ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ପୁଣି ବଢିଛି ତାପମାତ୍ରା। ସ୍ଵାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିନରେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୁତ ହୋଇଛି। ଝାରସୁଗୁଡ଼ାରେ ସାଢ଼େ ୨ଟାରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ୪୨.୨ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର ୪୧.୬, ରାଉରକେଲା ୪୦.୨, ହୀରାକୁଦ ୪୦ଡିଗ୍ରୀ, ଭୁବନେଶ୍ୱର ଓ ଚାନ୍ଦବାଲି ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି।
ସେପଟେ ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, କଟକ, ଗଞ୍ଜାମ. ଗୋପାଳପୁରରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହୋଇଛି। ଆଜି ସକାଳ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଥିବା ସୂଚନା ମିଳିଛି।
ଦେଶରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଉତ୍ତର ଭାରତରେ ଦିନ ତାପମାତ୍ରା ୪୦ରୁ ୪୩ ଡିଗ୍ରୀରେ ପହଂଚିଲାଣି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ଦିନରେ ଗ୍ରୀଷ୍ମ ପ୍ରକୋପ ଆହୁରି ବୃଦ୍ଧି ପାଇବ।
ହିଟ୍ ୱେଭ ସମ୍ଭାବନାକୁ ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପତ୍ର ଲେଖି ମାର୍ଗଦର୍ଶିକା ଜାରି କରିଛନ୍ତି। ସେ ରାଜ୍ୟକୁ ଆବଶ୍ୟକ ଔଷଧ, ତରଳ ପଦାର୍ଥ, ଆଇସ ପ୍ୟାକ, ଓଆରଏସ ଓ ଅନ୍ୟ ସମସ୍ତ ଜରୁରୀ ଉପକରଣ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ କରାଇବା ପାଇଁ ନିର୍ଦେଶ ଦେଇଛନ୍ତି।



