗାବଳୀ ନଦୀ ପାର ହୋଇ ମୁଖ୍ୟ ରାସ୍ତା କୁ ନେବାପରେ (ରୋଗିବୁହା ଯାନ) ଆମ୍ବୁଲାନ୍ସ ଦ୍ଵାରା ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ବର୍ତ୍ତମାନ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଭଲ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।

Comments are closed.