mission shakti banner

ନୂଆପାଟଣା ମଦନମୋହନଙ୍କ ଚନ୍ଦନ ଯାତ୍ରା ଆରମ୍ଭ

୧୨ଶହ ବହୁରୂପୀଙ୍କ ଗହଣରେ ନଗର ପରିକ୍ରମା, ଝଲସୁଛି ସାହିଗଳି,୧୭ ପୂଜା ମଣ୍ଡପରେ ମୃଣ୍ମୟ ପ୍ରତିମା ପୂଜା

BSKY banner  750×100
ତିଗିରିଆ :  ଆନ୍ତର୍ଜାତୀୟ ସ୍ତରରେ ହସ୍ତତନ୍ତ ପାଇଁ ପ୍ରସିଦ୍ଧ ତଥା କଳା ଓ ସଂସ୍କୃତି ସମ୍ପନ୍ନ ନୂଆପାଟଣାରେ ବାର ମାସରେ ୧୩ ପର୍ବ ଅନୁଷ୍ଠିତ ହୋଇଥାଏ। ସେଥି ମଧ୍ୟରେ ଗ୍ରାମର ଆରାଧ୍ୟ ପ୍ରଭୁ ମଦନମୋହନଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି।
ପୁରୁଣା ପରମ୍ପରା ଅନୁଯାୟୀ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାର ପ୍ରଥମ ଦିନ ସାନ ଚନ୍ଦନ ଯାତ୍ରା, ଦ୍ଵିତୀୟ ଦିନ ବଡ ଚନ୍ଦନ ଓ ତୃତୀୟ ଦିନ ମାଛ ବିନ୍ଧା ତଥା ଭସାଣ ଯାତ୍ରା ପାଳନ କରାଯାଇଥାଏ। ଏହି ଚନ୍ଦନ ଯାତ୍ରା ପାଇଁ ସମଗ୍ର ନୁଆପାଟଣା ଅଞ୍ଚଳ ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇ ଉଠିଛି। ପ୍ରତିଟି ପରିବାର ବେଶ ଉତ୍ସାହର ସହିତ ଯାତ୍ରାକୁ ସରସ ସୁନ୍ଦର, ଆକର୍ଷଣୀୟ ଓ ଶୃଙ୍ଖଳିତ କରିବାରେ ନିଜକୁ ନିମଜ୍ଜିତ ରଖିଥିବା ଦେଖିବାକୁ ମିଳିଛି। ସାହିଗଳିଠୁ ଆରମ୍ଭ କରି ପୂଜା ମଣ୍ଡପ ପର୍ଯ୍ୟନ୍ତ ବିଭିନ୍ନ ସାଜସଜ୍ଜାରେ ନୂଆପାଟଣା ଝଲସି ଉଠିଛି। ନୂଆପାଟଣାର ସମସ୍ତ ସାହି ଗଳିରେ ମୋଟ ୧୭ଟି ପୂଜା ମଣ୍ଡପରେ ବିଭିନ୍ନ ଦେବାଦେବୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇବା ସହିତ ସବୁଠାରେ ଆକର୍ଷଣୀୟ ସାଜସଜା ଦେଖିବାକୁ ମିଳିଛି। ତା ସହିତ ସମ୍ପୂର୍ଣ୍ଣ ନୂଆପାଟଣା ବିଭିନ୍ନ ପ୍ରକାର ଆଲୋକ ତୋରଣ ଓ ଆଲୋକ ମାଳାରେ ସଜେଇ ହୋଇଯାଇଛି।

 ମଦନମୋହନଙ୍କ ପୀଠ ପରମ୍ପରା ଅନୁଯାୟୀ ଗତ ବୈଶାଖ ପୂର୍ଣ୍ଣିମା ଠାରୁ ଚନ୍ଦନ ପର୍ବର ମାରମ୍ଭ ହୋଇଛି। ପୂର୍ଣ୍ଣିମାରେ ଚନ୍ଦନ ପୋଖରୀକୁ ଡଙ୍ଗା ଆସିବା ପରେ ଦ୍ଵିତୀୟାରେ ଡଙ୍ଗା ସ୍ପର୍ଶ, ତୃତୀୟାରେ ଚନ୍ଦନ ମଣ୍ଡପ ସ୍ପର୍ଶ, ଚତୁର୍ଥୀରେ ଚାପରେ ଭଉଁରୀ ଖେଳ ଆରମ୍ଭ ହୋଇଥିଲା। ଶୁକ୍ରବାର ପଞ୍ଚମୀ ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବା ସହ ଭଉଁରୀ ଖେଳ ଆରମ୍ଭ ହୋଇଛି। ଶୁକ୍ରବାର ଠାରୁ ତିନି ଦିନ ଧରି ବହୁରୂପୀ ଓ କୀର୍ତ୍ତନ ମଣ୍ଡଳୀଙ୍କୁ ନେଇ ବିଶାଳ ଶୋଭାଯାତ୍ରାରେ ପ୍ରଭୁ ମଦନମୋହନ ଗ୍ରାମରେ ନଗର ପରିକ୍ରମା କରିବେ। ଗ୍ରାମର ଚୈତନ୍ୟ, ଗୋପୀନାଥ ଏବଂ ରାଧାମୋହନଙ୍କ ପୀଠର କୀର୍ତ୍ତନ ମଣ୍ଡଳୀ ସହିତ ମଦନମୋହନ ପୀଠର କୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନରେ ଗ୍ରାମରେ ଆଧ୍ୟାତ୍ମିକ ବାତାବରଣ ଖେଳି ଯାଇଛି। ଅପରପକ୍ଷେ  ଯାତ୍ରାରେ ପ୍ରତ୍ୟେହ ବିଭିନ୍ନ କମିଟି ପକ୍ଷରୁ ସାଂସ୍କୁତିକ କାର୍ଯ୍ୟକ୍ରମ କରାଯିବା ସହ ବିଭିନ୍ନ ସାହିର ଯୁବକ ସଂଘ ପକ୍ଷରୁ ରାତ୍ର ସମୟରେ ସାମାଜିକ ନାଟକ ପରିବେଷଣ କରାଯିବାର ସୂଚନା ଦିଆଯାଇଛି। ମନ୍ଦିର ଟ୍ରଷ୍ଟି ସଚ୍ଚିଦାନନ୍ଦ ଦାସ ଏବଂ ସୁରେଶ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ସେବା ନୀତି ଅନୁଷ୍ଠିତ ହେଉଥିବା ବେଳେ ଗ୍ରାମ ପରିଚାଳନା ସଭାପତି ପ୍ରକାଶ କୁମାର ଦାସ, ସମସ୍ତ ପରିଚାଳନା କମିଟି ସଦସ୍ୟ ଏବଂ ଗ୍ରାମବାସୀ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ କରିବାରେ ଲାଗିପଡ଼ିଛନ୍ତି। ଆସନ୍ତା ୧୪ ତାରିଖରେ ମାଛବିନ୍ଧା ଏଵଂ ସାମୂହିକ ଭସାଣ ପର୍ବ ଅନୁଷ୍ଠିତ ହେବ।

Comments are closed.