ଖୁବ୍‍ଶୀଘ୍ର ଚଳଚ୍ଚିତ୍ର ଅଭିଲେଖାଗାର

0

ଭୁବନେଶ୍ୱର : ଖୁବ୍‍ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି ଚଳଚ୍ଚିତ୍ର ଅଭିଲେଖାଗାର। ଏଣିକି ଦୀର୍ଘବର୍ଷ ଧରି ସଂରକ୍ଷିତ ହୋଇରହିବ ଓଡ଼ିଆ ଚଳଚ୍ଚିତ୍ର। ଏଥିସହ ଚଳଚ୍ଚିତ୍ର ସମ୍ପର୍କିତ ଗବେଷଣା ତ୍ୱରାନ୍ୱିତ ହେବ। ଏଥିନିମନ୍ତେ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ୨୦୧୮-୧୯ ବଜେଟ୍‍ରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅଦ୍ୟାବଧି ସ୍ଥାନ ସ୍ଥିର ହୋଇନଥିବାବେଳେ ସମ୍ଭବତଃ କଳିଙ୍ଗ ଷ୍ଟୁଡିଓ କିମ୍ବା କଟକ ଚଳଚ୍ଚିତ୍ର ଉନ୍ନୟନ ପରିଷଦ (ଏଫ୍‌ଡିସି)ଠାରେ ହେବା ନେଇ ଯୋଜନା ରହିଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଫ୍‍ଡିସିର ଉପର ଦୁଇ ମହଲାରେ କାର୍ଯ୍ୟ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ବିଶେଷଜ୍ଞଙ୍କ ଯୋଜନା ଅନୁସାରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେବ।
ପ୍ରକାଶଥାଉ କି, ଓଡ଼ିଆ ଚଳଚ୍ଚିତ୍ର ଉନ୍ନତି ପାଇଁ ୧୯୯୨-୯୩ ମସିହାରେ ଏପରିି ଯୋଜନା କରାଯାଇଥିଲା। ଏଥିଲାଗି ସ୍ୱତନ୍ତ୍ର ଅର୍ଥରାଶି ମଞ୍ଜୁର ହୋଇଥିଲା। ଇତିମଧ୍ୟରେ ୨୬ ବର୍ଷ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟ ଆଗେଇପାରି ନଥିଲା। ଏବେ ଏହାର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ପ୍ରାରମ୍ଭିକ ପ୍ରସ୍ତୁତିରେ ଚଳଚ୍ଚିତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ରହିଥିବା ପୁରୁଣା ଚଳଚ୍ଚିତ୍ର ଯାହାକି ଆମ ଜନଜୀବନ ତଥା ସାମାଜିକ ଚଳନି ସହିତ ଜଡିତ ତାହା ଏବେ କେଉଁଠି ଆଉ କାହା ପାଖରେ ରହିଛି ଏହାର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ କହିଛନ୍ତି ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ।
ତାଙ୍କ କହିବା ଅନୁସାରେ ବଜେଟ ଆସିଲା ପରେ ଏଦିଗରେ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ। ସରକାରଙ୍କୁ ଏଦିଗରେ ସ୍ୱତନ୍ତ୍ର ବଜେଟ ପାଇଁ ଲେଖାଯାଇଛି। ସରକାର ମଧ୍ୟ ଏଦିଗରେ ପ୍ରସ୍ତୁତ ରହିଛନ୍ତି। ପୂର୍ବରୁ ଚଳଚ୍ଚିତ୍ର ଉନ୍ନୟନ ପରିଷଦକୁ ମ୍ୟାନେଜରିଆଲ ଫଣ୍ଡ ମିଳୁନଥିବାବେଳେ ପ୍ରଥମ ପର୍ଯ୍ୟାୟରେ ମ୍ୟାନେଜରିଆଲ ଫଣ୍ଡ ବାବଦରେ ୫୦ ଲକ୍ଷ ଟଙ୍କା ମଗାଯାଇଥିବା ସେ କହିଛନ୍ତି। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ଅଭିଲେଖାଗାର ବଜେଟ ପାଇଁ ସରକାରଙ୍କୁ ଲେଖାଯିବ। ଅନୁଦାନ ଆସିଲା ପରେ ବିଶେଷଜ୍ଞଙ୍କ ସହିତ ଆଲୋଚନା କରାଯାଇ ଭିତ୍ତିଭୂମି ତଦାରଖ କରିବା ସହିତ ନିର୍ଦ୍ଧାରିତ ପ୍ଲାନ ଅନୁସାରେ କାର୍ଯ୍ୟ କରାଯିବ। ଗତ କିଛି ଦିନ ହେବ କଲକାତାରେ ହୋଇଥିବା ସର୍ବଭାରତୀୟ ଚଳଚ୍ଚିତ୍ର ଅଭିଲେଖାଗାର ସମ୍ମିଳନୀରେ ଯୋଗଦେଇଥିବା ଅନେକ ଏକ୍ସପର୍ଟଙ୍କ ସହିତ ଯୋଗାଯୋଗ ମଧ୍ୟ କରାଯାଇଛି।
ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତାବିବାହ’ର ଅନେକ ଭାଗ ମିଳୁନାହିଁ। କେବଳ ସୀତାବିବାହ ନୁହେଁ ଏମିତି ଅନେକ ପୁରୁଣା ଚଳଚ୍ଚିତ୍ରର ଡକ୍ୟୁମେଣ୍ଟ ହଜିିଗଲାଣି। ଏ ସମ୍ପର୍କରେ ମଧ୍ୟ କୌଣସି ତଥ୍ୟ ନଥିବା ସ୍ପଷ୍ଟ ହୋଇଛି। ତେବେ ବର୍ତ୍ତମାନ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ଦାୟିତ୍ବ ଶ୍ରୀ ତ୍ରିପାଠୀ ନେବା ପରେ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି। କିଛି ଚଳଚ୍ଚିତ୍ରପ୍ରେମୀଙ୍କ ସହିତ ଶ୍ରୀ ତ୍ରିପାଠୀ ମିଶି ଏହାର ପୁନରୁଦ୍ଧାର ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ସମ୍ପ୍ରତି କଳିଙ୍ଗ ଷ୍ଟୁଡିଓର ରୂପରେଖ ବଦଳିବାରେ ଲାଗିଛି। ଚଳଚ୍ଚିତ୍ର ଉନ୍ନତି ପାଇଁ ମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଗଠନ ହୋଇଥିବା ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରି ଏହାର ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ବର୍ତ୍ତମାନ ଷ୍ଟୁଡିଓ କାର୍ଯ୍ୟ ଚାଲୁରହଛି। ୨ଟି କ୍ଷୁଦ୍ର ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ସୁଟିଂ ସରିଥିବାବେଳେ ୫ଟି ଚଳଚ୍ଚିତ୍ରର କିଛି ଭାଗ ଏଠାରେ ସୁଟିଂ ହୋଇଛି। ଅପରପକ୍ଷେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଚଳଚ୍ଚିତ୍ର ଉତ୍ସବ ପାଇଁ ରାଜ୍ୟ ସରକାରଙ୍କୁ ୧ କୋଟି ଟଙ୍କାର ଅନୁଦାନ ମଗାଯାଇଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

Leave A Reply