ଟୋକନ୍ ପାଇ ବି ଧାନ ବିକ୍ରିରୁ ବଞ୍ଚିତ ଶତାଧିକ ଚାଷୀ
ଚଳିତବର୍ଷ ପାଇଁ ମଣ୍ଡିରେ ଧାନକିଣା ଶେଷ, ଆଜିଠୁ ଆମରଣ ଅନଶନ
ବିରିଡ଼ି : ରାଜ୍ୟ ସରକାରଙ୍କର ଧାନ ସଂଗ୍ରହ ନୀତିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଚଳିତ ବର୍ଷ ମଣ୍ଡିରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବନ୍ଦ ହୋଇ ଯାଇଛି । କିନ୍ତୁ ସମିତିରେ ନାମ ପଞ୍ଜୀକରଣ କରି ଟୋକନ୍ ପାଇଥିବା ଶତାଧିକ ଚାଷୀ ଏବେ ମଧ୍ୟ ଧାନ ବିକି ନ ପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଧାର, କରଜ ଓ ଋଣ କରି ଚାଷ କରିଥିବା ଚାଷୀ ଏବେ ଧାନ ବିକି ନ ପାରି ହତାସ ହୋଇ ବସିଛନ୍ତି । ଯାହା ସରକାରଙ୍କର ସ୍ବଚ୍ଛ ଧାନ କ୍ରୟ ନୀତିକୁ ପଦାରେ ପକାଇ ଦେଇଛି। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଗୋପୀନାଥପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ।
ସୂଚନାଯୋଗ୍ୟ, ବିରିଡି ବ୍ଲକ ଗୋପୀନାଥପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରି ଟୋକନ୍ ପାଇଥିବା ଶତାଧିକ ଚାଷୀ ଚଳିତବର୍ଷ ମଣ୍ଡିରେ ଧାନକିଣା ସରିଥିଲେ ସୁଦ୍ଧା ଧାନ ଦେବାରୁ ବଞ୍ଚିତ ହୋଇଛନ୍ତି । ଏହାର ପ୍ରତିବାଦରେ ବୁଧବାରଠାରୁ ସମ୍ପୃକ୍ତ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।
ଧାନ ବିକ୍ରୟରୁ ବଞ୍ଚିତ ଚାଷୀ ବଦ୍ରି ପ୍ରସାଦ ସାହୁଙ୍କ ନେତୃତ୍ୱରେ ସନାତନ ବେହେରା, ଦେବାଶିଷ ସାହୁ, ଶୁଭାଶିଷ ସାହୁ, ଗୌରାଙ୍ଗ ଖୁଣ୍ଟିଆ, ଜଗନ୍ନାଥ ବେହେରା, କୃଷ୍ଣଚନ୍ଦ୍ର ବେହେରା, ରତ୍ନାକର ସାହୁ, ଚିତ୍ତରଞ୍ଜନ ପାତ୍ର, ନରେନ୍ଦ୍ର ସାହୁ, ଶରତ ବେହେରା, ପ୍ରଭଞ୍ଜନ ପରିଡା, ନିରଜ କୁମାର ସାହୁ ପ୍ରମୁଖ ଚାଷୀ ଆନ୍ଦୋଳନକୁ ଓହ୍ଲାଇବା ସହ ବୁଧବାର ଦିନ ୧୧ଟାରେ ଗୋପୀନାଥପୁର ପ୍ରାଥମିକ କୃଷି ସେବା ସମବାୟ ସମିତି ସମ୍ମୁଖରେ ଧାନବସ୍ତା ରଖି ଧାରଣା ଦେଇଲେ। ଚାଷୀଙ୍କ ବଳକା ଧାନ ସରକାରଙ୍କ ଯୋଗାଣ ବିଭାଗ ନ ଉଠାଇବା ପର୍ଯ୍ୟନ୍ତ ଏହି ଧାରଣା ଜାରିରହିବ ବୋଲି ଚାଷୀମାନେ କହିଥିଲେ ।
ଆନ୍ଦୋଳନରତ ଚାଷୀଙ୍କ କହିବା ଅନୁସାରେ ସେମାନେ ସମସ୍ତେ ଗୋପୀନାଥପୁର ମଣ୍ଡିରେ ଧାନ ଦେବାପାଇଁ ନାମ ପଞ୍ଜିକୃତ କରିଥିଲେ । ତଦନୁଯାୟୀ ସରକାରଙ୍କ ପକ୍ଷରୁ ଟୋକନ ମଧ୍ୟ ପାଇଛନ୍ତି ଏବଂ ଫେବୃଆରୀ ୧୫ରୁ ମାର୍ଚ୍ଚ ୧୬ ଭିତରେ ଧାନ ବିକ୍ରୟ ପାଇଁ ମୋବାଇଲରେ ସୂଚନା ଆସିଥିଲା। ହେଲେ ସରକାରଙ୍କ ଧାନ ମଣ୍ଡି ଚଳିତ ବର୍ଷ ପାଇଁ ବନ୍ଦ ହେବାପରେ ଧାନ ବିକ୍ରୟ କରି ନପାରି ଏହି ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନ ବିକ୍ରୟ ସମ୍ପର୍କରେ ଚାଷୀମାନେ ବାରମ୍ବାର ସମବାୟ ସମିତି ସମ୍ପାଦକଙ୍କୁ ଭେଟିଥିଲେ। ସମ୍ପାଦକ ମଧ୍ୟ ଧାନ ଉଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ ; ମାତ୍ର ପରବର୍ତ୍ତୀ ସମୟରେ ବଳକା ଚାଷୀଙ୍କ ଧାନ ଉଠା ଗଲାନାହିଁ । ଫଳରେ ଧାନଦେବାରୁ ବଞ୍ଚିତ ହୋଇଥିଲେ। ପରେ ଜିଲାପାଳଙ୍କୁ ଭେଟି ଧାନ ଉଠାଇବାକୁ ମଧ୍ୟ ଅନୁରୋଧ କରିଥିଲେ। ସେଠାରୁ ନିରାଶ ହେବାରୁ ସେମାନେ ଆନ୍ଦୋଳନ ପନ୍ଥା ଗ୍ରହଣ କରିଥିବା ଚାଷୀ ପ୍ରକାଶ କରିଛନ୍ତି। ପ୍ରଶାସନ ତରଫରୁ ଚାଷୀଙ୍କ ବଳକା ଧାନ ଉଠା ନ ଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ କହିଛନ୍ତି। ତେବେ ଦୁଇଦିନ ହେଲା ଚାଷୀ ସମବାୟ ସମିତି ସମ୍ମୁଖରେ ଧାରଣାରେ ବସିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଆସିନଥିବା ଜଣାପଡିଛି।
ତେବେ ସମବାୟ ସମିତି ସମ୍ମୁଖରେ ଧାରଣା ଦେବା ପରେ ଶନିବାରଠାରୁ ଧାନ ବିକ୍ରୟ କରି ନପାରି ଏହି ଚାଷୀମାନେ ଆମରଣ ଅନଶନ କରିବାକୁ ଯାଉଛନ୍ତି । ଏ ନେଇ ସ୍ଥାନୀୟ ପୁଲିସ ପ୍ରଶାସନକୁ ଅବଗତ କରାଯାଇଥିବା ଧାନ ବିକ୍ରୟରୁ ବଞ୍ଚିତ ଚାଷୀଙ୍କ ଆନ୍ଦୋଳନର ନେତୃତ୍ବ ନେଉଥିବା ବଦ୍ରି ପ୍ରସାଦ ସାହୁ ଓ ଦେବାଶିଷ ସାହୁ ଜଣାଇଛନ୍ତି।
Comments are closed.