ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର : ଖୋର୍ଦ୍ଧାର ବୀର ମାଟି ଗୋଶାଳାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ନିର୍ବାଚନ ପାଇଁ ବଜାଇବେ ନିର୍ବାଚନୀ ବିଗୁଲ୍। ଆଗାମୀ ସାଧାରଣ ନିର୍ବାଚନରେ କିଭଳି ଓଡ଼ିଶାରେ ବିଜେପିର ମିଶନ-୧୨୦ ପୂରଣ ହେବ ସେ ସମ୍ପର୍କରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ। ଏଥିପାଇଁ ବିଜେପି ପକ୍ଷରୁ ସମରସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତ ସାଢ଼େ ୪ବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ଓ ବିକାଶର ବାର୍ତ୍ତା ବାଣ୍ଟି ଓଡ଼ିଶାକୁ କରାୟତ୍ତ କରିବାପାଇଁ ମନ୍ତ୍ର ଫୁଙ୍କିବେ। ଏହାକୁ ନେଇ ବିଜେପିର ତୃଣମୂଳସ୍ତରର କର୍ମୀଙ୍କଠାରୁ ଆରମ୍ଭ କରି ନେତାଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଓ ଉନ୍ମାଦନା ଦେଖାଦେଇଛି। ମୋଦୀଙ୍କ ଗସ୍ତ ପାଇଁ ରାଜ୍ୟ ବିଜେପି ଯେତିକି ଚଳଚଞ୍ଚଳ ହୋଇ ଉଠିଛି ପୁଲିସ ପ୍ରଶାସନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ସେତିକି ସଜାଗ ରହିଛି। ପୁଲିସ ପ୍ରଶାସନ ପକ୍ଷରୁ ୪୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୂତୟନ କରାଯିବା ସହିତ ଶତାଧିକ ପୁଲିସ ଅଧିକାରୀ ବରୁଣେଇର ବିଭିନ୍ନ ପ୍ରାନ୍ତରେ ସଜାଗ
ରହିବେ। ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଏହି ଗସ୍ତ କାଳରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିବାବେଳେ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ମୋଦୀଙ୍କ ଏହି ଗସ୍ତ ବହୁ ମହତ୍ବପୂର୍ଣ୍ଣ ଥିବା ରାଜନୈତିକ ମହଲରେ ବିବେଚନା କରାଯାଉଛି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଏହି ଗସ୍ତକୁ ସଫଳ କରିବାପାଇଁ ବିଜେପି ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ପ୍ରଶାସିକା ତଥା ନବାଗତ ନେତ୍ରୀ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ସମତେ ବହୁ ନେତା ଓ କର୍ମୀ ସଭାସ୍ଥଳକୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ଟିକିନିଖି ପରଖୁଛନ୍ତି। ଉକ୍ତ ଜନସଭାରେ କିଭଳି ଲକ୍ଷାଧିକ କର୍ମୀ ଠୁଳ ହେବେ ସେଥିପାଇଁ ବିଜେପି ପକ୍ଷରୁ ସମସ୍ତ ପ୍ରସ୍ତୁତ ସରିଛି। କେବଳ ଖୋର୍ଦ୍ଧା ଲୋକସଭା ନୁହେଁ; ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ବରିଷ୍ଠ ନେତା ଓ କର୍ମୀଙ୍କୁ ଆଣି ଦଳର ଶକ୍ତି ପ୍ରଦର୍ଶନ କରିବାପାଇଁ ବିଜେପି ଅଣ୍ଟା ଭିଡ଼ିଛି। ଏହି ଜନସମାବେଶକୁ ସଫଳ କରିବାପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀମତୀ ଷଡ଼ଙ୍ଗୀ ଯେତିକି ଉଦ୍ୟମ କରୁଛନ୍ତି, ତାକୁ ଚେକ୍ ଦେବା ପାଇଁ ବିପକ୍ଷ ଦଳ ମଧ୍ୟ ଅନୁରୂପ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି।
କଂଗ୍ରେସ ପକ୍ଷରୁ ନିକଟରେ ଏଆଇସିସି ସମ୍ପାଦକ ତଥା ସାଂସଦ ଅଭିଷେକ ମନୁ ସିଂଘ୍ଭିଙ୍କୁ ଆଣି ରାଫେଲ ଅନିୟମିତତା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଥିବାବେଳେ ଆସନ୍ତାକାଲି ଅଖିଳ ଭାରତୀୟ ଯୁବକଂଗ୍ରେସ ସଭାପତି କେଶବ ଯାଦବଙ୍କୁ ଏକ ଶୋଭାଯାତ୍ରାରେ ଆଣି ବିଜେପିକୁ ଚେକ୍ ଦେବାପାଇଁ ପ୍ରସ୍ତୁତି ଚଳାଇଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ଘୋଷଣା କରିଥିବାବେଳେ ରବିବାର ନବୀନ ନିବାସରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ-ନବୀନ ପଟ୍ଟନାୟକ ସାକ୍ଷାତ ଆଲୋଚନା ଜାତୀୟ ରାଜନୀତି ପାଇଁ ନୂଆ ସମୀକରଣ ସୃଷ୍ଟି କରିଛି।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶ୍ରୀମତୀ ଷଡ଼ଙ୍ଗୀ ଖୋର୍ଦ୍ଧା ଓ ଭୁବନେଶ୍ବରର ବିଭିନ୍ନ ସାହି ଓ ବସ୍ତିରେ ଜନସଭା କରି କର୍ମୀଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି କରିଥିବାବେଳେ ଶ୍ରୀ ପ୍ରଧାନ ରାଜ୍ୟର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ନୂତନ ଉଦ୍ଦୀପନା ଓ ଉତ୍ସାହ ଭରି ଦେଇଛନ୍ତି। ଏହି ସମାବେଶରୁ ସଫଳତାକୁ ନେଇ ବିଜେପି ମିଶନ-୧୨୦ର ସଫଳତା ଆଶା କରୁଥିବାବେଳେ ବିଜେଡ଼ି ଓ କଂଗ୍ରେସ ରାଜ୍ୟ ରାଜନୀତି ପାଇଁ ମୋଦୀଙ୍କ ଗସ୍ତ କିଛି ଫରକ ପଡ଼ିବ ନାହିଁ ବୋଲି କହିଛନ୍ତି।
ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ କର୍ମୀଙ୍କ ମଧ୍ୟରେ ଏକ ପ୍ରକାର ଆତ୍ମବିଶ୍ବାସ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି। କର୍ମୀମାନଙ୍କ ଉତ୍ସାହକୁ ନେଇ ଦଳ ଆଗାମୀ ଦିନରେ ବହୁ ସଫଳତା ପାଇବ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସାରା ଓଡିଶାବାସୀ ଅପେକ୍ଷା କରି ରହିଛନ୍ତି। ୨୦୧୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟନ୍ତ ପୂର୍ବ ଭାରତର ବିକାଶ ହୋଇନି ସେ ଯାଏଁ ଦେଶର ବିକାଶ ହୋଇଛି କହିବା ଭୁଲ୍ ହେବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ତାଙ୍କର ଗସ୍ତ ସମୟରେ ପାଖାପାଖି ୧୫ ହଜାର କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଆଗକୁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବହୁବାର ହେବ। ଆସନ୍ତାମାସରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, ନିତିନ ଗଡ଼କରୀ, ଯୋଗୀ ଆଦିତ୍ୟନାଥଙ୍କ ପରି ବହୁ ଶୀର୍ଷ ନେତୃତ୍ୱ ଓଡିଶାକୁ ଆସିବେ। ଓଡିଶାରେ ଯେଉଁ ପରିବର୍ତ୍ତନ ସ୍ରୋତ ଆରମ୍ଭ ହୋଇଛି ତାହାକୁ ଏକ ନିର୍ଣାୟକ ସ୍ଥିତିରେ ପହଞ୍ଚାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓଡ଼ିଶାବାସୀଙ୍କ ପାଇଁ କୌଣସି ଫରକ ପକାଇବ ନାହିଁ। ଯେଉଁ ପ୍ରଧାନମନ୍ତ୍ରୀ ବିଗତ ନିର୍ବାଚନବେଳେ ପ୍ରତିଶ୍ରୁତିର ପାହାଡ଼ ସୃଷ୍ଟି କରି ପ୍ରତାରଣା କରିଛନ୍ତି ତାଙ୍କର ଘନ ଘନ ଗସ୍ତରେ ଓଡ଼ିଶାବାସୀ ପ୍ରଭାବିତ ହେବେ ନାହିଁ। ସେହିପରି ବିଜେଡି ମୁଖପାତ୍ର ସମୀରରଞ୍ଜନ ଦାଶ କହିଛନ୍ତି ଯେ ୨୦୧୪ ନିବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ ବହୁବାର ଓଡ଼ିଶା ଗସ୍ତ କରିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ; ଏଥର ଗସ୍ତ ମଧ୍ୟ ନିଷ୍ପଳ ହେବ। ଓଡ଼ିଶାରେ ଏକ ଲୋକପ୍ରିୟ ସରକାର ରହିଛି। ପ୍ରଧାନମନ୍ତ୍ରୀଙ୍କୁ କେବଳ କହିବା ଚାତୂରୀ ଜଣା। ସେ ମିଥ୍ୟାର ସୌଦାଗର, ତେଣୁ ତାଙ୍କର ବାରମ୍ବାର ଗସ୍ତ ଓଡ଼ିଶାବାସୀଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।