ପିପିଲି ଟୋଲ୍ ପ୍ଲାଜାରେ ଅସମ୍ଭାଳ ଭିଡ
ପିପିଲି : ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଭକ୍ତଙ୍କ ମଧ୍ୟ ବ୍ୟଗ୍ରତା। କାଲି ବଡଦାଣ୍ଡ ପାଲଟିଥିଲା ଜନ ସମୁଦ୍ର। ଗଲା କେତେ ଦିନ ହେଲା ପୁରୀରେ ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି। ଭିଡ ନିୟନ୍ତ୍ରଣ କରିବାକୁ ପୁଲିସ୍ ପୁରା ନାକେଦମ୍ ହୋଇପଡିଛି। ଗତକାଲି ପୁରୀକୁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ଆସିଥିବାରୁ ନୀତିକାନ୍ତିରେ ସମନ୍ବୟ ରଖା ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ଜାରି ରହିଥିଲା। ପିପିଲି ଟୋଲ ଗେଟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ନୂଆବର୍ଷ ପାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇ ପୁରୀରୁ ହଜାର ହଜାର ଗାଡି ଫେରୁଥିବାରୁ ପିପିଲି ଟୋଲ ଗେଟରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଥିଲା। ଟୋଲ ଗେଟରେ ଫାଷ୍ଟ ଟ୍ୟାଗ୍ର ବ୍ୟବସ୍ଥା ଥିଲେ ମଧ୍ୟ ଏତେ ସଂଖ୍ୟକ ଗାଡି ଆସୁଥିବାରୁ ଜାମ୍ ଲାଗି ରହିଥିଲା। ଘଟରାସ୍ଥଳରେ ପିପିଲି ପୁଲିସ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଡିସେମ୍ବର ଶେଷ ସପ୍ତାହ ଠାରୁ ଏହି ଟୋଲ୍ ପ୍ଲାଜା ଦେଇ ଅଧିକ ସଂଖ୍ୟାରେ ଗାଡିମୋଟର ଯାତାୟତ କରୁଥିବା ବେଳେ ୩୧ ତାରିଖ ଠାରୁ ଏହାର ସଂଖ୍ୟା ବହୁଗୁଣରେ ବଢିଯାଇଛି ।
Comments are closed.