‘ନୋମୋଫୋବିଆ’କୁ ନା

0

ମୋବାଇଲ୍ ଫୋନ୍ ଯେଉଁଦିନୁ ‘ସ୍ମାର୍ଟ’ ପାଲଟିଲାଣି, ତାକୁ ପରିଚାଳନା କରୁଥିବା ମଣିଷମାନେ ସେହିଦିନୁ ଅଧିକ ନିର୍ବୋଧ ହେଉଛନ୍ତି କି? ଏଭଳି ଏକ ପ୍ରଶ୍ନ ପଚାରିବାର ସମୟ ଆସିଛି; କାରଣ ସ୍ମାର୍ଟଫୋନ୍ ମାୟାରେ ମଣିଷ ଏଭଳି ବାୟା ହେଲାଣି ଯେ ନିଜ ଜୀବନ ହାରିଦେବାକୁ ବି ପଛାଉନାହିଁ। ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କୁଶପଡ଼ା ଗ୍ରାମର ଜଣେ ଯୁବକକୁ ମୋବାଇଲ ଫୋନ ମାୟାରୁ ମୁକ୍ତ ହେବାକୁ ଉପଦେଶ ଦେବା ବାପାଙ୍କ ପାଇଁ ଖୁବ୍ ମହଙ୍ଗା ପଡ଼ିଛି। ଯୁବକଜଣକ କିଛି ନବୁଝିଶୁଝି ଆତ୍ମହତ୍ୟା ଭଳି ଚରମ ପଥକୁ ବାଛି ନେଇଛି ଓ ପୁତ୍ରର ଏହି ଅପମୃତ୍ୟୁ ଦୁଃଖକୁ ସହିନପାରି ବାପା ମଧ୍ୟ ନିଜ ଜୀବନ ହାରିଦେଇଛି। ଏହି ଘଟନା ଯେତିକି ଦୁଃଖଦ ଓ ଉଦ୍‌ବେଗଜନକ, ସେତିକି ଚେତାବନୀପୂର୍ଣ୍ଣ। ସ୍ମାର୍ଟ ମୋବାଇଲ ଫୋନର ନିଶା ମଣିଷକୁ, ବିଶେଷତଃ ଯୁବପିଢ଼ିର ଜୀବନକୁ ଏଭଳି ଆଚ୍ଛାଦିତ ଓ ବିହ୍ବଳିତ କରି ରଖିଛି ଯେ ତା’କୁ ମୁହୂର୍ତ୍ତେ ବି ନିଜଠାରୁ ଅନ୍ତର କରିବାକୁ କୁହାଗଲେ ତାହା ତା’ପାଇଁ ଅସହ୍ୟ ହେଉଛି। ବର୍ତ୍ତମାନ ଅଧିକାଂଶ ଯୁବକଯୁବତୀଙ୍କ ପାଇଁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ; ଖାଦ୍ୟପାନୀୟଠାରୁ ବି ବେଶି! ଆଠବର୍ଷ ତଳେ ୨୦୧୦ ମସିହାରେ ବ୍ରିଟେନର ଏକ ସଂସ୍ଥା ୟୁଗୋଭ୍‌ ନିଜ ଅନୁଧ୍ୟାନ ରିପୋର୍ଟରେ ଫୋନ୍ ବିନା ମଣିଷ ମନରେ ଯେଉଁ ଭୟ ସୃଷ୍ଟି ହୋଇଥାଏ, ତାକୁ ‘ନୋମୋଫୋବିଆ’ ବା ‘ନୋ ମୋବାଇଲ୍‌ ଫୋନ୍ ଫୋବିଆ’ର ଆଖ୍ୟା ଦେଇଥିଲା। ଏବେ ଏହି ଭୟ ଅଧିକାଂଶ ଲୋକଙ୍କୁ ଆକ୍ରାନ୍ତ କରିସାରିଛି।
ଏହା ସତ୍ୟ ଯେ ଆଧୁନିକ ବିଜ୍ଞାନୀ ମଣିଷ ଯେଭଳି ତୀବ୍ର ବେଗରେ ନୂଆନୂଆ ପ୍ରଯୁକ୍ତି ବିଦ୍ୟାକୁ ହାସଲ କରିଚାଲିଛି ଓ ତାକୁ ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ କରୁଛି, ସ୍ମାର୍ଟଫୋନର ଆବଶ୍ୟକତାକୁ ସହଜରେ ଏଡ଼ାଇ ଦେଇ ହେବନାହିଁ। ଆଜିକାଲି ସହଜଲଭ୍ୟ ଓ ଶସ୍ତା ଇଣ୍ଟରନେଟ୍‌ ଫୋନ୍‌ଗୁଡ଼ିକୁ ଅଧିକ ସ୍ମାର୍ଟ କରିଦେଇଛି। ଗୋଟିଏ ସ୍ମାର୍ଟଫୋନ୍ ଏବେ ଠିକ୍ ଗୋଟିଏ କଂପ୍ୟୁଟରର କାମ କରିପାରୁଛି। ଆଗଭଳି ଏହା କେବଳ କଥା ହେବା କି ବାର୍ତ୍ତାପ୍ରେରଣ ପାଇଁ ବ୍ୟବହାର ହେଉନାହିଁ, ବରଂ ଏଥିରେ ତ୍ବରିତ୍ ବାର୍ତ୍ତା ଆଦାନପ୍ରଦାନଠାରୁ ଆରମ୍ଭ କରି ଭିଡିଓ ଚାଟିଂ, ସମସ୍ତ ପ୍ରକାରର ଫାଇଲ୍‌ ପ୍ରେରଣ, ଏପରିକି ବ୍ୟାଙ୍କିଙ୍ଗ୍ ସୁବିଧା ହାସଲ କରିହେଉଛି। ଧୀରେଧୀରେ ଶାସନ-ପ୍ରଶାସନରେ ଇ-ଗଭର୍ଣ୍ଣାନ୍ସ ବ୍ୟବସ୍ଥା ଯେତିକି ଦୃଢ଼ ହେଉଛି, ଏସବୁର ଆବଶ୍ୟକତା ସେହି ପରିମାଣରେ ବୃଦ୍ଧି ପାଉଛି। ତେବେ ଜରୁରୀ କାର୍ଯ୍ୟକୁ ଛାଡ଼ିଦେଲେ ଯେଉଁଥିରେ ଯୁବପିଢ଼ି ଅଧିକ ପ୍ରମତ୍ତ ହେଉଛନ୍ତି, ତାହା ହେଲା ସ୍ମାର୍ଟଫୋନରେ ଗେମ୍‌ ଖେଳିବା, ଶ୍ଳୀଳଅଶ୍ଳୀଳ ଭିଡିଓ ଦେଖିବା, ସେଲ୍‌ଫି ଓ ଚିତ୍ରୋତ୍ତୋଳନ କରିବା, ଫେସ୍‌ବୁକ୍, ହ୍ବାଟ୍ସଆପ୍, ୟୁ-ଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରିବା। ଏହା ହିଁ ସେମାନଙ୍କ ପାଇଁ କ୍ରମଶଃ ବିପଜ୍ଜନକ ପାଲଟିଲାଣି; କାରଣ ଏଥିରେ ସେମାନେ ନିଜର ପ୍ରକୃତ କାର୍ଯ୍ୟ ବା ଲକ୍ଷ୍ୟ ଭୁଲି ବହୁତ ସମୟ ଅପବ୍ୟୟ କରିଚାଲୁଛନ୍ତି।
ଦୁଇ ମାସ ତଳେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ କାଉନ୍‌ସିଲ ଫର୍ ସୋସିଆଲ ସାଇନ୍ସ ସହାୟତାରେ ଅଲିଗଡ଼ ମୁସଲିମ୍ ବିଶ୍ବବିଦ୍ୟାଳୟ ଦ୍ବାରା ‘ସ୍ମାର୍ଟଫୋନ୍ ଡିପେଣ୍ଡେନ୍ସି, ହେଡୋନିଜମ୍ ଏଣ୍ଡ୍ ପର୍‌ଚେଜ ବିହେଭିୟର୍: ଇମ୍ପ୍ଲିକେସନ୍ସ ଫର୍ ଡିଜିଟାଲ୍ ଇଣ୍ଡିଆ ଇନିସିଏଟିଭ୍’ ନାମକ ଏକ ପ୍ରକଳ୍ପ ପାଇଁ ଗବେଷଣା କରାଯାଇଥିଲା। ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଦୁଇବର୍ଷ ଧରି ଚାଲିଥିବା ଏହି ବିସ୍ତୃତ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ପ୍ରାୟ ୧୪ ଶତାଂଶ ଦିନକ ମଧ୍ୟରେ ୩ ଘଣ୍ଟା ବା ତା’ଠାରୁ କମ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବାବେଳେ ୬୩ ଶତାଂଶ ୪ରୁ ୭ ଘଣ୍ଟା ସ୍ମାର୍ଟଫୋନରେ ସମୟ ଅତିବାହିତ କରନ୍ତି। କେବଳ ସେତିକି ନୁହେଁ, ୨୩ ଶତାଂଶ ଛାତ୍ରଛାତ୍ରୀ ୮ ଘଣ୍ଟାରୁ ଅଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର କରିଥାନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପାଠପଢ଼ା ଭଳି ଏକ ଅତି ଜରୁରୀ କାର୍ଯ୍ୟ ଥିବାସତ୍ତ୍ବେ ଛାତ୍ରଛାତ୍ରୀମାନେ ମୋବାଇଲ ଫୋନର ବହୁଳ ଉପଯୋଗ କରୁଛନ୍ତି। ଯେଉଁ ଯୁବକଯୁବତୀମାନେ ଶିକ୍ଷା ଶେଷ କରି ଘରେ ବେକାର ହୋଇ ବସିରହିଛନ୍ତି, ସେମାନେ କିଭଳି ଓ କେତେ ସମୟ ଏହାକୁ ବ୍ୟବହାର କରୁଥିବେ, ତାହା ସହଜରେ ଅନୁମାନ କରାଯାଇପାରେ। ଏହା କହିବାର ତାତ୍ପର୍ଯ୍ୟ ହେଉଛି, ଗଞ୍ଜାମ ଜିଲାର ସେହି ଯୁବକଜଣକ ଆଇଟିଆଇ ପାସ୍‌ କରିଥିବା ସତ୍ତ୍ବେ କୌଣସି ଧନ୍ଦାରେ ନିଜକୁ ବିନିଯୋଗ କରିନଥିଲେ ଏବଂ ସବୁ ସମୟ ତକ ସ୍ମାର୍ଟଫୋନରେ ହିଁ ବ୍ୟୟ କରୁଥିଲେ। ଯଦି ତାଙ୍କର ଜ୍ଞାନ, ବୁଦ୍ଧି, ଶକ୍ତି, ସମୟକୁ ସକାରାତ୍ମକ କାର୍ଯ୍ୟରେ ଉପଯୋଗ କରିଥା’ନ୍ତେ, ଆଜି ସେହି ପରିବାରକୁ ଏଭଳି ଦୁର୍ଦଶା ଭୋଗିବାକୁ ପଡ଼ିନଥା’ନ୍ତା। ଏ ନେଇ ଯୁବପିଢ଼ି ସଚେତନ ହେବାର ସମୟ ଆସିଛି।
ସ୍ମାର୍ଟଫୋନ୍ ଦ୍ବାରା କେବଳ ମଣିଷର ହାବଭାବରେ ପରିବର୍ତ୍ତନ ଘଟୁନାହିଁ, ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ୨୦୧୫ରେ ବ୍ରିଟିଶ କିରୋପ୍ରାକ୍ଟିକ୍ ଏସୋସିଏସନ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ମୋବାଇଲ୍‌ ଫୋନର ଅତ୍ୟଧିକ ବ୍ୟବହାର ଫଳରେ ୧୬ରୁ ୨୪ ବର୍ଷ ବୟସର ୪୫ ଶତାଂଶ ଯୁବା ମେରୁଦଣ୍ଡରେ ଯନ୍ତ୍ରଣା ଭୋଗୁଥିଲେ। ୨୦୧୩ରେ ହାଭାର୍ଡ ମେଡିକାଲ ସ୍କୁଲ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନର ନିଷ୍କର୍ଷ ଥିଲା ଯେ ସ୍ମାର୍ଟଫୋନରୁ ଯେଉଁ ଆଲୋକ ବିଚ୍ଛୁରିତ ହୁଏ, ତାହା ମସ୍କିଷ୍କର ନ୍ୟୁରନ୍ ଉପରେ କୁପ୍ରଭାବ ପକାଇଥାଏ ଏବଂ ନିଦ୍ରାହୀନତା ଆଣିଥାଏ। ଅତଏବ ଯେତିକି ନିହାତି ଆବଶ୍ୟକ, ଆମେ ସ୍ମାର୍ଟଫୋନକୁ ସେତିକି ବ୍ୟବହାର କଲେ ହିଁ ମଙ୍ଗଳ; ନଚେତ୍ ବିପର୍ଯ୍ୟୟ ଅବଶ୍ୟମ୍ଭାବୀ।

kalyan agarbati
Leave A Reply