ସାଧୁଙ୍କ କୁଟୀର ଥିଲା ପୁଣ୍ୟତୋୟା ଗଙ୍ଗାତଟରେ। ପ୍ରତ୍ୟହ କିଛି ଘରୁ ଭିକ୍ଷାସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ। ସାଧୁ ଥିଲେ ଅତିଥି ପରାୟଣ। ପ୍ରତିଦିନ ଅତିଥିଙ୍କୁ ଭୋଜନ ନ ଦେଲା ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରୁ ନଥିଲେ। ସ୍ଥାନୀୟ ଅଧିବାସୀ ସାଧୁଙ୍କ ଅତିଥି ପରାୟଣତା ସମ୍ପର୍କରେ ଜାଣିଥିବାରୁ ସେ ଯେଉଁ ଘରକୁ ଭିକ୍ଷା ସଂଗ୍ରହ ପାଇଁ ଯାଇଥାନ୍ତି, ଗୃହକର୍ତ୍ତା ଆଶାନୁରୂପ ଭିକ୍ଷା ଦେଉଥିଲେ। ଅତିଥି ସେବାକୁ ନାରାୟଣ ସେବା ବୋଲି ଭାବି ନେଇଥିବା ସାଧୁ ଥିଲେ ଭଗବତ୍ ପ୍ରାଣ। କୁଟୀର ସମ୍ମୁଖ ମାର୍ଗ ଦେଇ ଯାଉଥିବା ଭୋକିଲା ଭିକାରିଙ୍କୁ ପରମ ଆଗ୍ରହରେ ଆମନ୍ତ୍ରଣ କରି ଭୋଜନ ପରଷି ଦେବାରେ ପାଉଥିଲେ ଆନନ୍ଦ। ଆଗନ୍ତୁକ ଖାଇସାରି ଯିବାପରେ ସେ ଖାଦ୍ୟ ଗ୍ରହଣ କରୁଥିଲେ। ଦିନେ ଏହାର ବ୍ୟତିକ୍ରମ ହୋଇଥିଲା। ଅପରାହ୍ଣ ପର୍ଯ୍ୟନ୍ତ କୌଣସି କ୍ଷୁଧାତୁର ବ୍ୟକ୍ତି (ଅତିଥି)ଙ୍କ ଦେଖା ମିଳିଲାନି। ସନ୍ଧ୍ୟା ଆଗମନର ପ୍ରାକ୍ ମୁହୂର୍ତ୍ତରେ ସାଧୁ ବିବ୍ରତ ହୋଇ ପଡ଼ିଥିଲେ। ନିୟମଭଙ୍ଗ ଆଶଙ୍କାରେ ବ୍ୟାକୁଳ ହୋଇପଡ଼ିଲେ। ସଂଯୋଗବଶତଃ ସନ୍ଧ୍ୟା ପୂର୍ବରୁ ଜଣେ ଲୋଳିତଚର୍ମ, ଅବସନ୍ନ ବୃଦ୍ଧ ସେହି ମାର୍ଗଦେଇ ଯାଉଥିବାବେଳେ ନଜରରେ ପଡ଼ିଥିଲେ ସାଧୁଙ୍କର। ବ୍ୟକ୍ତିଜଣକ ଜଣାପଡ଼ୁଥିଲେ ଶ୍ରାନ୍ତକ୍ଳାନ୍ତ। ସାଧୁ ପ୍ରସନ୍ନ ହୋଇ ତାଙ୍କୁ ଡାକି ଆଣି ତାଙ୍କର ପାଦଧୋଇଦେଇ ଯଥାରୀତି ଅଭ୍ୟର୍ଥନା ପୂର୍ବକ ଆସନ ବିଛାଇ ଖାଦ୍ୟ ପରଷି ଦେଇଥିଲେ। ଆଗନ୍ତୁକ କ୍ଷୁଧାତୁର ଥିଲେ। ଈଶ୍ବରଙ୍କୁ ଖାଦ୍ୟ ଅର୍ପଣ ନକରି ହଠାତ୍ ଖାଇବାକୁ ଆରମ୍ଭ କଲେ। ସାଧୁ ମହାତ୍ମା ପ୍ରଶ୍ନ କରିଥିଲେ ଆପଣ ଯେଉଁ ଈଶ୍ବରଙ୍କ ଅନୁଗ୍ରହରେ ବଞ୍ଚିଛନ୍ତି, ତାଙ୍କୁ ଖାଦ୍ୟ ଅର୍ପଣ ନକରି ଖାଇଲେ କିପରି? ବୃଦ୍ଧ ଉତ୍ତର ଦେଇଥିଲେ- ‘କ୍ଷୁଧାରେ ଜଠର ଜଳୁଥିବାବେଳେ ଈଶ୍ବରଙ୍କ ସହ ସମ୍ପର୍କ ସ୍ଥାପନ ହେବ କିପରି? ମୁଁ ଈଶ୍ବର-ଦେବତା କିଛି ମାନେନାହିଁ। ଭୋଜନ ସମୟରେ ମୋତେ ବିରକ୍ତ କରନ୍ତୁ ନାହିଁ।’ ଆଗନ୍ତୁକଙ୍କଠାରୁ ଏହା ଶୁଣି ସାଧୁମହାତ୍ମା ଏତେ କ୍ଷୁବ୍ଧ ହୋଇଗଲେ ଯେ ହିତାହିତ ଜ୍ଞାନ ହରାଇ, ଅତିଥି ଧର୍ମ ଭୁଲି ଖାଇବା ପତ୍ରକୁ ଫିଙ୍ଗିଦେଇ କୁଟୀରରୁ ବାହାର କରିଦେଇଥିଲେ। ବିଚରା ବୃଦ୍ଧ ବିନା ବାକ୍ୟବ୍ୟୟରେ ଚାଲି ଯାଇଥିଲେ। ସେହି ରାତିରେ ସାଧୁ ମହାତ୍ମା ସ୍ବପ୍ନ ଦେଖିଲେ ଭଗବାନ ତାଙ୍କୁ କହୁଛନ୍ତି- ‘ନର ସେବା ନାରାୟଣ ସେବାକୁ ଜୀବନର ସାଥି କରିଥିଲ। ହେଲେ ଆଜି ତୁମେ ସେହି କ୍ଷୁଧାତୁର ବ୍ୟକ୍ତିଙ୍କ ସହ ଯେଭଳି ବ୍ୟବହାର କଲ, ସେଥିରେ ତୁମର ସକଳ ପୁଣ୍ୟ ନଷ୍ଟ ହୋଇଗଲା।’ ‘ପ୍ରଭୁ ! ସେ ତ ଆପଣଙ୍କ ସହ େଦ୍ରାହ ଆଚରଣ କଲା, ଆପଣଙ୍କ ଅବମାନନା ମୁଁ ସହି ପାରିଲିନି। ସେହି ଈଶ୍ବରଦ୍ରୋହୀକୁ କ୍ରୋଧରେ ତଡ଼ି ଦେଲି’- କହିଥିଲେ ସାଧୁ। ‘ତା’ର ଦୁଃସ୍ଥିତି ନେଇ ସେ ସବୁଦିନ ମୋତେ ଗାଳି ଦେଉଛନ୍ତି। ମୁଁ ତ ତାହା ସହି ଯାଉଛି। ତୁମେ ଗୋଟିଏ ଦିନ ବି ସହି ପାରିଲନି, ଅତିଥି ସହ ଘୋର ଅନ୍ୟାୟ କଲ।’ ସାଧୁ ମହାତ୍ମାଙ୍କ ନିଦ ଭାଙ୍ଗିଗଲା। ଅନୁଭବ କଲେ ସତରେ ଭଗବାନ କେତେ ଉଦାର। ନିନ୍ଦା, ଗାଳି ସବୁ କିଛିକୁ ନିର୍ବିକାରରେ ସହି ଯାଉଛନ୍ତି। ଏଇ ତ ମହତପଣିଆ।
Popular Categories



