ଭକ୍ତ ଶିରୋମଣି ଦାସିଆଙ୍କ ମହାପ୍ରୟାଣ ଦିବସ
ପିପିଲି:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶିରୋମଣି ଦାସିଆଙ୍କ ରାଜ୍ୟସ୍ତରୀୟ ତିରୋଧାନ ଦିବସ ପବିତ୍ର ମାଘ ଶୁକ୍ଳ ଏକାଦଶୀରେ ପିପିଲି ନିକଟବର୍ତ୍ତି ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଭକ୍ତଙ୍କ ଜନ୍ମ ଓ ସାଧନା ପୀଠ ଠାରେ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି।
ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ପ୍ରତ୍ୟୁଷରେ ଭକ୍ତଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ବେଦ, ଗୀତାପାଠ ଓ ଭଜନ ପରିବେଷଣ ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ପୀଠ ପରିସରରେ ଶ୍ରାଦ୍ଧ ହୋମ କରାଯାଇଥିବା ବେଳେ ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ନାମସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନର୍ଥ ପକ୍ଷରୁ ୩ଶହରୁ ଉର୍ଦ୍ଧ ରୋଗୀଙ୍କ ଚିକିତ୍ସା କରାଯିବା ସହ ସେମାନଙ୍କୁ ମାଗଣାରେ େଓøଷଧ ବିତରଣ କରାଯାଇଥିଲା। ଏଥିସହ ଓଡିଶା ସ୍ୱାସ୍ଥ୍ୟ ସେବା ସଂଘ ପକ୍ଷରୁ ସେଠାରେ ମର୍ମ (ଆକ୍ୟୁପ୍ରେସର) ଚିକିତ୍ସା ଶିବିର କରାଯାଇ ରୋଗୀଙ୍କ ଚିକିତ୍ସା କରାଯାଇଥିଲା। ମଧ୍ୟାହ୍ନରେ ଦୂର ଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କୁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ଦାସିଆଙ୍କ ପ୍ରୀୟ ଜାଉ ଓ ଶାଗ ଭୋଗକୁ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ତଥା ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ମୁଖ୍ୟଅତିଥି ଭାବେ ଓଡିଶା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଦେବନାରାୟଣ ପାଲ ଯୋଗଦେଇ ଭକ୍ତ ଦାସିଆଙ୍କ ସ୍ୱୃତିଚାରଣ କରିଥିଲେ। ଅନ୍ୟତମ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳସଚିବ ଡ଼ଃ ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଡ଼ଃ ପ୍ରଦୀପ୍ତ କୁମାର ନନ୍ଦ, ରାଜ୍ୟ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଇଂ.ଭଗବାନ ସାହୁ, ସମାଜସେବୀ ଡ଼ଃ କ୍ଷୀରୋଦ ଚନ୍ଦ୍ର ବ୍ରହ୍ମା, ପ୍ରଶାନ୍ତ କୁମାର ରାଉତରାୟ, ଡ଼ଃ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ସଂପର୍କକୁ ତତ୍ତ୍ୱଭିତିକ ଉଦାହରଣ ଦେଇ ସମୀକ୍ଷା କରିବା ସହ ଯୁଗ ଯୁଗ ଧରି ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧ୍ୟାତ୍ମିିକତାରେ ପରିପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ତ୍ରୟୋମାସିକ ଆଧ୍ୟାତ୍ମିକ ପତ୍ରିକା ‘ଭାବକୁ ନିକଟ’କୁ ଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡଃ ଘନଶ୍ୟାମ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିବା ସହ ଦାସିଆ ପୀଠର ଉନ୍ନତିକଳ୍ପେ ତୀର୍ଥଯାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ଐତିହ୍ୟ ପୁଷ୍କରିଣୀ ଗୋଠଗାଡ଼ିଆର ସୌନ୍ଦର୍ଯ୍ୟକରଣ ସହିତ ନିକଟସ୍ଥ ରତ୍ନଚିରା ନଦୀରେ ନୌକାବିହାର ପ୍ରକଳ୍ପ କରାଯିବା ନିମନ୍ତେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ଆନ୍ତଃ ବିଦ୍ୟାଳୟସ୍ତରୀୟ ବକୃତା ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରଷ୍ୃତ କରାଯାଇଥିଲା। ଶେଷରେ ସ୍ମୃତି କମିଟିର ସାଂସ୍କୃତିକ ସଂପାଦକ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପସଭାପତି ଡଃ ନରେନ୍ଦ୍ର ନାଥ ସାହୁ, ବରିଷ୍ଠ ଟ୍ରଷ୍ଟି ଅର୍ଜୁନ ଚରଣ ସାମଲ, ଇଂ ଗଣେଶ ଚନ୍ଦ୍ର ପଣ୍ଡା, ବିଭୂତି ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଲେଙ୍କା, ଅନିଲ କୁମାର ନାୟକ, ଯତୀନ ନାୟକ ପ୍ରମୁଖ ପରିଚାଳନା କରିଥିଲେ।
Comments are closed.