ରାଜ୍ୟ ଉଦ୍ଭିଦ ଉଦ୍ୟାନ : ବିନାଟେଣ୍ଡରରେ  ଚାଲିଛି ବାମ୍ବାସେଟ ଉଦ୍ୟାନ କାମ, ବର୍ଷେ ନ ପୂରୁଣୁ ହେଉଛି ନବିକରଣ 

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀଉଦ୍ୟାନ ଅଧିନସ୍ଥ ରାଜ୍ୟ ଉଦ୍ଭିଦ(ବଟାନୀକାଲ ଗାର୍ଡେନ)ଉଦ୍ୟାନ ନୂଆ କରି ହୋଇଥିବା ବାମ୍ବୋସେଟ ଉଦ୍ୟାନର ପୁନଃ କାର୍ଯ୍ୟ ଚାଲିଛି।ଏହା ପୁଣି ବିନା ଟେଣ୍ଡରରେ ହେଉଛି।ଗତ ୨୦୨୨-୨୩ ଆର୍ଥିକବର୍ଷରେ ଏହି ଉଦ୍ୟାନର ନିର୍ମାଣ କର୍ଯ୍ୟ ହୋଇଥିଲା। ଏହାକୁ ସୈାନ୍ଦର୍ଯ୍ୟକରଣ କରିବା ପାଇଁଁ ୫୫ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ଏହି ଉଦ୍ୟାନରେ ବିଭିନ୍ନ ପ୍ରଜାତିର ବାଉଁଶ ଗଛ,ଘାସ, ଗୃହ, ଝରଣା, ଜଳ ଫୁଆରୀ, ବସିବା ପାଇଁ ବିଶ୍ରାମସ୍ଥଳୀ ସହ ଖୁବ୍ ସୁନ୍ଦର କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ନିର୍ମିତ ହୋଇଥିଲା। ପ୍ରବେଶ ପଥଟି ସଂପୂର୍ଣ୍ଣ ବାଉଁଶରେ ତୋରଣ କରାଯିବା ସହ ପର୍ଯ୍ୟଟକମାନଙ୍କ ପାଇଁ ବିଶ୍ରାମସ୍ଥଳୀ ନିର୍ମାଣ ହୋଇଥିଲା। କିନ୍ତୁ ଉଦଘାଟନ ପୂର୍ବରୁ ବା ବର୍ଷେ ହୋଇନାହିଁ ନିର୍ମାଣ ହୋଇଥିବା ବିଶ୍ରାମସ୍ଥଳୀ, ମୁଖ୍ୟପ୍ରବେଶ ପଥ ତୋରଣ,ପାଚେରି, ରାସ୍ତା ଭାଙ୍ଗି ନଷ୍ଟ ହୋଇଯାଇଥିଲା। ତା’ ସହ ବିଭିନ୍ନ ପ୍ରଜାତିର ବାଉଁଶ ଗଛ ଓ ଘାସ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା।

୫୫ଲକ୍ଷଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଏହି ବାମ୍ବୋସେଟ ଉଦ୍ୟାନ ଏଭଳି ସ୍ଥିତି କିପରି ହେଲା ,ତାହା ବୁଝିବା ସମ୍ଭବପର ହେଉନାହିଁ।ଏବେ ପୁଣି ୨୦୨୩-୨୪ ଆର୍ଥିକ ବର୍ଷାରେ ଏହି ଉଦ୍ୟାନର ମରାମତି ବା ପୁନରୁଦ୍ଧାର ପାଇଁ ୪୫ଲକ୍ଷଟଙ୍କା ବ୍ୟୟବରାଦ ହୋଇଛି।ତାହା ପୁଣି ବିନା ଟେଣ୍ଡରରେ। କିନ୍ତୁ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନର ସମସ୍ତ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ହେବାର ନିୟମ ରହିଛି। ଏହାକୁ ଉଲ୍ଲଘଂନ କରି କୋଟିଏ ଟଙ୍କା କିପରି ଖର୍ଚ୍ଚ ହେବ, ତାହା ତଦନ୍ତ ସାକ୍ଷେପ। ପୂର୍ବ ବର୍ଷ ନିମ୍ନମାନର କାର୍ଯ୍ୟ ଫଳରେ ଏହି ଉଦ୍ୟାନ ଭାଙ୍ଗିଋଜି ଯାଇଛି, ତାହା ସ୍ପଷ୍ଟ ହୋଇଛି।

prayash

ବିନା ଟେଣ୍ଡରରେ ବିପୁଳ ଅର୍ଥ ବ୍ୟୟ ହେବାକୁ ନେଇ ଉଦ୍ୟାନ ଭିତରେ ଥିବା କର୍ମଚାରୀମାନଙ୍କ ବାସଭବନ ଭାଙ୍ଗାଯାଇ ଓ ଭଙ୍ଗା ପାଚେରିରୁ ବାହାରିବା ପଥର ଓ ରଡ ସହିତ କିଛି ନୂଆ ପଥର,ରଡ ମିଶାଇ ପ୍ରାଚୀର ଓ ତୋରଣ, ପାଣି କୁଣ୍ଡ କାମରେ ଲଗାଯାଉଛି।ବିନା ଖତ ଓ ମାଟିରେ ଟାଙ୍ଗରା ଭୂଇଁରେ ଘାସ ଲଗାଯାଇଛି, ଯାହା ଏବେ ମରି ଗଲାଣି।ବାମ୍ବୋସେଟ ଉଦ୍ୟାନ ନିର୍ମାଣ ସମୟରେ ଯେଭଳି ଭିତ୍ତିଭୂମି ରହିବା କଥା ତାହା ନିୟମମାନୁଯାୟୀ କରାଯାଉନାହିଁ।

ଏବେ ମଧ୍ୟ ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ନନ୍ଦନକାନନ ଜୀବଜନ୍ତୁ ଓ ଜଙ୍ଗଲ ସୁରକ୍ଷା ମଞ୍ଚ ଅଭିଯୋଗ କରିଛି।ଏହି କାର୍ଯ୍ୟ ଉଦ୍ୟାନର ନୂଆ କରି ଆସିଥିବା ଡେପୁଟି ବନାଞ୍ଚଳ(ରେଞର) ଖେଳପ୍ରିୟ ସାହୁଙ୍କ ନାମରେ ଥିବାବେଳେ ତଦାରଖ ଦାୟିତ୍ବରେ ଥିବା ଏସିଏଫ ଡ. ସୁଦୀପ୍ତ ପଣ୍ଡା ଠିକାଦାର ସାଜିଛନ୍ତି। ତେଣୁ କାର୍ଯ୍ୟରେ ସ୍ବଛ୍ଛତା କିଭଳି ଆସିବ ତାହା ଜଳ ଜଳ ହୋଇ ଜଣାପଡୁଛି।ତେଣୁ ଦୋଷ ଘୋଡାଇବାକୁ ଯାଇ ବିନାଟେଣ୍ଡରରେ କାର୍ଯ୍ୟ କରିବାର ସୁଯୋଗ ନେଇ ପ୍ରଚୁର ହରିଲୁଟ କରିବା ଅସମ୍ଭବ ନୁହେଁ ବୋଲି କର୍ମଚାରୀ ମହଲରେ ଚର୍ଚ୍ଚା ହେଉଛି।

ପ୍ରଥମ ବର୍ଷ ୫୫ଲକ୍ଷଟଙ୍କା ବ୍ୟୟହୋଇ ନଷ୍ଟ ହେବା ପରବର୍ଷ ପୁଣି ନବୀକରଣ ପାଇଁ ୪୫ଲକ୍ଷଟଙ୍କା ବ୍ୟୟ ହେବା ଘଟଣା ଏହାର ସ୍ବଛ୍ଛତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।ଏ ନେଇ ନନ୍ଦନକାନନ ଜୀବଜନ୍ତୁ ଓ ଜଙ୍ଗଲ ସୁରକ୍ଷା ମଞ୍ଚ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛି।ଏ ସଂକ୍ରାନ୍ତରେ ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାୟଣଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପୁରୁଣା ପଥର ବ୍ୟବହାର କରାଯାଉଛି, କିନ୍ତୁ ସେ ବାବଦରେ ଟଙ୍କା ଦିଆଯିବ ନାହିଁ ଓ ଟାଙ୍ଗରା ଭୂମି ପାଇଁ ଘାସ ମରୁଛି। ଏହି ବାମ୍ବୋସେଟ ଉଦ୍ୟାନକୁ ନନ୍ଦନକାନନ ପ୍ରତିଷ୍ଠା ଦିବସରେ ବିଭାଗୀୟ ମନ୍ତ୍ରୀ ଉଦଘାଟନ କରିବେ। ତେବେ ଘଟଣା ସମ୍ପର୍କରେ ତଦନ୍ତ କରିବି ଏବଂ ଏଥିରେ କେହି ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ନିୟମାନୁସାରେ ଦଣ୍ଡବିଧାନ ବ୍ୟବସ୍ଥା କରାଯିବ ବୋଲି ନନ୍ଦନକାନନ ଉପନିର୍ଦେଶକ ପ୍ରକାଶ କରିଛନ୍ତି।

Comments are closed.