www.samajalive.in
Sunday, December 7, 2025
26.1 C
Bhubaneswar

ଜରୁରିକାଳୀନ ପରିସ୍ଥିତିର ବନ୍ଦୀଙ୍କ ପେନସନ୍‍ ବନ୍ଦ କଲେ ମଧ୍ୟପ୍ରଦେଶ ସରକାର

ଭୋପାଲ: ଦେଶରେ ଜରୁରିକାଳୀନ ପରିସ୍ଥିତି ବେଳେ ଆଭ୍ୟନ୍ତରୀଣ ସୁରକ୍ଷା ଆଇନ(ମିସା) ଓ ଭାରତୀୟ ପ୍ରତିରକ୍ଷା ନିୟମ(ଡିଆଇଆର)ରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ପେନ୍‍ସନ ଯୋଜନାକୁ ମଧ୍ୟପ୍ରଦେଶ ସରକାର ସାମୟିକ ଭାବେ ରଦ୍ଦ କରିଛନ୍ତି। ସୂଚନାଯୋଗ୍ୟ, ଜରୁରିକାଳୀନ ପରିସ୍ଥିତି ବେଳେ ପ୍ରାୟ ୨ ହଜାର ଲୋକଙ୍କୁ ଗିରଫ କରି ଜେଲ୍‍ ପଠାଇ ଦିଆଯାଇଥିଲା। ଯେଉଁମାନେ ଅତିକମ୍‍ରେ ୬ ମାସ ଜେଲ୍‍ ଭୋଗିଥିଲେ ସେମାନଙ୍କୁ ପରବର୍ତ୍ତି ସମୟରେ ‘ଲୋକନାରାୟଣ ଜୟପ୍ରକାଶ ନାରାୟଣ ସମ୍ମାନ ନିଧି ନିୟମ’ ଅଧୀନରେ ମାସିକ ପେନ୍‍ସନ ଦେବାକୁ ନିଷ୍ପତ୍ତି ହୋଇଥିଲା। ୨୦୦୮ରେ ଏହି ଯୋଜନା ପ୍ରଣୟନ ହେବା ପରେ ହିତାଧିକାରୀଙ୍କୁ ମାସିକ ୬ ହଜାର ଟଙ୍କା ଲେଖାଏଁ ଦିଆଯାଉଥିଲା। ଏହାପରେ ନିୟମରେ ଚାରିଥର ସଂଶୋଧନ ହୋଇଛି। ଏବେ ହିତାଧିକାରୀଙ୍କୁ ମାସିକ ୨୫ ହଜାର ଟଙ୍କା ଲେଖାଏଁ ପେସସନ ଦିଆଯାଉଛି।
ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବା ପରେ ଯୋଗ୍ୟତା ଆଳରେ ଏହି ନିୟମକୁ ରଦ୍ଦ କରିଦେଇଛନ୍ତି। ସିଏଜି ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ରାଜୈନିତିକ ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିରୋଧୀ ବିଜେପି ଅଭିଯୋଗ କରିଛି। ଜରୁରିକାଳୀନ ପରିସ୍ଥିତି ବେଳେ କମଳନାଥ ଓ ସଞ୍ଜୟ ଗାନ୍ଧି ରାଜନୀତିରେ ପ୍ରବେଶ କରିଥିବାରୁ କମଳନାଥ ଏଭଳି ଆକ୍ରୋଶମୂଳକ ପଦକ୍ଷେପ ନେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
ରାଜ୍ୟର ସମସ୍ତ ଜିଲା ପ୍ରଶାସନ ଉଦ୍ଦେଶ୍ୟରେ ଗତ ମାସ ୨୯ ତାରିଖରେ ମଧ୍ୟପ୍ରଦେଶ ସରକାର ଜାରି କରିଥିବା ନିର୍ଦେଶନାମାରେ ଉଲ୍ଲେଖ ରହିଛି ଯେ ପେନସନ୍‍ ପ୍ରଦାନ ପାଇଁ ନୂଆ ଗାଇଡଲାଇନ୍‍ ଆସିବ। ସେ ପର୍ଯ୍ୟନ୍ତ ଯୋଜନାକୁ ସାମୟିକ ସମୟ ପାଇଁ ରଦ୍ଦ କରାଯିବ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ଆଦୌ ଜେଲ୍‍ ଯାଇନଥିଲେ କିମ୍ବା ଗୋଟିଏ ଦିନ ପାଇଁ ଜେଲ୍‍ରେ ଥିଲେ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ୍‍ କରାଯାଇଥିବା ଧରାପଡ଼ିଛି। ତେଣୁ ହିତାଧିକାରୀ ଚିହ୍ନଟ ପାଇଁ ଯୋଜନାକୁ ସାମୟିକ ଭାବେ ବନ୍ଦ କରାଯାଇଛି।
କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଜେପି ରାଜ୍ୟସଭା ସାଂସଦ ତଥା ଲୋକତନ୍ତ୍ର ସେନାନୀ ସଂଘ ଜାତୀୟ ମୁଖ୍ୟ କୈଳାସ ସୋନୀ କହିଛନ୍ତି ଯେ ପାଣ୍ଠି ପ୍ରଦାନରେ କୌଣସି ଅନିୟମିତତା ହୋଇନି। ଇତିମଧ୍ୟରେ ପେନସନ ହିତାଧିକାରୀଙ୍କ ସଂଖ୍ୟା ୨୪୦୦ ରୁ ୨୦୦୦କୁ ହ୍ରାସ ପାଇଛି। ସେହିପରି କେତେଜଣ ପେନସନଧାରୀଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଅଧା ପେନସନ ଦିଆଯାଉଛି।
ମଧ୍ୟପ୍ରଦେଶ ବ୍ୟତୀତ ହରିଆଣା, ମହାରାଷ୍ଟ୍ର ଓ ବିହାରରେ ମଧ୍ୟ ଉପରୋକ୍ତ ପେନସନ୍‍ ଯୋଜନା ପ୍ରଚଳନ ଅଛି। ହରିଆଣାରେ ୪୫୦ ହିତାଧିକାରୀଙ୍କୁ ମାସିକ ୧୦ ହଜାର ଟଙ୍କା, ମହରାଷ୍ଟ୍ରରେ ୫ ହଜାରରୁ ୧୦ ହଜାର ଟଙ୍କା ଓ ବିହାରରେ ୨୬୭୩ ଜଣଙ୍କୁ ୫ ହଜାରରୁ ୧୦ ହଜାର ଟଙ୍କା ପେନସନ୍‍ ଦିଆଯାଉଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories