ନଦୀବନ୍ଧ ଜବରଦଖଲ : ଉପଜିଲ୍ଲାପାଳଙ୍କୁ ଗମେଇବାସୀଙ୍କ ଫେରାଦ

ବନ୍ୟାବେଳେ ଘାଇ ସୃଷ୍ଟି ହେଉଛି, ସ୍ଥାୟୀ ନିର୍ମାଣ ହଟାଇବା ପାଇଁ ଦାବି

ଆଠଗଡ : ଆଠଗଡ ଉପଖଣ୍ଡର ବଡମ୍ବା ବ୍ଲକ ଅନ୍ତର୍ଗତ ଗମେଇ ଗ୍ରାମଟି ଏକ ବନ୍ୟା ପ୍ରପୀଡିତ ଅଞ୍ଚଳ ହୋଇଥିବାବେଳେ ସେଠାରେ ନଦୀବନ୍ଧ ଉପରେ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରି ସ୍ଥାୟୀ ଘର ନିର୍ମାଣ କରିବା ଯୋଗୁଁ ଗ୍ରାମବାସୀ ଚିନ୍ତିତ ହୋଇପଡିଛନ୍ତି । ଦୀର୍ଘ ପ୍ରାୟ ୫ ବର୍ଷ ହେବ ଧିରେ ଧିରେ ଚାଳଘର ପରେ ଏବେ ଆଜବେଷ୍ଟସ୍‌‌ ଘର କରି ୮ଟି ପରିବାର ନଦୀବନ୍ଧ ଉପରେ ବସବାସ କରିବା ସହ ନଦୀବନ୍ଧ ଖୋଳି ସେଥିରେ ଚାଷବାସ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତ ୩-୪ବର୍ଷ ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ବହୁ କୋଟି ଟଙ୍କା ବ୍ୟୟରେ ବନ୍ୟା ନିୟନ୍ତ୍ରଣ ପାଇଁ ନଦୀବନ୍ଧ ସୁଦୃଢିକରଣ କରାଯାଇଥିଲା । ତେବେ ଗମେଇ ଗ୍ରାମରେ ନିଜସ୍ୱ ପୈତୃକ ଘର ଥାଇ କେତେକ ମୁଷ୍ଟିମେୟ ଲୋକ ନଦୀବନ୍ଧ ଜବରଦଖଲ କରି ସେଠାରେ ଘରକରି ରହୁଥିବାବେଳେ ବନ୍ଧକୁ ହାଣି ସେଥିରେ ପନିପରିବା ଚାଷ କରିବା ଫଳରେ ଗତ ୨ବର୍ଷ ହେଲା ସେହି ସ୍ଥାନରେ ଘଳିଆ ସୃଷ୍ଟି ହୋଇ ଗ୍ରାମ ବନ୍ୟାଜଳରେ ପ୍ଲାବିତ ହେଉଛି।

prayash

ଗତ ୨୦୨୨ରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବାବେଳେ ଘଳିଆ ସୃଷ୍ଟି ହେବାରୁ ଗ୍ରାମବାସୀ ଏବଂ ଜଳସେଚନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇଥିଲା। ନଦୀବନ୍ଧରୁ ଜବରଦଖଲ ଉଚ୍ଛେଦ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ ଜଳସେଚନ ବିଭାଗ ଓ ତହସିଲ ପକ୍ଷରୁ ସେମାନଙ୍କୁ କେବଳ ନାମକୁ ମାତ୍ର ନୋଟିସ୍‌‌ ଜାରିକରି ଚୁପ୍‌‌ ବସୁଛନ୍ତି । ଗତ ତା୨୯.୦୮.୨୦୨୨ରିଖ ଦିନ ସରପଞ୍ଚଙ୍କ ଉପସ୍ଥିତିରେ ଗ୍ରାମସଭା କରାଯାଇଥିବାବେଳେ ସେଠାରେ ଜବରଦଖଲକାରୀ ସେପ୍ଟେମ୍ବର ୯ତାରିଖ ସୁଦ୍ଧା ନିଜେ ନିଜେ ଉଠିଯିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତେବେ ସେମାନେ ସେଠାରୁ ଉଠିନଥିଲେ। ପୁନର୍ବାର ସେହି ବର୍ଷ ନଭେମ୍ବର ୨୨ରେ ତହସିଲ ପକ୍ଷରୁ ସଂପୃକ୍ତ ଜବରଦଖଲକାରୀଙ୍କୁ ନୋଟିସ ଦେଇ ୩୦ ଦିନ ମଧ୍ୟରେ ନଦୀବନ୍ଧରୁ ଉଠିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଜବରଦଖଲକାରୀ ଏହାକୁ କର୍ଣ୍ଣପାତ କରିନଥିଲେ। ପୁଣି ଗତ ମାର୍ଚ୍ଚମାସ ୨୬ତାରିଖରେ ଜଳସେଚନ ବିଭାଗ ପକ୍ଷରୁ ମଧ୍ୟ ସଂପୃକ୍ତ ଜବରଦଖଲକାରୀଙ୍କୁ ୭ଦିନ ମଧ୍ୟରେ ନଦୀବନ୍ଧ ଛାଡି ଚାଲିଯିବା ପାଇଁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେମାନେ ଏହାକୁ ଖାତିର କରିନଥିଲେ। ତହସିଲ ଓ ଜଳସେଚନ କର୍ତ୍ତୃପକ୍ଷ ଏ ଦିଗରେ ଯେପରି ପଦକ୍ଷେପ ନେବାକଥା ତାହା ନେଉନଥିବାରୁ ବାଧ୍ୟ ହୋଇ ଗୁରୁବାର ଗମେଇ ଗ୍ରାମ୍ୟ କମିଟିର ସଭାପତି ଶତୃଘ୍ନ ଦଳେଇ, ଉପସଭାପତି ମାଟିଆ ନାୟକ, ସଂପାଦକ ଲକ୍ଷ୍ମୀଧର ବାରିକଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଆଠଗଡ ଆସି ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସହକାରୀ ଜିଲ୍ଲାପାଳ ମାନସ କୁମାର ବେହେରାଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା ୧୫ତାରିଖ ମଧ୍ୟରେ ଜବରଦଖଲ ଉଚ୍ଛେଦ ନହେଲେ ଗ୍ରାମବାସୀ ନିଜ ପକ୍ଷରୁ ବାଧ୍ୟ ହୋଇ ୧୬ତାରିଖରେ ନଦୀବନ୍ଧ ଉପରୁ ବେଆଇନ ନିର୍ମାଣକୁ ଭାଙ୍ଗିଦେବେ ଏବଂ ଏଥିରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ  ଦେଇଛନ୍ତି ।

Comments are closed.