ଟେଣ୍ଡରରେ ଅଟକିଛି ପଳାଶପଙ୍ଗା-ବାମେବାରୀ ରାସ୍ତା
ବୃଦ୍ଧି ପାଉଛି ଜନଅସନ୍ତୋଷ, ଆନ୍ଦୋଳନ ପାଇଁ ୩ ବ୍ଲକର ୯ପଞ୍ଚାୟତବାସୀଙ୍କ ସଜବାଜ
କେନ୍ଦୁଝରଗଡ଼ : କେନ୍ଦୁଝର ଜିଲାର ଯୋଡା ଖଣିକ୍ଷେତ୍ରକୁ ସିଧାସଳଖ ସଂଯୋଗ କରୁଥିବା ପଳାଶପଙ୍ଗା-ବାମେବାରୀ ୨୭କି.ମି. ରାସ୍ତା କେନ୍ଦୁଝର ଇନ୍ଫ୍ରାଷ୍ଟକ୍ଚର ଡେଭଲପମେଣ୍ଟ କମ୍ପାନୀ (କିଡକୋ) ପକ୍ଷରୁ ଉନ୍ନତୀକରଣ କରାଯାଇ ଟୋଲ ଟିକସ ଆଦାୟ କରାଯାଇ ଆସୁଥିଲା। ଟିକସ ଆଦାୟ ଅବଧି ଶେଷ ହେବାପରେ ଉକ୍ତ ରାସ୍ତା ୧ଫେବୃୟାରୀ ୨୦୨୨ରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପରଠାରୁ ଆବଶ୍ୟକ ମରାମତି ଅଭାବରୁ ଏବେ ଏହି ରାସ୍ତା ମରଣଯନ୍ତା ପାଲଟିଛି । ଜିଲା ଓ ଜିଲା ବାହାରର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବିଭିନ୍ନ ବନ୍ଦରକୁ ଖଣିଜସମ୍ପଦ ପରିବହନ ଏହି ରାସ୍ତା ଦେଇ ହୋଇ ଆସୁଥିବାରୁ ଦୈନିକ ମାତ୍ରାଧିକ ଭାରିଯାନ ଚଳାଚଳ ଯୋଗୁଁ ଏହି ରାସ୍ତା ମରଣଯନ୍ତା ପାଲଟିଛି । ପୂର୍ତ୍ତ ବିଭାଗକୁ ଏହି ରାସ୍ତା ହସ୍ତାନ୍ତର ପରେ ଏବେ ଏହି ରାସ୍ତାକୁ ଦୁଇଭାଗରେ ବିଭାଜନ କରି କାଳିମାଟି ଠାରୁ ବାମେବାରୀ ପର୍ଯ୍ୟନ୍ତ ୫.୬୨୦କି.ମି. ରାସ୍ତା ୪ଥାକିଆ ନିର୍ମାଣ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ପାଣ୍ଠିରୁ ୬୯କୋଟି ୫୩ଲକ୍ଷ ୪୫ହଜାର ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ଆହ୍ୱାନ ଶେଷ ଶେଷ ହେବାପରେ ସ୍ଥାନୀୟ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଦ୍ୱାରା କେବଳ ଶିଳାନ୍ୟାସରେ ଏହି ପ୍ରକଳ୍ପ ମଧ୍ୟ ସୀମିତ ରହିଛି। ତେବେ ପଳାଶପଙ୍ଗା ଠାରୁ କାଳିମାଟି ପର୍ଯ୍ୟନ୍ତ ଅବଶିଷ୍ଟ ୧୮କି.ମି. ରାସ୍ତା ପ୍ରଶସ୍ତିକରଣ କରାନଯାଇ କେବଳ ଉନ୍ନତିକରଣ ଓ ମରାମତି ପାଇଁ ଡିଏମଏଫ୍ ପାଣ୍ଠିରୁ ୧୧କୋଟି ୧୨ଲକ୍ଷ ୮୮ହଜାର ଟଙ୍କା ମଞ୍ଜୁର ହୋଇ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ଦିନ ୧୩ ଫେବୃୟାରୀ ୨୦୨୩ରେ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଟେଣ୍ଡର ଆବେଦନର ଶେଷ ଦିବସ ୯ ମାର୍ଚ୍ଚ ୨୦୨୩ ଥିବାବେଳେ ଏହି ଧାର୍ଯ୍ୟ ସମୟ ମଧ୍ୟରେ କେହି ଆବେଦନ କରି ନ ଥିଲେ। ପରେ ପୁନଃ ଟେଣ୍ଡର ପାଇଁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଚିଠି କରାଯାଇଥିଲେ ହେଁ ପୁନଃ ଟେଣ୍ଡର ଆହ୍ୱାନରେ ଅହେତୁକ ବିଳମ୍ବ ଉକ୍ତ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାତ୍ରାଧିକ ସଂଖ୍ୟାରେ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ମରଣଯନ୍ତା ପାଲଟିବା କାରଣରୁ ଉକ୍ତ ରାସ୍ତା ଦେଇ ଯାତାୟାତ କରିବା ଅତ୍ୟନ୍ତ କଷ୍ଟକର ହେବା ସହ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ରାସ୍ତା ଉନ୍ନତିକରଣ ନକରିବା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ବନ୍ଦ ପାଇଁ କଣ୍ଡରାପଶି ଠାରେ ଦୁଇଥର ରାସ୍ତାରୋକ କରାଯାଇ ଆନ୍ଦୋଳନ କରାଯାଇଥିଲେ ହେଁ ମିଥ୍ୟା ପ୍ରତିଶ୍ରୁତି ଦେଇ କେବଳ ଆନ୍ଦୋଳନକୁ ଭଣ୍ଡୁର କରାଯାଇଥିବା ବେଳେ ଅଦ୍ୟାବଧି ରାସ୍ତାର ସାମାନ୍ୟ ଉନ୍ନତିକରଣ ନହେବା ଅଞ୍ଚଳବାସୀଙ୍କୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ କରୁଛି ବୋଲି ପଳାଶପଙ୍ଗା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଅନାଦି ଚରଣ ପ୍ରଧାନ ଓ କଣ୍ଡରାପଶି ପଞ୍ଚାୟତର ର୍ପୂତନ ସରପଞ୍ଚ ଅଯୋଧ୍ୟା ନାଏକ କ୍ଷୋଭର ସହ କହିଛନ୍ତି।
ସେହିଭଳି କାଳିମାଟି ଠାରୁ ବାମେବାରୀ ପର୍ଯ୍ୟନ୍ତ ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀର ଭାରିଯାନ ଚଳାଚଳ କରୁଥିବାରୁ ଉକ୍ତ ରାସ୍ତାକୁ ୪ଥାକିଆ କରିବା ପାଇଁ ମଞ୍ଜୁର କରାଯାଇଥିବା ବେଳେ କାଳିମାଟି-ପଳାଶପଙ୍ଗା ୧୮ କି.ମି. ରାସ୍ତାକୁ ଅଣଦେଖା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ମଲଦା ପଞ୍ଚାୟତ ସରପଞ୍ଚ ଦିବାକର ନାଏକ କ୍ଷୋଭର ସହ କହିଛନ୍ତି । ପଳାଶପଙ୍ଗା ଠାରୁ କାଳିମାଟି ପର୍ଯ୍ୟନ୍ତ ସଦର ବ୍ଲକର ପଳାଶପଙ୍ଗା, କଣ୍ଡରାପଶି ଓ ପର୍ଜନପୁର, ଝୁମ୍ପୁରା ବ୍ଲକର ମଲଦା, ନୟାଗଡ, ବସନ୍ତପୁର, କୁଟୁଗାଁ, ଯୋଡା ବ୍ଲକର ବଡକାଳିମାଟି ଓ ବାଂଶପାଳ ବ୍ଲକର ଫୁଲଝର ପଞ୍ଚାୟତକୁ ମିଶାଇ ୯ଟି ପଞ୍ଚାୟତର ୬୦ରୁ ଅଧିକ ଗ୍ରାମର ଲୋକେ ଏହି ରାସ୍ତା ଉପରେ ଦୈନିକ ନିର୍ଭରଶୀଳ ଥିବାବେଳେ ମାତ୍ରାଧିକ ଭାରିଯାନ ଚଳାଚଳ ଦୃଷ୍ଟିରୁ ଉକ୍ତ ରାସ୍ତାକୁ ମଧ୍ୟ ୪ଥାକିଆ ନିର୍ମାଣ କରାଯାଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଧନଜୀବନ ସୁରକ୍ଷା ପ୍ରତି ପ୍ରାଧାନ୍ୟ ଦେବାକୁ ନୟାଗଡ ସରପଞ୍ଚ ସୁରେଶ କୁମାର କାଣ୍ଡି ଓ ମଲଦା ସରପଞ୍ଚ ଦିବାକର ନାଏକ ଦାବି କରିଛନ୍ତି । ଏପରିକି କାଳିମାଟି-ପଳାଶପଙ୍ଗା ରାସ୍ତା ଦେଇ ଯୋଡା ଖଣିକ୍ଷେତ୍ରର ବିଭିନ୍ନ ଖଣି ଓ ଶିଳ୍ପାନୁଷ୍ଠାନରୁ ଖଣିଜସମ୍ପଦ ଟ୍ରକ ଯୋଗେ ନୟାଗଡ, ପର୍ଜନପୁର ଓ ଗୁହାଲଡିହି ରେଳ ସାଇଡିଂକୁ ପରିବହନ ହୋଇ ଆସୁଥିବାରୁ ଏହି ରାସ୍ତାରେ ଅଧିକାଂଶ ସମୟ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଇ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହୋଇ ବ୍ୟାପକ ଧନଜୀବନ ହାନୀ ହେଉଥିବାରୁ ପଳାଶପଙ୍ଗା-କାଳିମାଟି ରାସ୍ତାକୁ ତୁରନ୍ତ ୪ଥାକିଆ ନିର୍ମାଣ ସହ ଉନ୍ନତିକରଣ କରାନଗଲେ ୩ଟି ବ୍ଲକର ୯ ପଞ୍ଚାୟତବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ମଲଦା ସରପଞ୍ଚ ଶ୍ରୀ ନାଏକ ଚେତାବନୀ ଦେଇଛନ୍ତି।
Comments are closed.