ଗୋଆରେ ସାୱନ୍ତଙ୍କ ଆସ୍ଥା ଭୋଟ ଆଜି
ପାଣାଜୀ : ଏକ ବିରଳ ଘଟଣାକ୍ରମେ ସୋମବାର ରାତି ପ୍ରାୟ ୧ଟା ୫୦ରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ପ୍ରମୋଦ ସାୱନ୍ତ ବୁଧବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ କରିବେ। ଆସ୍ଥା ଭୋଟ୍ ଲୋଡ଼ିବା ନେଇ ମୁଖ୍ୟମନ୍ତ୍ରୀ ସାୱନ୍ତ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ପତ୍ର ଲେଖିବା ପରେ ରାଜ୍ୟପାଳ ବୁଧବାର ପୂର୍ବାହ୍ଣ ୧୧ଟା ୩୦ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆହ୍ବାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ ପରେ ସାୱନ୍ତ କହିଛନ୍ତି ଯେ ତାଙ୍କ ସରକାର ସପକ୍ଷରେ ୨୧ ବିଧାୟକଙ୍କ ସମର୍ଥନ ରହିଛି। ସେଥିମଧ୍ୟରେ ବିଜେପିର ୧୨, ମେଣ୍ଟ ସହଯୋଗୀ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମ୍ଜିପି) ଓ ଗୋଆ ଫରୱାର୍ଡ ପାର୍ଟି (ଜିଏଫ୍ପି)ର ତିନି ଜଣ ଲେଖାଏଁ ଏବଂ ତିନି ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ବିଳମ୍ବ ନ କରି ବୁଧବାର ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ବୋଲି ସାୱନ୍ତ କହିଛନ୍ତି। ଏଥିସହିତ ତାଙ୍କ ସରକାର ଦିବଂଗତ ମୁଖ୍ୟମନ୍ତ୍ରୀ ମନୋହର ପରିକରଙ୍କ ଆଦର୍ଶରେ ପରିଚାଳିତ ହେବ ଓ ତାଙ୍କ ଅଧୁରା କାର୍ଯ୍ୟକୁ ପୂର୍ଣ୍ଣ କରିବ। ପରିକରଙ୍କ ଶେଷ ବିଶ୍ରାମସ୍ଥଳ ଗୋଆର ମୀରାମାର ସମୁଦ୍ରତଟ (ବିଚ୍)ରେ ଏକ ସ୍ମାରକୀ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ରାଜ୍ୟରେ ୭ଦିନ ଶୋକ ପାଳନ ହେଉଥିବାରୁ କୌଣସି ଶୁଭେଚ୍ଛା କିମ୍ବା ଫୁଲତୋଡ଼ା ପ୍ରଦାନ ନ କରିବାକୁ ସେ ଶୁଭେଚ୍ଛୁଙ୍କୁ ନିବେଦନ କରିଛନ୍ତି। ସାୱନ୍ତ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ବସିବାବେଳେ ପରିକର ବସୁଥିବା ଚୌକିେର ତାଙ୍କର ଫଟୋ ସ୍ଥାପନ କରିଥିଲେ ଓ ଏହାକୁ ନିଜ ପାର୍ଶ୍ବରେ ରଖିଥିଲେ।
ରବିବାର ପରିକରଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ବାଛିବା ନେଇ ବିଜେପି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବେଶ୍ କସରତ କରିବାକୁ ହୋଇଥିଲା। ୨୦୧୭ରେ ସରକାର ଗଠନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇଥିବା କେନ୍ଦ୍ରମନ୍ତ୍ରୀ ନୀତୀନ୍ ଗଡ଼କରୀ ଏଥର ସରକାର ବଞ୍ଚାଇବାକୁ ଅଣ୍ଟା ଭିନିଥିଲେ। ରବିବାର ରାତିରୁ ପାଣାଜୀଠାରେ ଅବସ୍ଥାନ ପୂର୍ବକ ବରିଷ୍ଠ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଦଳର ରାଜ୍ୟ ସଭାପତି ବିନୟ ତେନ୍ଦୁଲକର ଓ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେଙ୍କୁ ବୁଝାସୁଝା କରିଥିଲେ। ସେହିପରି ଦୁଇ ମେଣ୍ଟ ସହଯୋଗୀ ଦଳ ଓ ସମର୍ଥକ ସ୍ବାଧୀନ ବିଧାୟକଙ୍କୁ ସନ୍ତୁଷ୍ଟ କରି ସରକାର ବଞ୍ଚାଇବା ପ୍ରୟାସ ଚଳାଇଥିଲେ। ସୋମବାର ଅପରାହ୍ଣରେ ବିଧାନସଭା ବାଚସ୍ପତି ତଥା ପରିକରଙ୍କ ଘନିଷ୍ଠ ଭାବେ ପରିଚିତ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଥିଲା। ମେଣ୍ଟ ସହଯୋଗୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦୁଇ ଦଳର ମୁଖ୍ୟଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏମ୍ଜିପି ନେତା ସୁଦିନ ଡାବାଲିକର ଓ ଜିଏଫ୍ପି ନେତା ବିଜୟ ସରଦେଶାଇ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ଥିର ହୋଇଥିଲା।
ସେପେଟ କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଥିବାରୁ କାେଳ କିଛି ସମସ୍ୟା ସୃଷ୍ଟି ହେବ ସେହି ଆଶଙ୍କାରେ ବିଳମ୍ବ ନ କରି ସାୱନ୍ତଙ୍କ ଶପଥ ଗ୍ରହଣ ଶେଷ କରାଇବାକୁ ବିଜେପି କେନ୍ଦ୍ରୀୟ ନେତୃୃବୃନ୍ଦ ଉଦ୍ୟମ ଚଳାଇଥିଲେ। ଅତି ତରବରରେ ରାତି ୧୧ଟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିଲା; କିନ୍ତୁ ଏମ୍ଜିପିରେ ବିଭାଜନ ଘଟିବାର ପ୍ରଚାର ଓ ଜିଏଫ୍ପି ପକ୍ଷରୁ ସମର୍ଥନପତ୍ର ଦାଖଲରେ ଟାଳଟୁଳ ପଦକ୍ଷେପ ନେଇ ଶପଥ ଗ୍ରହଣ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଥିଲା। ବହୁ ନାଟକ ପରେ ପ୍ରମୋଦ ସାୱନ୍ତ ସରକାର ଗଠନ ପାଇଁ ରାତି ୧୨ଟା ପରେ ଦାବି ଉପସ୍ଥାପନ କରିବା ପରେ ରାଜ୍ୟପାଳ ତାଙ୍କୁ ଶପଥ ଗ୍ରହଣ ପାଇଁ ଡାକିଥିଲେ। ଶେଷରେ ରାତି ୧ଟା ୫୦ରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳ ମୃଦୁଳା ସିହ୍ନା ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ସୁଦିନ ଡାବାଲିକର ଓ ବିଜୟ ସରଦେଶାଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଥିଲେ। ସେମାନଙ୍କ ସହିତ ୧୧ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ। ମନ୍ତ୍ରିମଣ୍ଡଳରେ ଏନ୍ସିପିର ଜଣେ ମାତ୍ର ସଦସ୍ୟ ସ୍ଥାନ ପାଇଛନ୍ତି।
ଅପରପକ୍ଷରେ ସଂଖ୍ୟାଧିକତାର ଦ୍ବାହି ଦେଇ ବାରମ୍ବାର ସରକାର ଗଠନ ପାଇଁ ଦାବି ସତ୍ତ୍ବେ ରାଜ୍ୟପାଳ କଂଗ୍ରେସର ଆବେଦନକୁ ଏଡ଼ାଇ ଯାଇଥିଲେ। ଏଥିନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟପାଳ ବିଜେପିର ‘କୃତ୍ରିମ ସଂଖ୍ୟାଗରିଷ୍ଠତା’ ଉପରେ ଭରସା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଉଲ୍ଲେଖଯୋଗ୍ୟ ଯେ ୪୦ଆସନ ବିଶିଷ୍ଟ ବିଧାନସଭାର ୪ଟି ଆସନ ଏବେ ଶୂନ୍ୟ ରହିଛି। ଅବଶିଷ୍ଟ ୩୬ ମଧ୍ୟେର କଂଗ୍ରେସ ସଦସ୍ୟ ସଂଖ୍ୟା ୧୪।