ଅନାସ୍ଥା ପ୍ରସ୍ତାବ ଓ ଏନେଇ ତଥ୍ୟ
ଦେଶର ଶାସନ କ୍ଷମତା ନିଜ ନିକଟରେ କାଏମ ରଖିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ସର୍ବପ୍ରଥମେ ଲୋକସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିଥାଏ। ସରକାରରେ ଥିବା ରାଜନୈତିକ ଦଳ ସଂଖ୍ୟାଗରିଷ୍ଠତା ହରାଇଥିବା ପ୍ରମାଣ କରିବା ଲାଗି ବିରୋଧି ଦଳଗୁଡିକ ଅନାସ୍ଥା ପ୍ରସ୍ତାବ ଆଗତ କରନ୍ତି। ଏଥିନିମନ୍ତେ ବିରୋଧୀ ଦଳଗୁଡିକ କୌଣସି କାରଣ ଦର୍ଶାଇବା ବାଧ୍ୟତାମୂଳକ ନୁହେଁ। ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବା ପରେ କେନ୍ଦ୍ର ସରକାରଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡେ।
କେମିତି ଆସେ ଅନାସ୍ଥା ପ୍ରସ୍ତାବ?
ଅନାସ୍ଥା ପ୍ରସ୍ତାବ କେବଳ ଲୋକସଭାରେ ଆଗତ କରାଯାଇଥାଏ। ଗୃହର ଯେକୌଣସି ସଦସ୍ୟ ଏହି ପ୍ରସ୍ତାବ ଆଣିପାରିବେ। ଏ ନେଇ ଲୋକସଭା କାର୍ଯ୍ୟପ୍ରକ୍ରିୟା ଓ ଆଚରଣ ସମ୍ବନ୍ଧୀୟ ନିୟମାବଳୀର ୧୯୮ ନମ୍ବରରେ ଅନାସ୍ଥା ପ୍ରସ୍ତାବ ଆଗତ ପ୍ରକ୍ରିୟା ବିଷୟରେ ଉଲ୍ଲେଖ ରହିଛି। ଏଥିକ୍ରମେ ଲୋକସଭା କାର୍ଯ୍ୟଦିବସର ପୂର୍ବାହ୍ଣ ୧୦ଟା ପୂର୍ବରୁ ସଦସ୍ୟଙ୍କୁ ଅନାସ୍ଥା ପ୍ରସ୍ତାବ ସମ୍ବନ୍ଧୀୟ ଲିଖିତ ନୋଟିସ୍ ଦେବାକୁ ପଡେ। ପରେ ବାଚସ୍ପତି ଏହାକୁ ପାଠ କରନ୍ତି। ୫୦ ଜଣ ସଦସ୍ୟଙ୍କ ସମର୍ଥନ ପରେ ବାଚସ୍ପତି ଏହା ଉପରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରନ୍ତି। ପ୍ରସ୍ତାବ ଗୃହୀତ ହେବାର ୧୦ ଦିନ ମଧ୍ୟରେ ଭୋଟିଂ ହୁଏ। ଅନ୍ୟଥା ପ୍ରସ୍ତାବ କାଟ୍ ଖାଏ।
ଆସ୍ଥା ଭୋଟ୍ କ’ଣ?
ଆସ୍ଥା ଭୋଟ୍ ବା ବିଶ୍ୱାସମତ ପ୍ରକ୍ରିୟାରେ ସରକାର ନିଜ ନିକଟରେ ସଂଖ୍ୟାଗରିଷ୍ଠତା ଥିବା ପ୍ରମାଣ ଦିଅନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପ୍ରସ୍ତାବ ଆଗତ ହୋଇଥାଏ; କିନ୍ତୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହେଲେ ସରକାରଙ୍କୁ ଇସ୍ତଫା ଦେବାକୁ ପଡେ। ଏହା ପରେ ଅନ୍ୟ କୌଣସି ଦଳ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରନ୍ତି।
ହୁଇପ୍ କ’ଣ?
ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ବେଳେ ଗୃହରେ ଉପସ୍ଥିତ ରହି ନିର୍ଦେଶ ମୁତାବକ ମତଦାନ କରିବା ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଦଳୀୟ ସଦସ୍ୟଙ୍କ ନିମନ୍ତେ ଜାରି କରାଯାଇଥିବା ନିର୍ଦେଶକୁ ହୁଇପ୍ କୁହାଯାଏ। ଯଦି କୌଣସି ସଦସ୍ୟ ଏହି ନିର୍ଦେଶ ପାଳନରେ ବ୍ୟତିକ୍ରମ କରନ୍ତି ତା’ହେଲେ ଦଳୀୟ ନେତୃବୃନ୍ଦ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ତଥା ତାଙ୍କୁ ଦଳରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥାଆନ୍ତି।
ପ୍ରଥମ ଅନାସ୍ଥା ପ୍ରସ୍ତାବ
୧୯୬୩ରେ ଲୋକସଭାରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍ ନେହରୁଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଆଚାର୍ଯ୍ୟ କ୍ରିପାଳିନୀ ଏହି ପ୍ରସ୍ତାବ ଆଣିଥିଲେ।
ଅନାସ୍ଥା ପ୍ରସ୍ତାବ ଭୋଟିଂରେ ବିଫଳ ପୂର୍ବତନ ପ୍ରଧାନମନ୍ତ୍ରୀ
ମୋରାର୍ଜୀ ଦେଶାଇ:୧୯୭୯
ଭି. ପି. ସିଂହ:୧୯୯୦
ଏଚ୍. ଡି. ଦେବେଗୌଡା:୧୯୯୭
ଅଟଳ ବିହାରୀ ବାଜପେୟୀ:୧୯୯୯