www.samajalive.in
Sunday, December 7, 2025
26.1 C
Bhubaneswar

ପାରପୋଷି-ଢେଙ୍ଗୁରଜୋର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର, ତଦନ୍ତ ଦାବୀ

ଦେବଗଡ଼: ଦେବଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଜନ ଦ୍ୱାରା ଜିଲାର ବିଭିନ୍ନ ସ୍ଥାନରେ ନିର୍ମାଣାଧିନ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ସମେତ ବିଭିନ୍ନ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଆସୁଛି। ମାତ୍ର ବାରମ୍ବାର ଅଭିଯୋଗ ସତ୍ୱେ ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଆସିବା ପରିବର୍ତ୍ତେ ପୂର୍ବପରି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ଯନ୍ତ୍ରୀ-ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଅନିୟମିତତା ଏବଂ ନିମ୍ନ ମାନର କାର୍ଯ୍ୟ ଜାରୀ ରହିଥିବା ଅଭିଯୋଗ ହେଉଛି। ଏହି କ୍ରମରେ ଦେବଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଜନ ଦ୍ୱାରା ୫କୋଟି ୪୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆଦିବାସୀ ଅଧ୍ୟୁଷିତ ତିଲେଇବଣି ବ୍ଲକରେ ନିର୍ମାଣାଧିନ ୧୧କି.ମି. ଦୈର୍ଘ୍ୟର ‘ପାରପୋଷି-ଢେଙ୍ଗୁରଜୋର’ ରାସ୍ତା ଉନ୍ନତିକରଣରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ମାତ୍ର ବାରମ୍ବାର ଅଭିଯୋଗ ସତ୍ୱେ ନିର୍ମାଣ କାର୍ଯ୍ୟରେ କୌଣସି ଉନ୍ନତି/ସୁଧାର ପରିଲକ୍ଷିତ ହେଉନଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ଅଭିଯୋଗ ଅନୁଯାୟୀ, ‘ପାରପୋଷି-ଢେଙ୍ଗୁରଜୋର’ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ୪ କୋଟି ୪୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର କରିଥିଲେ ଓ ଟେଣ୍ଡର ପ୍ରକ୍ରିୟାରେ ଏହାର ନିର୍ମାଣ ଦାୟିତ୍ୱ ସୁନ୍ଦରଗଡ଼ ଜିଲାର ମଞ୍ଜୁ ଆଚାର୍ଯ୍ୟ ନାମକ ଜଣେ କଣ୍ଟ୍ରାକ୍ଟରଙ୍କୁ ଦିଆଯାଇଛି। ମାତ୍ର ବିଭାଗ ପକ୍ଷରୁ ପ୍ରସ୍ତୁତ ବ୍ୟୟ ଅଟକଳ ଅନୁଯାୟୀ ନିର୍ମାଣ କାର୍ଯ୍ୟ କରାନଯାଇ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରାଯାଉଛି। ଏହି ରାସ୍ତା ନିର୍ମାଣ ସମୟରେ ଆବଶ୍ୟକ ମୋଟେଇ ଅନୁଯାୟୀ ମେଟାଲ ଓ ଚିପ୍ସ ବିଛା ଯାଇନଥିବା ବେଳେ କମ୍ ପରିମାଣର ପିଚୁ ମଧ୍ୟ ବ୍ୟବହାର କରାଯାଇଛି। ଏନେଇ ସେମାନେ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଚାରଡିଆଙ୍କ ନିକଟରେ ଏକାଧିକବାର ଅଭିଯୋଗ କରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଆସିବା ପରିବର୍ତ୍ତେ ପୂର୍ବଭଳି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ଫଳରେ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ରାସ୍ତାରେ ଠାଏଁ ଠାଏଁ ଗର୍ତ ସୃଷ୍ଟି ହେବା ସହ ରାସ୍ତାର ଅବସ୍ଥା ଦୟନୀୟ ହେବାରେ ଲାଗିଛି। ଏହି ରାସ୍ତାର ନିର୍ମାଣ ନସରୁଣୁ ଅବସ୍ଥା ଏଭଳି ହୋଇପଡ଼ିଛି ଯେ, ବିଭିନ୍ନ ସ୍ଥାନରେ ପିଚୁ ରାସ୍ତାରୁ ଉଠିଯାଇ ବଜୁରିଗୁଡିକ ରାସ୍ତା ଉପରେ ଗଡ଼ୁଥିବା ଦେଖିବାକୁ ମିଳୁଛି। ଏପରିକି ଆଙ୍ଗୁଠିରେ ରାମ୍ପିଦେଲେ ମଧ୍ୟ ଆଞ୍ଜୁଳା ଆଞ୍ଜୁଳା ହୋଇ ବଜୁରିଗୁଡିକ ରାସ୍ତାରୁ ଉପରକୁ ବାହାରି ପଡୁଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ରାସ୍ତାର ନିର୍ମାଣ କାର୍ଯ୍ୟ ଗତ ୨୦୨୩ ମସିହା ଅକ୍ଟୋବର ମାସ ୨୫ ତାରିଖ ସୁଦ୍ଧା ଶେଷ କରିବାକୁ ବିଭାଗ ପକ୍ଷରୁ ଚୁକ୍ତି କରାଯାଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ନିର୍ମଣ କାର୍ଯ୍ୟ ଶେଷ ହୋଇନାହିଁ। ସେହିପରି ଯନ୍ତ୍ରୀ-ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତାର ଏଭଳି ଅବସ୍ଥା ହୋଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ସମ୍ପର୍କରେ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଚାରଡିଆ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପଟ୍ଟାପ୍ରସାଦ ରାଓଙ୍କ ମତାମତ ଲୋଡ଼ିବାରୁ ରାସ୍ତାର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହୋଇଥିବା ତାଙ୍କ ନିକଟରେ ସୂଚନା ରହିଥିବା ଉତ୍ତର ଦେବାସହ ଉକ୍ତ ରାସ୍ତାଟି ନିର୍ମାଣାଧିନ ଥିବା ଏବଂ ରାସ୍ତାର କ୍ଷତିଗ୍ରସ୍ତ ଅଂଶକୁ ମରାମତି ପାଇଁ ନିର୍ମାଣକାରୀ କଣ୍ଟ୍ରାକ୍ଟରଙ୍କୁ ପରାମର୍ଶ ଦିଆଯାଇଥିବା ପ୍ରକାଶ କରିଛନ୍ତି। ତେବେ ସେ ଯାହା ହେଉନା କାହିଁକି ବିଭାଗୀୟ ମୁଖ୍ୟ ଯନ୍ତ୍ରୀ, ସଚିବ ଏବଂ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଏହି ଅନିୟମିତତାର ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ସଠିକ ମାନର ରାସ୍ତା ନିର୍ମାଣ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories