ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢାଉ

0

ପିପିଲି : ପିପିଲି ଥାନା ଅନ୍ତର୍ଗତ ଓଡାଳାଙ୍ଗ ଗ୍ରାମରେ ବେଆଇନ ଭାବେ ବାଣ ତିଆରି କରାଯାଉଥିବା ଏକ ବାଣ କାରଖାନା ଉପରେ ପିପିଲି ପୁଲିସ ଶୁକ୍ରବାର ସଂନ୍ଧ୍ୟାରେ ଚଢାଉ କରି ବିପୁଳ ପରିମାଣର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି। ଚଢାଉ ସମୟରେ ପୁଲିସ ଏଏସ୍‍ଆଇ ବିନୟ କୁମାର ଦାସଙ୍କ ଉପରକୁ କାରଖାନାର ମାଲିକ କୁହାଯାଉଥିବା ବ୍ୟକ୍ତି ଏକ ବଡ ଶୁନଫୋଟକା(ବାଡିଆ ବାଣ) ଫୋପାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ସୌଭାଗ୍ୟବସତଃ ଉକ୍ତ ବାଣଟି ନଫୁଟିବାରୁ ପୁଲିସ ଏଏସ୍‍ଆଇ ଜଣଙ୍କ ବିପଦରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ତେବେ ବାଣ ପ୍ରସ୍ତୁତରେ ନିୟୋଜିତ ଜଣେ ଯୁବକକୁ ପୁଲିସ ଘଟଣା ସ୍ଥଳରୁ ଗିରଫ କରିବାରେ ସକ୍ଷମ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ହାଟସାହି ପଞ୍ଚାୟତ ଅନ୍ତର୍ଗତ ଓଡାଳଙ୍ଗ ଗ୍ରାମରେ ବେଆଇନ ଭାବେ ବାଣ ତିଆରି କରାଯାଉଥିବା ସମ୍ପର୍କରେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଆଇଆଇସି ଶରତ କୁମାର ସାହୁଙ୍କ ନେତୃତ୍ୱରେ ଏଏସ୍‍ଆଇ ବିନୟ କୁମାର ଦାସ, ହୋମଗାର୍ଡ ଶ୍ରୀଧର ସ୍ୱାଇଁ ପ୍ରମୁଖ ଓଡାଳଙ୍ଗ ଗ୍ରାମରେ ଚଢାଉ କରିଥିଲେ। ଦୁଇଟି ଅବ୍ୟବହୃତ ଘର ମଧ୍ୟରେ ବାଣ ତିଆରି ଚାଲିଥିବା ବେଳେ ପୁଲିସ ସେଠାରେ ଚଢାଉ କରିଥିଲା। ତେବେ ଉକ୍ତ ବେଆଇନ ବାଣ କାରଖାନାର ମୁଖ୍ୟ କୁହାଯାଉଥିବା ଦୁଃଶାସନ ନାମକ ବ୍ୟକ୍ତି ହଠାତ ପୁଲିସ ଏଏସ୍‍ଆଇ ବିନୟ କୁମାର ଦାସଙ୍କ ଉପରକୁ ଏକ ବଡ ଶୁନଫୋଟକା(ବାଡିଆବାଣ) ଫୋପାଡି ଥିଲା। ଉକ୍ତ ବାଣଟି ଶ୍ରୀଦାସଙ୍କ ଡାହାଣ ହାତରେ ମାଡ ହୋଇ ତଳେ ପଡିଥିବା ବେଳେ ତାହା ଫୁଟିନଥିଲା। ଏଥିରେ ଶ୍ରୀଦାସଙ୍କ ହାତରେ ଆଘାତ ଲାଗିଥିଲା। ବାଣ ଫୋପାଡିବା ପରେ ଦୁଃଶାସନ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ତେବେ ସେଠାରେ ବାଣ ପ୍ରସ୍ତୁତ କାର୍ଯ୍ୟରେ ନିୟୋଜିତ ଥିବା ବଳଙ୍ଗା ଥାନା ଅଞ୍ଚଳର ପ୍ରଶାନ୍ତ ବେହେରା(୧୮)କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ପୁଲିସ ସେଠାରୁ ବହୁ ପରିମାଣର ବାଣ ପ୍ରସ୍ତୁତରେ ବ୍ୟବହୃତ ବାରୁଦ, କେମିକାଲ ପାଉଡର, ପ୍ରଚୁର ପରିମାଣର ବାଣ, ପାଇପ ଆଦି ଜବତ କରିଛି। ଫେରାର ଥିବା ଦୁଃଶାସନକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Leave A Reply