ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନ

ଫୁଲବାଣୀ:ସ୍ଥାନୀୟ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ପରିସରରେ କନ୍ଧମାଳ ଜିଲା ପ୍ରଶାସନ ସହଯୋଗରେ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆଜିଠାରୁ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଆରମ୍ଭ ହୋଇଛି। ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ସକାଳ ୧୧ ଘଟିକାରୁ ସଂଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ ଆନୁଷ୍ଠାନିକ ଭାବେ ଆଜି ଏହାକୁ ଉଦଘାଟନ କରିଛନ୍ତି। ସାରା ଓଡ଼ିଶାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ସଂଗୃହିତ ଚିତ୍ରକଳାଗୁଡ଼ିକୁ ନେଇ ଏହି ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଉଛି।

prayash

ଏହାଦ୍ୱାରା ଓଡ଼ିଶା ଚାରୁକଳାର ବହୁଳ ପ୍ରଚାର ପ୍ରସାର ହେବା ସହିତ ଶିଳ୍ପୀମାନଙ୍କ କଳାକୃତି ଯେପରି ରାଜ୍ୟର ଜନସାଧାରଣ, ସ୍ଥାନୀୟ ଚିତ୍ର ଶିଳ୍ପୀ ତଥା ଛାତ୍ରଛାତ୍ରମାନେ ଦେଖିବାର ସୁଯୋଗ ପାଇପାରିବେ ସେଥିପାଇଁ ସରକାର ଏହିଭଳି ପ୍ରଦର୍ଶନୀର ଆୟୋଜନ କରିଛନ୍ତି। ଏଥିରେ ଓଡ଼ିଶାର ଖ୍ୟାତନାମା ଦିବଂଗତ ଓ ବରିଷ୍ଠ ଚିତ୍ରଶିଳ୍ପୀ ବିନୋଦ ରାଉତରାୟ,ଏନ୍.ଚନ୍ଦ୍ରଶେଖର ରାଓ, ଡଃ. ଦିନନାଥ ପାଠୀ, ଡି. ନାରାୟଣ ରାଓ, ରାମହରି ଜେନା, ଅକ୍ଷୟ କୁମାର ପଟ୍ଟନାୟକ, ଅମର କୁମାର ଜେନା, ଅସିତ କୁମାର ପଟ୍ଟନାୟକ, ବିପିନ ବିହାରୀ ମାର୍ଥା,ଦାଶ ମୁର୍ମୁ, ଦୀନବନ୍ଧୁ ସାହୁ, ପ୍ରମୋଦ କୁମାର ମଲ୍ଲିକ,ରବିନାରାୟଣ ଗୁପ୍ତା ପ୍ରମୁଖଙ୍କ ସହିତ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ ୪୦ ଗୋଟି ଚିତ୍ରକଳା ସ୍ଥାନ ପାଇଛି। ଓଡ଼ିଶା ଲଳିତ କଳା ଏକାଡେମୀ ପଦାଧିକାରୀମାନେ ଚିତ୍ରକଳା ସମ୍ପର୍କରେ ଅତିଥି ତଥା ଲୋକମାନଙ୍କୁ ସମ୍ୟକ ଧାରଣା ଦେଥିଲେ। ଉଦ୍ଘାଟନୀ ଉତ୍ସବରେ ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଚିତ୍ରଶିଳ୍ପୀ ଯୁଧିଷ୍ଠିର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.