www.samajalive.in
Monday, December 15, 2025
24.1 C
Bhubaneswar

ବାତ୍ୟାର ୩୦ଦିନ ପରେ ମଧ୍ୟ ଅନ୍ଧାରରେ ପିପିଲି, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ

ପିପିଲି : ସାମୁଦ୍ରିକ ବାତ୍ୟା ଫନିି’ ପରଠାରୁ ସମଗ୍ର ପିପିଲି ଅଞ୍ଚଳ ଅନ୍ଧକାର ମଧ୍ୟରେ ରହିଛି। ବାତ୍ୟାର ପ୍ରାୟ ୩୦ଦିନ ପରେ ମଧ୍ୟ ଜଣେ ମଧ୍ୟ ଉପଭୋକ୍ତାକୁ ବିଦ୍ୟୁତ୍‍ ଯୋଗାଇବାରେ ଶକ୍ତି ବିଭାଗ ସଫଳ ହୋଇନାହିଁ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ପିପିଲି ବଜାର ବ୍ୟବସାୟୀ ସଂଘ ଡାକରାରେ ଉତ୍ତ୍ୟକ୍ତ ଲୋକେ ଶନିବାର ପୂର୍ବାହ୍ନ ସାଢେ ୧୧ଟାରେ ପିପିଲି ବଜାର ସ୍ଥିତ ସେସୁ ସବ୍‍ଡିଭିଜନ କାର୍ଯ୍ୟାଳୟକୁ ଘେରାଓ କରିଥିଲେ। ଏଥିସହ ସେସୁ କାର୍ଯ୍ୟାଳୟ ସମ୍ମୁଖରେ ପିପିଲି-ନିମାପଡା ରାସ୍ତାକୁ ଅବରୋଧ କରିଥିଲେ।
ବାତ୍ୟା ଯୋଗୁଁ ଗତ ୩ ତାରିଖ ଠାରୁ ସହର ବଜାର ଠାରୁ ଆରମ୍ଭ କରି ଗାଁଗଣ୍ଡା ପର୍ଯ୍ୟନ୍ତ ସମଗ୍ର ପିପିଲି ଅଞ୍ଚଳ ଅନ୍ଧକାର ମଧ୍ୟରେ ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳିରେ ଲୋକେ ଛଟପଟ ହେବା ସହ ତ୍ରାହି ତ୍ରାହି ଡାକିଲେଣି। ଶିଶୁ, ବୟସ୍କ, ଗର୍ଭବତି ମହିଳା ଓ ରୋଗୀଙ୍କ ଅବସ୍ଥା ଅସମ୍ଭାଳ ହୋଇପଡିଲାଣି। ପିପିଲି ବଜାର ବ୍ୟବସାୟୀ ସଂଘ ପକ୍ଷରୁ ତୁରନ୍ତ ବିଦ୍ୟୁତ୍‍ ଯୋଗାଣ ପାଇଁ ଏକ ଦାବି ପତ୍ର ବିଭାଗୀୟ ଅଧିକାରୀଙ୍କୁ ଗତ୨୨ ତାରିଖରେ ପ୍ରଦାନ କରାଯାଇଥିବା ବେଳେ ୨୫ ତାରିଖ ସୁଦ୍ଧା ଉପଭୋକ୍ତାଙ୍କୁ କରେଣ୍ଟ ସପ୍ଲାଇ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତଶ୍ରୁତିି ଦେଇଥିଲେ। ଗତ ୨୮ ତାରିଖ ଅପରାହ୍ନରେ ପିପିଲି ସେସୁ ସବ୍‍ଡିଭିଜନ ପାୱାର ଷ୍ଟ୍ରକ୍‍ଚରକୁ ଦିଘାଳ ଗ୍ରୀଡ୍‍ରୁ ୩୩ କେଭି କରେଣ୍ଟ ଯୋଗାଣ ସମ୍ଭବ ହୋଇଥିବା ବେଳେ ୨୯ ତାରିଖ ଠାରୁ ପର୍ଯ୍ୟାୟ କ୍ରମେ ୧୧କେଭି କରେଣ୍ଟ ଚାର୍ଜ ଦିଆଯିବା ସହ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ଆରମ୍ଭ ହେବ ବୋଲି ସେସୁ ସିନିୟର ଜିଏମ୍‍ (ଏଚ୍‍ଆର୍‍) ସୁବ୍ରତ ମିଶ୍ର ବ୍ୟବସାୟୀ ସଂଘ ସମେତ ଅଞ୍ଚଳବାସୀଙ୍କୁ ଦୃଢ ପ୍ରତିଶ୍ରୁତିି ଦେଇଥିଲେ। ପିପିଲି ଅଞ୍ଚଳର ଉପଭୋକ୍ତାଙ୍କୁ ବିଦ୍ୟୁତ୍‍ ଯୋଗାଇ ଦେବା ନେଇ ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଶୁକ୍ରବାର ରାତି ସୁଦ୍ଧା ଅଞ୍ଚଳର ଜଣେ ମଧ୍ୟ ଉପଭୋକ୍ତାଙ୍କୁ ବିଦ୍ୟୁତ୍‍ ଯୋଗାଇବାରେ ଶକ୍ତି ବିଭାଗ ସଫଳ ହୋଇପାରିନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପିପିଲି ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଶୁକ୍ରବାର ଅପରାହ୍ନରେ ବ୍ୟବସାୟୀ ସଂଘ ପକ୍ଷରୁ ଏନେଇ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ଶନିବାର ପୂର୍ବାହ୍ନ ସାଢେ ୧୧ଟାରେ ପିପିଲି ବଜାର ବ୍ୟବସାୟୀ ସଂଘର ସଭାପତି ଅଶୋକ କୁମାର ଅଗ୍ରୱାଲା, ସଂପାଦକ ଦୀପକ ମହାପାତ୍ର, ଜବାର ଖାଁ, ପୂର୍ବତନ ପୌରାଧ୍ୟକ୍ଷ ସେକ୍‍ ବାବୁ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ବିଦ୍ୟୁତ୍‍ ଉପଭୋକ୍ତା ପିପିଲି ଚାନ୍ଦୁଆବଜାର ଛକ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ଚାଲି ଚାଲି ସେସୁ ସବ୍‍ଡିଭିଜନ କାର୍ଯ୍ୟାଳୟକୁ ଯାଇ ସେଠାରେ ଘେରାଓ କରିଥିଲେ। ଏଥିସହ ସେସୁ କାର୍ଯ୍ୟାଳୟ ସମ୍ମୁଖରେ ପିପିଲି-ନିମାପଡା ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଗାଡିମୋଟର ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିବା ସହ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପିପିଲି ଆଇଆଇସି ଶରତ କୁମାର ସାହୁ, ସେସୁ ଏସ୍‍ଡିଓ ଦୁର୍ଗାପ୍ରସାଦ ଦାଶ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଶନିବାର ରାତି ୯ଟା ସୁଦ୍ଧା ୨୩ଟି ଟ୍ରାନ୍ସଫର୍ମର ଅଞ୍ଚଳର ଉପଭୋକ୍ତାଙ୍କୁ ବିଦ୍ୟୁତ୍‍ ଯୋଗାଇ ଦିଆଯିବ ବୋଲି ସେସୁ ଏସ୍‍ଡିଓ ଶ୍ରୀଦାଶ ପ୍ରତିଶ୍ରୁତିି ଦେଇଥିଲେ। ବିଦ୍ୟୁତ୍‍ ମରାମତି ପାଇଁ ସକାଳ ୭ଟାରୁ ସଂନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ବିଦ୍ୟୁତ୍‍ ସରବରାହ ବନ୍ଦ ରହିବ ବୋଲି ସେ ସୂଚନା ଦେବା ସହ ୩ ତାରିଖ ମଧ୍ୟରେ ପୌରାଞ୍ଚଳରେ ଶତ ପ୍ରତିଶତ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ହେବା ସହ ଅନ୍ୟ ସମସ୍ତ ଅଞ୍ଚଳକୁ ଯେତେଶିଘ୍ର ସମ୍ଭବ ବିଦ୍ୟୁତ୍‍ ଯୋଗାଣ ହେବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ମଧ୍ୟାହ୍ନ ଗୋଟାଏରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories