’ମନ୍ କି ବାତ୍‌’ରେ କଟକର ପ୍ରକାଶ ରାଓଙ୍କୁ ପ୍ରଶଂସା କଲେ ମୋଦି

0

କଟକ: କଟକ ସହରର ଚା’ ବିକାଳି ଡି ପ୍ରକାଶ ରାଓଙ୍କ ସମାଜସେବାକୁ ପ୍ରଶଂସା କରିଛନ୍ତି। ପ୍ରକାଶ ରାଓଙ୍କ ସମାଜ ସେବା ବିଶେଷକରି ବସ୍ତି ଅଞ୍ଚଳର ପିଲାଙ୍କ ପାଠପଢା ପାଇଁ ନେଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି।
ମୋଦିଙ୍କ କହିବା ଅନୁଯାୟୀ ‘ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଜଣେ ମାମୁଲି ଚା ବିକାଳି ସତୁରୀରୁ ଅଧିକ ପିଲାଙ୍କ ଜୀବନକୁ ଶିକ୍ଷାର ଆଲୋକରେ ଆଲୋକିତ କରିବାର ପ୍ରୟାସ କରିଛନ୍ତି। ସେ ବସ୍ତିରେ ରହୁଥିବା ପିଲାମାନଙ୍କ ପାଇଁ ‘ଆଶା ଓ ଆଶ୍ୱାସନା’ ନାମକ ସ୍କୁଲଟିଏ ଖୋଲିଛନ୍ତି। ଏଇ ଗରିବ ଚା’ ବିକାଳି ତାଙ୍କ ଆୟର ଶତକଡ଼ା ପଚାଶଭାଗ ସେଇ ସ୍କୁଲ ପାଇଁ ଖର୍ଚ୍ଚକରି ଦିଅନ୍ତି। ସେ ସ୍କୁଲକୁ ଆସୁଥିବା ସବୁ ପିଲାଙ୍କ ପାଇଁ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଭୋଜନର ବ୍ୟବସ୍ଥା ମଧ୍ୟ କରିଥାନ୍ତି। ନିଜର କଠିନ ପରିଶ୍ରମ, ନିଷ୍ଠା ଏବଂ ଗରିବ ପିଲାମାନଙ୍କ ଜୀବନକୁ ଏକ ନୂତନ ଦିଗଦର୍ଶନ ଦେଇଥିବାରୁ ମୁଁ ଶ୍ରୀ ଡି. ପ୍ରକାଶ ରାଓଙ୍କୁ ଅଭିନନ୍ଦନ ଜଣାଉଛି।’ ସେ ଏହି ପିଲାମାନଙ୍କର ଜୀବନରୁ ଅନ୍ଧକାରକୁ ଦୂର କରିଛନ୍ତି। ‘ତମସୋ ମା ଜ୍ୟୋତିର୍ଗମୟଃ’ ଏହି ବେଦ ବାକ୍ୟଟିକୁ କିଏ ନ ଜାଣେ। କିନ୍ତୁ ଏହି ବାକ୍ୟକୁ ନିଜ ଜୀବନରେ ପ୍ରୟୋଗ କରି ସାକାର କରିଛନ୍ତି ଡି. ପ୍ରକାଶ ରାଓ। ତାଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ, ସମାଜ ପାଇଁ ତଥା ସମଗ୍ର ଦେଶ ପାଇଁ ଏକ ପ୍ରେରଣା ସ୍ରୋତ। ଆପଣଙ୍କ ଆଖପାଖରେ ମଧ୍ୟ ଏଇଭଳି ଘଟଣାମାନ ଘଟୁଥିବ। ଅଗଣିତ ଘଟଣା ଏମିତିଥିବ। ଆସନ୍ତୁ ଆମେ ସକାରାତ୍ମକ ଚିନ୍ତାଧାରାକୁ ଆଗେଇନେବା।

 

ମୋଦିଙ୍କ ସହିତ ୧୮ ମିନିଟ୍‌

‘ମନ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନାମ ଉଲ୍ଲେଖ କରିବା ପାରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କଟକର ଚା ବିକାଳି ତଥା ସମାଜସେବୀ ଡି. ପ୍ରକାଶ ରାଓ। ଶନିବାର ପ୍ରଧାନମନ୍ତ୍ରୀ କଟକ ଗସ୍ତରେ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ତାଙ୍କ ନିକଟକୁ ଖବର ଆସିଥିଲା। ନିଜର ୧୫ଜଣ ଛାତ୍ରଛାତ୍ରୀଙ୍କ ସହିତ ମୋଦି ଭେଟିବେ ବୋଲି କାର୍ୟ୍ୟାଳୟ ପକ୍ଷରୁ ତାଙ୍କୁ ସୂଚନା ଦିଆଯାଇଥିଲା। ଜିଲାପାଳଙ୍କ କାର୍ୟ୍ୟାଳୟ ସହାୟତାରେ ଗତକାଲି ମୋଦିଙ୍କ ସଭାର ବେଶ୍‌ ପୂର୍ବରୁ ସେ ପହଞ୍ଚି ଯାଇଥିଲେ ବାଲିଯାତ୍ରା ପଡିଆରେ। ମୋଦିଙ୍କ ପାଇଁ ହୋଇଥିବା ଅସ୍ଥାୟୀ କାର୍ୟ୍ୟାଳୟରେ ସେ ୧୫ଜଣ ପିଲାଙ୍କ ସହିତ ଅପେକ୍ଷା କରି ରହିଥିଲେ ପ୍ରଧାନମନ୍ତ୍ରୀଙ୍କୁ। ମୋଦି ଗାଡିରୁ ଓହ୍ଲାଇ ଅସ୍ଥାୟୀ କାର୍ୟ୍ୟାଳୟରେ ପହଞ୍ଚିଥିଲେ। ସେଠାକୁ ମନ୍ତ୍ରୀ କିମ୍ବା କୌଣସି ଅଧିକାରୀଙ୍କୁ ଛଡା ଯାଇନଥିଲା। କେବଳ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ। ଦୀର୍ଘ ୧୮ମିନିଟ୍‌ ଧରି ମୋଦି ପ୍ରକାଶରାଓ ଓ ତାଙ୍କ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ମନଖୋଲା କଥା ହୋଇଥିଲେ। ପ୍ରତି ପିଲାଙ୍କୁ ନିଜର ଭବିଷ୍ୟତ ସମ୍ପର୍କରେ ପଚାରିଥିଲେ। ଜଣେ ବିଦ୍ୟାର୍ଥୀ ଗାୟକ ହେବାକୁ ମୋଦିଙ୍କ ନିକଟରେ ନିଜର ଇଚ୍ଛା ପ୍ରକାଶ କରିଥିଲେ। ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ପିଲାଟିକୁ ଗୀତଟିଏ ଗାଇବାକୁ କହିଥିଲେ। ପିଲାଟି ନିଜର ସୁମଧୁର ସ୍ୱରରେ ‘ନିଦ ଭରା ରାତି… ମଧୁ ଭରା ଜହ୍ନ’ ଗାଇଥିଲେ। ଯାହା ମୋଦିଙ୍କ ମନକୁ ବେଶ ଛୁଇଁ ପାରିଥିଲା ବୋଲି ପ୍ରକାଶରାଓ କହନ୍ତି। ଆଉ ଜଣେ ପିଲା ଭଲ ଭାତ ଓ ଡାଲମା ରାନ୍ଧପାରନ୍ତି ବୋଲି ମୋଦିଙ୍କୁ କହିଥିଲେ। ପୁଣି କଟକ ଆସିଲେ, ତାଙ୍କ ହାତରନ୍ଧା ଭାତ-ଡାଲମା ନିଶ୍ଚୟ ଖାଇବେ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଗତକାଲି ପ୍ରଧାନମନ୍ତ୍ରୀ ପ୍ରକାଶରାଓଙ୍କୁ ଭେଟିବା ସହିତ ତାଙ୍କ କାର୍ୟ୍ୟରେ ବେଶ ପ୍ରଭାବିତ ହୋଇଥିଲେ। ଆଜି ସେ ମନ କି ବାତ୍‌ରେ ପ୍ରକାଶରାଓଙ୍କ କାର୍ୟ୍ୟକୁ ପ୍ରଶଂସା କରିବାକୁ ଭୁଲିନଥିଲେ।
ବକ୍ସିବଜାରସ୍ଥ ନାରୀ ସେବା ସଂଘ ସଦନ ସମ୍ମୁଖରେ ୨୦୦୧ମସିହାରେ ଶ୍ରୀ ରାଓ ଅକ୍ଳାନ୍ତ ପରିଶ୍ରମ କରି ଖୋଲନ୍ତି ‘ଆଶା ଆଶ୍ୱାସନା ବସ୍ତି ବିଦ୍ୟାଳୟ’। ପ୍ରାଥମିକ ଅବସ୍ଥାରେ ନିକଟସ୍ଥ ବସ୍ତିର ପିଲାଙ୍କୁ ଆଣି ପାଠ ପଢାଉଥିଲେ। ବିଦ୍ୟାଳୟ ପାଇଁ କୌଣସି ଘର ନଥିବାରୁ ନିଜର ୨ବଖରା ନୁଆଁଣିଆ ଚାଳଘରର ଗୋଟିଏ ବଖରାରେ ବିଦ୍ୟାଳୟ ଓ ଅନ୍ୟଟିକୁ ନିଜର ପରିବାର ପାଇଁ ବ୍ୟବହାର କରିଥିଲେ। କ୍ରମଶଃ ବିଦ୍ୟାଳୟରେ ପିଲା ବଢିବାରୁ ସେ ଅନ୍ୟ ଘରଟିକୁ ବି ଶ୍ରେଣୀ ଗୃହଭାବେ ବ୍ୟବହାର କରିଥିଲେ। ପିଲାଙ୍କ ପାଠପଢା ସମୟରେ ନିଜର ବୃଦ୍ଧା ମା’ ଡି. ଲକ୍ଷ୍ମୀ ଘର ବାରଣ୍ଡାରେ ବସି ରହନ୍ତି। ପାଠପଢା ଶେଷ ହେବା ପରେ ମା’ ଘରକୁ ଫେରନ୍ତି। ବିଦ୍ୟାଳୟ ଚଳାଇବା ପାଇଁ ସେ ଅନ୍ୟ ନିକଟରେ ହାତ ନ ପତାଇ ନିଜ ପରିଶ୍ରମ ଅର୍ଥକୁ ବିନିଯୋଗ କରିଥାନ୍ତି। ବକ୍ସିବଜାର ଛକରେ ଖୋଲିଥିବା ଚା’ ଦୋକାନରୁ ହେଉଥିବା ଦୈନିକ ଆୟର ୫୦ପ୍ରତିଶତ ସେ ପିଲାଙ୍କ ପାଠ ପଢାରେ ଖର୍ଚ୍ଚ କରିଥାନ୍ତି। ବିଦ୍ୟାଳୟ ଚଳାଇବା ପାଇଁ ସେ ଅନେକ ସମୟରେ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିଲେ ବି ବିଦ୍ୟାଳୟକୁ ବନ୍ଦ କରିନାହାନ୍ତି; କିନ୍ତୁ ବିଦ୍ୟାଳୟ ଖୋଲିଥିବାରୁ ସେ ଅନେକ ଲୋକଙ୍କର ରୋଷର ଶିକାର ହୋଇଥିବା କହନ୍ତି ୨୧୪ଥର ରକ୍ତଦାନ କରିଥିବା ସମାଜସେବୀ। ଏମିତି କିଛିବର୍ଷ ଚାଲିବା ପରେ ସରକାର ଓ ‘ସମାଜ’ ଅନୁଷ୍ଠାନ ‘ଆଶା ଓ ଆଶ୍ୱାସନା’ ପାଇଁ ସହାୟତାର ହାତ ବଢାନ୍ତି। ‘ସମାଜ’ ସହାୟତାରେ ସେ ଏକ କମ୍ପ୍ୟୁଟର ଶ୍ରେଣୀ ଗୃହ ଖୋଲିଛନ୍ତି। ଯେଉଁଥିରେ ପ୍ରତିଦିନ ପିଲା କମ୍ପ୍ୟୁଟର ଶିକ୍ଷା କରୁଥିବା କହନ୍ତି ପ୍ରକାଶରାଓ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ତାଙ୍କ ପରିଶ୍ରମର ଫଳ ମିଳିଛି। ଆଗାମୀ ଦିନରେ ଅଧିକ ପିଲା କିପରି ଶିକ୍ଷାଲାଭ କରିବେ ସେଥିପ୍ରତି କାର୍ୟ୍ୟ କରିବେ ବୋଲି କହନ୍ତି ପ୍ରକାଶରାଓ।

Leave A Reply