ପଦ୍ମପୁରରେ ବିରାଜିଲେ ପ୍ରଭୁ ଶ୍ରୀରାମ

ପଦ୍ମପୁର: ରାୟଗଡ଼ା ଜିଲା ପଦ୍ମପୁରରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪ଦିନ ଧରି ଅନୁଷ୍ଠିତ ପ୍ରଥମ ଦିବସରେ ବେଦଜ୍ଞ ବ୍ରାହ୍ମଣଙ୍କ ଦ୍ଵାରା ଦୀକ୍ଷା ଗ୍ରହଣ ପରେ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଲୋକ ନୃତ୍ୟ, ସଙ୍କୀର୍ତ୍ତନ ମଣ୍ଡଳୀଙ୍କୁ ନେଇ ଖମାପଦର୍ ନାଳରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ପଦ୍ମପୁର ନଗର ପରିକ୍ରମା କରି ମନ୍ଦିର ନିକଟରେ ପହଞ୍ଚିଥିଲା। କଳସ ସ୍ଥାପନ ପରେ ସନ୍ଧ୍ୟାରେ ମଣ୍ଡଳ ବିନ୍ୟାସ, ଅଙ୍କୁରାରୋପଣ ବିଧି ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଦିବସରେ ପ୍ରଦୀପ ସ୍ଥାପନା, ବ୍ରାହ୍ମଣ ବରଣ, ଅର୍ଘ୍ୟ ସଂସ୍କାର, ସୂର୍ଯ୍ୟ ପୂଜା, ଗୋପୂଜା, ବୈଷ୍ଣବ ଅଗ୍ନି ସ୍ଥାପନ, ଦେବତା ଧ୍ୟାନ ଅଧିବାସ ଆଦି ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ବିଷ୍ଣୁ ପ୍ରସାଦ ଦାଶଶର୍ମାଙ୍କ ପୌରୋହିତ୍ୟରେ ସାଥୀ ପୂଜକ ଓ ନୃସିଂହ ପ୍ରସାଦ ସାମନ୍ତରାୟ ଏବଂ କର୍ତ୍ତା ରୂପେ ରାଧାନାଥ ପାଣିଗ୍ରାହୀ ପୂଜା କାର୍ଯ୍ୟରେ ନିୟୋଜିତ ରହିଥିଲେ। ତୃତୀୟ ଦିବସରେ ଶ୍ରୀବିଗ୍ରହଙ୍କ ଘୃତାଧିବାସ, ପୁଷ୍ପାଧିବାସ ଆଦି ନିତିକାନ୍ତି ପରେ ମହାସ୍ନାନ ହୋଇଥିଲା। ରବିବାର ମଧ୍ୟରାତ୍ରରେ ପ୍ରାଣପ୍ରତିଷ୍ଠା ହେବା ସହ ସୋମବାର ସକାଳେ ପ୍ରଭୁ ଶ୍ରୀରାମଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଛି। ପରେ ଅଯୋଧ୍ୟାରେ ରାମ ଲାଲାଙ୍କ ମନ୍ଦିର ବିଜେ ସମୟ ଅନୁଯାୟୀ ପଦ୍ମପୁରରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କୁ ମନ୍ଦିର ବିଜେ କରାଇ ରତ୍ନ ସିଂହାସନ ରୂଢ଼ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଅପରାହ୍ନ ୪ଟାରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

prayash

ସୂଚନା ଥାଉକି, ଏହି ମନ୍ଦିର ଦୀର୍ଘ ୩୦ ବର୍ଷ ହେବ ନିର୍ମିତ ହୋଇ ପଡ଼ିରହିଥିଲା। ସ୍ଥାନୀୟ ଜନସାଧାରଣ ଓ ଉତ୍ସାହୀ ଯୁବକମାନଙ୍କ ଆପ୍ରାଣ ଉଦ୍ୟମରେ ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ପ୍ରତିଷ୍ଠା ଉତ୍ସବରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

Comments are closed.