‘ଲାଲଗଡ଼’ରେ ସଫଳତା

ଭୁବନେଶ୍ବର : ମାଓବାଦୀ ଓ ନକ୍ସଲପନ୍ଥୀଙ୍କ ଭଳି ରାଷ୍ଟ୍ରବିରୋଧୀ ତତ୍ତ୍ବଙ୍କୁ ନିର୍ମୂଳ କରିବା ପାଇଁ ଭାରତ ସରକାର ଚଳାଇଥିବା କାର୍ଯ୍ୟାନୁଷ୍ଠାନରେ ଆଉ ଏକ ବଡ଼ ସଫଳତା ମିଳିଛି। ଛତିଶଗଡ଼ର ଅବୁଝାମାଡ଼ ଜଙ୍ଗଲାଞ୍ଚଳ ମଧ୍ୟରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ କାର‌୍ୟ୍ୟାନୁଷ୍ଠାନ ବଳରେ ଦୁଇଟି ସ୍ଥାନରେ ଅତି କମ୍‌ରେ ୩୦ ମାଓବାଦୀଙ୍କର ମୃତ୍ୟୁ ଘଟିଛି। ଗୁଳି ବିନିମୟ ସମୟରେ ଦୁଇ ପୁଲିସ କର୍ମଚାରୀ ମଧ୍ୟ ସହିଦ ଓ ଅନ୍ୟ ଦୁଇ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଏହି ଅଭିଯାନ ପ୍ରାୟ ନଅ ଘଣ୍ଟା ଚାଲିଥିଲା ଏବଂ ଏଥିରେ ନିହତ ମାଓବାଦୀ ସଂଖ୍ୟା ଆହୁରି ବଢ଼ିପାରେ। ସେହି ଅଞ୍ଚଳ ମାଓବାଦୀଙ୍କ ଗଡ଼ ହୋଇଥିବାରୁ ସେଠାକୁ ଅଧିକ ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି। ଚଳିତବର୍ଷର ଏହା ଏକ ବଡ଼ ଧରଣର ସଫଳ ମାଓ ବିରୋଧୀ ଅଭିଯାନ।

ଦକ୍ଷିଣ ଛତିଶଗଡ଼ର ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ମାଓବାଦୀ ନିଜର ଗୁପ୍ତ ଆଡ୍ଡା ଜମାଇ ଓଡ଼ିଶା, ଛତିଶଗଡ଼, ତେଲଙ୍ଗାନା, ମହାରାଷ୍ଟ୍ର ଆଦି ରାଜ୍ୟରେ ହିଂସାକାଣ୍ଡ ଭିଆଇଥାନ୍ତି। ଏହି ଜଙ୍ଗଲାଞ୍ଚଳର ପରିସୀମା ୪୦୦୦ ବର୍ଗ କି.ମି. ଏବଂ ଏହା ମଧ୍ୟରେ ନାରାୟଣପୁର, ବିଜାପୁର ଓ ଦାନ୍ତେୱାଡ଼ା ଜିଲା ଅନ୍ତର୍ଭୁକ୍ତ। ପୁରୁଣା ଦଣ୍ଡକାରଣ୍ୟ ଓ ବସ୍ତର ଅଞ୍ଚଳ ମଧ୍ୟ ଏହି ଜଙ୍ଗଳାଞ୍ଚଳର ଏକ ଅଂଶ ଯେଉଁଠି ଆଦିମ ଅଧିବାସୀ ଗଣ୍ଡ, ମୁରିଆ, ଅବୁଝମାଢ଼ିଆ, ମାଡ଼ିଆ ଓ ହଲବା ବହୁ ସଂଖ୍ୟାରେ ବସବାସ କରନ୍ତି। ଏହି ଗରିବ ଜନଜାତିଙ୍କ ସ୍ବାର୍ଥରକ୍ଷା ଓ ବିକାଶ ଆଳରେ ନିକାଞ୍ଚନ ଜଙ୍ଗଲ ଓ ପାହାଡ଼ ଅଞ୍ଚଳରେ ମାଓବାଦୀମାନେ ନିଜର ଗୁପ୍ତ ଶିବିର ଚଳାଇଛନ୍ତି। ଅବୁଝାମାଡ଼ର ଅର୍ଥ ଗଣ୍ଡ ଭାଷାରେ ଅଜଣା ପାହାଡ଼। ତେବେ ଏହି ପାହାଡ଼ ପର୍ବତ ଘେରା ଘନ ବନାଞ୍ଚଳ ମାଓବାଦୀଙ୍କ ଅଭୟ ଆଶ୍ରମରେ ପରିଣତ ହୋଇଛି। ସେମାନେ ମଧ୍ୟ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣକୁ ପ୍ରୋତ୍ସାହିତ କରି ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି।

ପୁଲିସ ଗୁପ୍ତ ଖବର ପାଇ ବିଜାପୁର ଓ ଦାନ୍ତେୱାଡାର ଦୁଇଟି ମାଓବାଦୀ ଶିବିର ଉପରେ ଅତର୍କିତ ଚଢ଼ଉ କରି ଏହି ସଫଳତା ପାଇଛି। ମାଓବାଦୀଙ୍କଠାରୁ ବିପୁଳ ଅତ୍ୟାବଶ୍ୟକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଏହି ସଫଳତା ସହିତ ବସ୍ତର ଅଞ୍ଚଳ ଯେ ମାଓମୁକ୍ତ ହୋଇଯିବ ସେ ସମ୍ଭାବନା ନାହିଁ। ଏବେ ମଧ୍ୟ ସେହି ଜଙ୍ଗଲାଞ୍ଚଳରେ ଅନେକ ମାଓବାଦୀ ସକ୍ରିୟ ଅଛନ୍ତି। ରଣନୀତି ଅନୁସାରେ ମାଓବାଦୀଙ୍କୁ ନିପାତ କରିବାକୁ ଏହି ଅଭିଯାନ ନିଶ୍ଚିତ ଜାରି ରହିବ, କାରଣ ୨୦୨୬ ସୁଦ୍ଧା ଦେଶକୁ ମାଓବାଦୀମୁକ୍ତ କରିବାର ଲକ୍ଷ୍ୟ କେନ୍ଦ୍ର ସରକାର ରଖିଛନ୍ତି।

ଏ ବର୍ଷ ଜାନୁଆରୀ ୨୩ରେ ଛତିଶଗଡ଼ର ଗରିଆବନ୍ଦ ଜିଲାରେ ପୁଲିସ କାର‌୍ୟ୍ୟାନୁଷ୍ଠାନରେ ଅତି କମ୍‌ରେ ୧୬ ମାଓବାଦୀ ନିହତ ହୋଇଥିଲେ। ଜାନୁଆରୀ ୩୧ରେ ମଧ୍ୟ ନିରାପତ୍ତାବାହିନୀଙ୍କ କାର୍ଯ୍ୟାନୁଷ୍ଠାନରେ ୮ ମାଓବାଦୀ ମରିଥିଲେ। ଏହି ମାଓ ବିରୋଧୀ ଅଭିଯାନରେ ଏ ଯାଏ ପ୍ରାୟ ୩୦୦ ବିଦ୍ରୋହୀ ମଲେଣି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଛତିଶଗଡ଼ର।

୧୯୬୭ରୁ ଭାରତରେ ମାଓବାଦୀ ଓ ନକ୍ସଲପନ୍ଥୀ ସକ୍ରିୟ ହୋଇ ରାଷ୍ଟ୍ର ବିରୋଧରେ ଲଢ଼େଇ କରୁଛନ୍ତି। ସେମାନଙ୍କ ଆକ୍ରମଣରେ ଅନେକ ନିରୀହ ବ୍ୟକ୍ତି ମଧ୍ୟ ନିହତ ହୋଇଛନ୍ତି। ସରକାରୀ ପାଲଟା କାର୍ଯ୍ୟାନୁଷ୍ଠାନ ଫଳରେ ଏବେ ସେମାନଙ୍କ ପ୍ରଭାବ ଯଥେଷ୍ଟ ହ୍ରାସ ପାଇଛି। ତଥାପି ଏହି ମାଓବାଦୀ ଏବେ ଲାଲ କରିଡର ଭାବେ କୁଖ୍ୟାତ ଛତିଶଗଡ଼ର ଦକ୍ଷିଣାଞ୍ଚଳରେ ସକ୍ରିୟ। ଏ ଯାଏ ସେମାନଙ୍କ ବି​‌​ରୋଧରେ ସେନାକୁ ନିୟୋଜିତ କରାନଯାଇ ପୁଲିସ ଓ ନିରାପତ୍ତା ଯବାନମାନଙ୍କୁ ବ୍ୟବହାର କରାଯାଉଛି। ବିବିଧ ରଣନୀତି ଦ୍ବାରା ପଛୁଆ ଅଞ୍ଚଳର ବିକାଶ କରାଯିବା ଫଳରେ ମାଓବାଦୀଙ୍କ ପ୍ରଭାବ କମିଛି। ଆଉ ଯେଉଁମାନେ ଲୁଚିଛପି ରହିଛନ୍ତି ସେମାନେ ଆତ୍ମସମର୍ପଣ ନକଲେ ମରିବା ନିଶ୍ଚିତ। ଅଭିଯାନକୁ ଏବେ ଅଧିକ ଜୋରଦାର କଲେ ଏହା ଅଧିକ ସଫଳ ହେବ।

Comments are closed.