ପାକିସ୍ତାନରେ ଅରାଜକତା
ଫାଟକ ଭାଙ୍ଗି ଶୀର୍ଷ ନ୍ୟାୟାଳୟରେ ପଶିଲେ ହଜାର ହଜାର ଶାସକ ଦଳ ସମର୍ଥକ, ସଂସଦରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ମାମଲା ରୁଜୁ ପ୍ରସ୍ତାବ ପାରିତ
ପିଟିଆଇକୁ ନିଷିଦ୍ଧ ଯୋଜନା ! ୭୦୦୦ ବିରୋଧୀ ଦଳ କର୍ମୀ ଗିରଫ
ଇସଲାମାବାଦ : କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଭୁଷୁଡିଥିବା ଅର୍ଥନୀତିକୁ ନେଇ ପାକିସ୍ତାନରେ ଗୁରୁତର ସ୍ଥିତି ସୃଷ୍ଟି ହୋଇନାହିଁ। ବରଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ନିକଟରେ ସୁପ୍ରିମକୋର୍ଟ ବନ୍ଦୀମୁକ୍ତ କରିବା ଲାଗି ଦେଇଥିବା ନିଷ୍ପତିକୁ ବିରୋଧକରି ଭୟଙ୍କର ଅରାଜକତା ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉମର ଆତା ବନ୍ଦିଆଲଙ୍କ ବିରୋଧରେ ଶାସକ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍)ର ହଜାର ହଜାର କର୍ମୀ ସୁପ୍ରିମକୋର୍ଟର ଫାଟକ ଭାଙ୍ଗି ତା’ ପରିସରରେ ପ୍ରବେଶ କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନ୍ୟାୟିକ ବ୍ୟବସ୍ଥାର ଇତିହାସରେ ଏଭଳି ଘଟଣାକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ବଢିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ ଓ ପରେ ମୁକ୍ତ କରାଯିବାକୁ ନେଇ ପାକିସ୍ତାନରେ ଏଭଳି ବଡ ରାଜନୈତିକ ସଂକଟ ଦେଖାଯାଇଛି। ଉଭୟ ଶାସକ ଓ ବିରୋଧୀ ଦଳ ପରସ୍ପର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏପରିକି ଏହି ସଂକଟ ମଧ୍ୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ମଧ୍ୟ ଟଣାଯାଇଛି। ସୋମବାର ଇମ୍ରାନ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦଳ ପାକିସ୍ତାନ ତେହରିକ୍-ଇ-ଇନସାଫ (ପିଟିଆଇ)କୁ ନିଷିଦ୍ଧ କରିବା ସରକାର ଯୋଜନା ଚଳାଇଛନ୍ତି। ପିଟିଆଇକୁ ନିଷିଦ୍ଧ କରିବା ଦଳର ପ୍ରାୟ ୭୦୦୦ କର୍ମୀଙ୍କୁ କାରାଗାରରେ ଭର୍ତ୍ତି କରାଯାଇଛି। ପିଟିଆଇ ପାକିସ୍ତାନର ସବୁଠାରୁ ବଡ ଓ ଏକମାତ୍ର ସଂଘୀୟଙ୍କ ଦଳ।
ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ବ ମେଣ୍ଟ ସରକାର ଏହି ଦଳ ବିରୋଧରେ ନିର୍ବାଚନ ଲଢିବାକୁ ଭୟ କରୁଛନ୍ତି। ତେଣୁ ପିଟିଆଇକୁ ନିଷିଦ୍ଧ କରି ସରକାର ଦେଶରେ ନିର୍ବାଚନ କରାଇବାକୁ ଯୋଜନା କରିଛନ୍ତି। ସରକାରଙ୍କ ଏପରି ଯୋଜନା ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ଲାଗି ପ୍ରସ୍ତୁତ ରହିବାକୁ ଇମ୍ରାନ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ବନ୍ଦୀ ଥିବା ପିଟିଆଇ କର୍ମୀଙ୍କୁ ମୁକ୍ତ କରିବା ଦିଗରେ ଇନସାଫ୍ ଓକିଲ ସଂଘ (ଆଇଏଲଏଫ୍)କୁ ସହଯୋଗ କରିବା ଲାଗି ନିବେଦନ କରିଛନ୍ତି। ଏହା ସହିତ ପିଟିଆଇର ସାଂସଦ ଓ ପୂର୍ବତନ ସାଂସଦମାନଙ୍କୁ ମଧ୍ୟ ଗିରଫ କର୍ମୀଙ୍କୁ ମୁକ୍ତ କରିବା ଦିଗରେ ସହଯୋଗ କରିବାକୁ ଇମ୍ରାନ କହିଛନ୍ତି। ଏ ସମ୍ପର୍କରେ ପିଟିଆଇର ଅତିରିକ୍ତ ମହାସଚିବ ଓମାର ଆୟୁବ ଖାଁ ଏକ ନିର୍ଦେଶନାମା ଜାରି କରିଛନ୍ତି।
ଅନ୍ୟପଟେ ଇମ୍ରାନଙ୍କ ପ୍ରତି ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଉମର ଆତା ବନ୍ଦିଆଲ ଦେଖାଇଥିବା ଆନୁକୂଲ୍ୟ ମନୋଭାବକୁ ନେଇ ଶାସକ ଦଳ ତାଙ୍କ ବିରୋଧରେ ପ୍ରସ୍ତାବ ଆଗତ କରିବାକୁ ନିଷ୍ପତ୍ତି ନେଇଛି। ସଂସଦର ନିମ୍ନ ସଦନରେ ଏହି ପ୍ରସ୍ତାବ ଆଗତ କରାଯିବା ସମ୍ପର୍କରେ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ ପ୍ରଧାନ ବିଚାରପତିଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ଏକ କମିଟି ଗଠନ କରାଯାଇଛି। ଆଜିର ସଂସଦ ଅଧିବେଶନରେ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ ଓ ଜେୟୁଆଇ-ଏଫ୍ ନେତା ଅସଦ ମହମୁଦ କହିଛନ୍ତି ଯେ ପ୍ରଧାନ ବିଚାରପତି ଦୋମୁହଁା ନୀତି ଅବଲମ୍ବନ କରିଛନ୍ତି। ତେଣୁ ତାଙ୍କୁ ପଦରୁ ବରଖାସ୍ତ କରିବା ଲାଗି ପ୍ରସ୍ତାବ ଆଗତ ହେବା ଜରୁରୀ। ଇମ୍ରାନଙ୍କ ପ୍ରତି ସୁପ୍ରିମକୋର୍ଟଙ୍କ ଆନୁକୂଲ୍ୟ ମନୋଭାବକୁ ବିରୋଧ କରି ଶାସକ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍) କର୍ମୀମାନେ ସୋମବାର ସୁପ୍ରିମକୋର୍ଟ ବିଚାରପତିଙ୍କ ବାସଭବନ ଫାଟକ ସମ୍ମୁଖରେ ମଧ୍ୟ ଧାରଣା ଦେଇଛନ୍ତି। କର୍ମୀମାନେ ପ୍ରଧାନ ବିଚାରପତିଙ୍କ ବିରୋଧରେ ନାରାବାଜି କରିଛନ୍ତି। ଫଳରେ ବିଚାରପତି ବାନ୍ଦିଆଲଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି। ପାକିସ୍ତାନ ବିରୋଧୀ ଦଳ ନେତା ରାଜା ରିଆଜ ଅହମ୍ମଦ ଖାଁ କହିଛନ୍ତି ଯେ ଇମ୍ରାନଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ୍। ଇମ୍ରାନଙ୍କ ଦୋଷ ପାଇଁ ତାଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ବିଚାରପତିମାନେ ତାଙ୍କୁ ଜ୍ବାଇଁ ଭଳି ବ୍ୟବହାର କରୁଛନ୍ତି। ଏପରି ବିଚାରପତିମାନେ ଚାକିରିରୁ ଇସ୍ତଫା ଦେଇ ପିଟିଆଇରେ ଯୋଗ ଦେବା ଦରକାର। ମେ ୯ରେ ଇମ୍ରାନ ଦୁର୍ନୀତି ମାମଲାରେ ଗିରଫ ହୋଇଥିବାବେଳେ ମେ ୧୧ରେ ସୁପ୍ରିମକୋର୍ଟ ତାଙ୍କ ଗିରଫକୁ ବେଆଇନ ଘୋଷଣା ପୂର୍ବକ ମୁକ୍ତ କରିଥିଲେ।
ଲାହୋର ହାଇକୋର୍ଟ ଇମ୍ରାନଙ୍କ ପତ୍ନୀ ବୁସ୍ରା ବିବିଙ୍କୁ ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଜାମିନ ସର୍ତ୍ତି ଅନୁଯାୟୀ ବୁସ୍ରାଙ୍କୁ ମେ ୨୩ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ। ଇମ୍ରାନଙ୍କ ଗିରଫ ପରେ ତାଙ୍କ କର୍ମୀ ଓ ସମର୍ଥକମାନେ ଘଟାଇଥିବା ହିଂସାକାଣ୍ଡକୁ ନେଇ ମାମଲା ରୁଜୁ ହୋଇଛି। ଏହି ମାମଲା ଆଧାରରେ ସୋମବାର ଇମ୍ରାନ ଲାହୋର ହାଇକୋର୍ଟରେ ହାଜର ହୋଇଛନ୍ତି। ହାଇକୋର୍ଟ ଇମ୍ରାନଙ୍କ ଜାମିନ ଆବେଦନ ଉପରେ ମଙ୍ଗଳବାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ସେହିପରି ପଞ୍ଜାବ ପ୍ରଦେଶରେ ବିଧାନସଭା ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗଙ୍କୁ ଦେଇଥିବା ପୂର୍ବ ନିର୍ଦେଶକୁ ପରିବର୍ତ୍ତନ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ନିବେଦନ କରାଯାଇଛି। ଇମ୍ରାନଙ୍କ ଗିରଫ ପରବର୍ତ୍ତୀ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀ ସରିଫ ଜାତୀୟ ସୁରକ୍ଷା ପରିଷଦର ବୈଠକ ମଙ୍ଗଳବାରକୁ ଡକାଇଛନ୍ତି।
Comments are closed.