ନବରଙ୍ଗପୁର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସାହାଜଖୋଲ ଜଙ୍ଗଲରେ ବାର୍ଘ ବର୍ଷ ଧରି ବସବାସ କରୁଥିବା ଆଦିବାସୀ ମାନଙ୍କୁ ମାଡ ମାରିବା ସହ ଘର ଭାଙ୍ଗି ବିତାଡିତ କରିଥିବା ଘଟଣାକୁ ବର୍ତମାନ ୨୮ ଦିନ ହେବ। ତେବେ ନିଜର ହକପାଇଁ ଏହି ବନବାସୀ ମାନେ ଦୀର୍ଘ ୧୦ ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରେ ବସିଥିଲେ, ସେମାନଂକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କ ସାଥିରେ ଆନ୍ଦୋଳନରେ ସାମିଲ ରହିବୁ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସେମାନଙ୍କ ସହ ସାମିଲ ହୋଇଥିଲେ। ଆଦିବାସୀ ଙ୍କୁ ନ୍ୟାୟ ନମିଳିଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ ଶ୍ରୀ ମାଝୀ।
ଘଟଣା ମୁତାବକ କଳାହାଣ୍ଡି ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲାକୁ ଲାଗି ରହିଛି ସାହାଜଖୋଲ ଜଙ୍ଗଲ। ତେବେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଗୋତମୁଣ୍ଡା ପଂଚାୟତ ଅଂଚଳରେ ଥିବା ସାହାଜଖୋଲ ଜଙ୍ଗଲ ମଧ୍ୟରେ ଆଜକୁ ଦୀର୍ଘ ୨୦ରୁ ଉର୍ଦ୍ଧ ବର୍ଷ ହେବ ଆଦିବାସୀମାନେ ନିଜ ବାସଗୃହ ତିଆରି କରି ରହିଆସୁଥିଲେ। ତେବେ ଗତ ଜୁନ ମାସ ୩୦ ତାରିଖରେ କୋକସରା ବ୍ଲକ ଗୋତମୁଣ୍ଡା ଗ୍ରାମର ଯୁବ ବ୍ଲକ ବିଜେଡି ସଭାପତି ହେମନ୍ତ ମାଝୀଙ୍କ ନେତୃତ୍ବରେ ବନ ବିଭାଗ କର୍ମଚାରୀଙ୍କ ସହ ଶତାଧିକ ଗୋତମୁଣ୍ଡା ଗ୍ରାମବାସୀ ଜଙ୍ଗଲ ମଧ୍ୟକୁ ଯାଇ ଜଙ୍ଗଲ ମଧ୍ୟରେ ରହୁଥିବା ଇଟାପାଣି ଓ କୁମେରପାଣିର ଆଦିବାସୀମାନଙ୍କୁ ମାଡ଼ ମାରିବା ସହ ମହିଳାମାନଙ୍କୁ ଅଶାଳୀନ ବ୍ୟବହାର କରି ତାଙ୍କ ଟଙ୍କା ସୁନା ଛଡାଇ ଆଣିଥିଲେ ଏବଂ ସେମାନେ ବ୍ୟବହାର କରୁଥିବା କୂଅରେ କୀଟନାଶକ ଔଷଧ ମିଶାଇ ତାଙ୍କୁ ବିତାଡିତ କରିଥିବା ଅଭିଯୋଗ କରି ଆମପାଣି ଥାନାରେ ଏତଲା ଦେଇଥିଲେ ବିତାଡିତ ଗ୍ରାମବାସୀ।
ତେବେ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର କରିଥିବା ଦୋଷୀ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନ ନେବା ଫଳରେ ଆଦିବସୀମାନେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ନ୍ୟାୟ ପାଇଁ ଆଜି ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରେ ବସିଥିଲେ, ସେମାନଙ୍କ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରଖିବା ଜିଦରେ ଅଟଳ ଥିଲେ। ଆଦିବାସୀ ମାନଙ୍କ ଦାବୀ ଅନୁସାରେ ଅତ୍ୟାଚାର କରିଥିବା ଯୁବ ବିଜେଡି ସଭାପତି ହେମନ୍ତ ମାଝୀ ଏବଂ ତାଙ୍କ ସାଥିଙ୍କୁ ଗିରଫ କରିବା, ଅତ୍ୟାଚାରରେ ସଂପୃକ୍ତ ଥିବା ବନବିଭାଗ କର୍ମଚାରୀଙ୍କୁ ନିଲମ୍ବନ ସହିତ ଗିରଫ କରିବା, ବିତାଡିତ ହୋଇଥିବା ଆଦିବାସୀମାନଙ୍କୁ ୪ ଏକର ଲେଖାଏଁ ଜଙ୍ଗଲ ଜମି ଯୋଗାଇ ଦେବା, କ୍ଷତିପୂରଣ ଯୋଗାଇ ଦେବା, ବିସ୍ଥାପିତ ଆଦିବାସୀମାନଙ୍କୁ ଘର ଯୋଗାଇ ଦେବା ସହ ତାଙ୍କ ବସତିରେ ନଳକୂପ ଖନନ କରିବା ଆଦି ସବୁ ଦାବୀ କରି ସେମାନେ ଆନ୍ଦୋଳନରେ ଥିବାବେଳେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ ଏବଂ ଝରିଗାଁ ରହସିଲଦାର ଆନ୍ଦୋଳନ ସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ବନବାସୀମାନେ ସେମାନଙ୍କ ଜିଦରେ ଅଟଳ ଥିଲେ।
ଏପଟେ ପରିସ୍ଥିତି ଦିନକୁ ଦିନ ଉତେଜନା ପୂର୍ଣ୍ଣ ହେଉଥିବା ବେଳେ ଉଭୟ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଥିବା ବେଳେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ପ୍ରଚେଷ୍ଟାରେ ଆଜି ତ୍ରିସ୍ତରୀୟ ଆଲୋଚନା ପାଇଁ କଳାହାଣ୍ଡି ପ୍ରଶାସନ, ନବରଙ୍ଗପୁର ଜିଲ୍ଲାପ୍ରଶାସନ ଏବଂ ବନବାସୀଙ୍କ ପ୍ରତିନିଧିଙ୍କ ମଧ୍ୟରେ ଏକ ବୈଠକ ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। ଏହି ଆଲୋଚନା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଜିଲ୍ଲାପାଳ, କୋକସରା ଥାନା ଅଧିକାରୀ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଏବଂ ନବରଙ୍ଗପୁର ଜିଲ୍ଲାପାଳ ଓ ବନବାସୀଙ୍କ ମଧ୍ୟରୁ ପ୍ରତିନିଧିତ୍ୱ କରୁଥିବା ୨୦ ଜଣଙ୍କ ସହ ଆନ୍ଦୋଳନରେ ସାମିଲ ଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ପିସିସି ପୂର୍ବତନ ସମ୍ପାଦକ ଖେମରାଜ ବାଘଙ୍କ ଉପସ୍ଥିତରେ ଏକ ବୁଝାମଣା ହୋଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକରେ ବନବାସୀମାନେ ପୂର୍ବରୁ ଯେଉଁ ଶାହାଜଖାଲ ଜଙ୍ଗଲରେ ରହୁଥିଲେ ସେଇଠି ସେମାନେ ପୂର୍ବଭଳି ରହିବା ପାଇଁ ବୈଠକରେ ଉଭୟେ ପ୍ରଶାସନଙ୍କ ଉପସ୍ଥିତରେ ନିଷ୍ପତି ହୋଇଥିଲା।



