ମଧ୍ୟାହ୍ନ ଭୋଜନ ପରିଚାଳନାରେ ଅନିୟମିତତା ନେଇ ବୈଠକ
କୋଟାଗାଁ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଅନିୟମିତତା, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ
କଲମପୁର : କୋଟାଗାଁ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହାର ସମାଧାନ ଦାବି ନେଇ ଗ୍ରାମବାସୀ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ତ ହେଇଥିଲେ। ଏନେଇ ଗୁରୁବାର କୋଟାଗାଁ ପ୍ରାଥମିକ ବିଦ୍ୟାଳୟର ପୁରୁଣା କ୍ୟାମ୍ପସରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁସିଲ କୁମାର ମୁଣ୍ଡଙ୍କ ଅଧ୍ୟତାରେ ଏକ ବୈଠକ ବସିଥିଲା। ଏଥିରେ କାଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରେରାମ ଦୀପ, କମିଟିର ସମସ୍ତ ସଦସ୍ୟ-ସଦସ୍ୟା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଶଧ୍ୱଜ ଛତ୍ରିଆ, ଗ୍ରାମ କମିଟିର ସଦସ୍ୟ, ଅବିଭାବକ, ଗ୍ରାମବାସୀ ଏବଂ ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱରେ ଥିବା ଜୟ ଭୀମ ମହିଳା ଗୋଷ୍ଠୀଙ୍କ ଉପସ୍ଥିତିରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହେଇଥିଲା। ଏହି ବୈଠକରେ ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଲୋଚନା କରାଯାଇଥିଲା। ଏପରିକି ବିଦ୍ୟାଳୟରେ ଚପରାସୀ ଭାବେ କିଛି ମାସ ଧରି କାର୍ଯ୍ୟ କରିଥିବା ମଜିନ୍ଦ୍ର ପାଲଙ୍କୁ ଅନ୍ୟାୟ ଭାବେ କାର୍ଯ୍ୟରୁ ଛଟେଇ କରି ଦେବା ନେଇ ଆଲୋଚନା କରାଯାଇଥଲା। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମୁଣ୍ଡ ସମସ୍ତଙ୍କ କଥା ଶୁଣିବା ପରେ ଗ୍ରୀଷ୍ଣ ଅବକାଶ ପରେ ବିଦ୍ୟାଳୟର ସମସ୍ୟାର ସମାଧାନ ହେଇଯିବା ନେଇ ଆଶାବାଦୀ ରହିଥିବା ମତବ୍ୟକ୍ତ କରିଥିଲେ।
ସୁଚନା ଅନୁସାରେ କୋଟାଗାଁ ଉନ୍ନିତ ବିଦ୍ୟାଳୟ ୫-ଟିରେ ସାମିଲ ହେବା ପରେ ଦୁଇଟି କ୍ୟାମ୍ପସରେ ଶିକ୍ଷାଦାନ କରାଯାଉଛି । ଉଭୟ କ୍ୟାମ୍ପସ ମଧ୍ୟରେ ଦେଢ କିଲୋମିଟରର ଦୂରତା ରହିଛି । ପୁରୁଣା କ୍ୟାମ୍ପସରେ ପ୍ରଥମରୁ ଷଷ୍ଠ ଓ ନୂତନ କ୍ୟାମ୍ପସରେ ସପ୍ତମରୁ ଦଶମ ଶ୍ରେଣୀ ମଧ୍ୟରେ ଶିକ୍ଷାଦାନ କରାଯାଉଛି। ପୁରୁଣା କ୍ୟାମ୍ପସ ପରିସରରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଥିବାରୁ ନୁଆଁ କ୍ୟାମ୍ପସରେ ଶିକ୍ଷା ଗ୍ରହଣ କରୁଥିବା ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଂଚିତ ହେଉଛନ୍ତି । ନୂଆ କ୍ୟାମ୍ପସକୁ ମଧ୍ୟାହ୍ନ ଭୋଜନ ନେଇ ଦେବାରେ ମହିଳା ଗୋଷ୍ଠୀ ଟାଳ ଟୁଳ ନୀତି ଗ୍ରହଣ କରିଛନ୍ତି। ସେହି ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ତାଗିଦ କରାଯାଇଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଜୟଭୀମ ମହିଳା ଗୋଷ୍ଠୀର ସଭ୍ୟାମାନେ ଖାତିର କରିନଥିବା ଅଭିଯୋଗ ହେଇଥିଲା। ଏହାସହ ଖାଦ୍ୟର ମାନ, ରୋଷେଇ ପାଇଁ ଧୁଆଁମୟ ପରିବେଶ, ଗରମ ପେଜ ଏଣେତେଣେ ଫିଙ୍ଗିବା ଯୋଗୁଁ ଅସ୍ୱାସ୍ଥକର ପରିବେଶ ସୃଷ୍ଟି ହେବା ସହ ଛାତ୍ର ଛାତ୍ରୀଙ୍କ ପାଇଁ ବିପଦ ରହୁଥିବା ନେଇ ଅଭିଯୋଗ କରିଥିଲେ। ଏହାର ସମାଧାନ ନହେଲେ ଆଗାମୀ ଦିନରେ ବିଦ୍ୟାଳୟ ଅଚଳ କରାଯିବା ନେଇ ଗ୍ରାମବାସୀ ଚେତାବନୀ ଦେଇଥିଲେ।
Comments are closed.