ଫିଟୁଛି ପିଏନ୍ବି ବ୍ୟାଙ୍କ ଦୁର୍ନୀତିର ଗୁମର
ନୂଆଦିଲ୍ଲୀ: ପ୍ରାୟ ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାଶ୍ନାଲ୍ ବ୍ୟାଙ୍କ ଦୁର୍ନୀତିର ତଦନ୍ତ ଆରମ୍ଭ ହେବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ମୁମ୍ବଇର ଶାଖା ପରିଚାଳକ ଗୋକୁଳନାଥ ସେଟ୍ଟୀ ଏହି ଦୁର୍ନୀତିର ପ୍ରମୁଖ କାର୍ପଟ୍ଦାର ବୋଲି ଜଣାପଡ଼ିଛି। ସର୍ବନିମ୍ନ ୧୦ ଲକ୍ଷ ଟଙ୍କାରୁ ସର୍ବାଧିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିବାର ଅଧିକାର ଗୋକୁଳନାଥଙ୍କୁ ଦିଆଯାଇଥିଲେ ହେଁ ସେ ୧ କୋଟି ଟଙ୍କାରୁ ଅଧିକ ପରିମାଣର କାରବାର କରୁଥିଲେ। ଏଭଳି ସେ ୧୩,୫୦୧ଟି କାରବାର କରିଥିବା ଜଣାପଡ଼ିଛି। ଏପରିକି ଅବସର ନେବା ପରେ ମଧ୍ୟ ସେ ବ୍ୟାଙ୍କ କାରବାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ। ତାଙ୍କ ତଳିଆ ପାହ୍ୟାର ଅଧିକାରୀଙ୍କୁ ଅନେକ ସୁବିଧା ସୁଯୋଗ ଓ ଅଧିକାର ଦିଆଯାଇଥିଲା, ଯାହା ଫଳରେ ସେଟ୍ଟୀଙ୍କ କାରନାମାକୁ ସେ ସହଜରେ ଗୋପନ ରଖି ପାରୁଥିଲେ।
ବ୍ୟାଙ୍କ କାରବାର ସମୟ ପରେ ସନ୍ଧ୍ୟା ୮ଟାରୁ ୯.୩୦ ମଧ୍ୟରେ ସେ ଦେଣନେଣ କାରବାର ଅନ୍ଲାଇନ୍ ମାଧ୍ୟମରେ କରୁଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ ସେ ଛୁଟିରେ ଥିବା ବେଳେ ତାଙ୍କ ପାସ୍ୱାର୍ଡ ଅନ୍ୟଜଣେ ବ୍ୟବହାର କରି ଟଙ୍କା କାରବାର କରିପାରୁଥିଲେ। ଶ୍ରୀସେଟ୍ଟୀଙ୍କୁ ତିନି ତିନି ଥର ବଦଳି କରାଯାଇଥିଲେ ମଧ୍ୟ ସେ ସବୁଥର ବଦଳି ବାତିଲ୍ କରିବାରେ ସକ୍ଷମ ହୋଇଥିଲେ। କେତେକ ଉଚ୍ଚପଦସ୍ଥ ଅଧିକାରୀଙ୍କ କ୍ଷମତାକୁ ମଧ୍ୟ ସେ ଉପଭୋଗ ଓ ଉପଯୋଗ କରିଆସୁଥିଲେ। ପ୍ରାୟ ୧୪୩ ଥର ସେ ନିରବ ମୋଦିଙ୍କୁ ବେନିୟମ କାରବାର ପାଇଁ ସହାୟତା କରିଥିଲେ। ଏହା ସାହାଯ୍ୟରେ ନିରବ ମୋଦି ୩ ହଜାର କୋଟି ଟଙ୍କା ଠକି ନେଇଥିଲେ।