ସରିଲା ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଉଭୟ ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଜୁଲାଇ ୨୦ରୁ ଏହି ଅଧିବେଶନ ଆରମ୍ଭ ହୋଇଥିଲା। ମଣିପୁର ହିଂସାକୁ ନେଇ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଏହି ଅଧିବେଶନ ଅଚଳ ରହିଥିଲା। ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡିକ ପକ୍ଷରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ୧୬ଦିନିଆ ଅଧିବେଶନର ଶେଷ ତିନିଦିନ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଶେଷରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଥିଲା। ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ସଂସଦରେ ଦିଲ୍ଲୀ ସେବା ବିଧେୟକ, ବ୍ୟକ୍ତିଗତ ଡିଜିଟାଲ ତଥ୍ୟ ସୁରକ୍ଷା ବିଧେୟକ, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଧେୟକ, ମାଇନ୍ସ ଆଣ୍ଡ ମିନେରାଲ ବିଧେୟକ ସହିତ ଅନ୍ୟ କେତେକ ବିଧେୟକ ଗୃହୀତ ହୋଇଥିଲା। ଅନେକ ବିଧେୟକ ବିରୋଧୀଙ୍କ ଅନୁପସ୍ଥିତିରେ ସରକାର ଗୃହୀତ କରାଇ ନେଇଥିବା ଜଣାଯାଇଛି। ଲୋକସଭାରେ ୨୦ଟି ନୂଆ ବିଧେୟକ ଆଗତ ହେବା ସହିତ ମୋଟ ୨୨ଟି ବିଧେୟକ ଗୃହୀତ ହୋଇଛି। ଏହି ଅଧିବେଶନ କାଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ସାଂସଦ ପଦ ଫେରିପାଇବା ସହ ଗୃହକୁ ଫେରିଥିଲେ।
Comments are closed.