ମାଲ୍ୟାଙ୍କୁ ସ୍ୱତନ୍ତ୍ର ଅଦାଲତଙ୍କ ସମନ
ମୁମ୍ବଇ : ପ୍ରାୟ ୯୦୦୦କୋଟି ଟଙ୍କାର ବ୍ୟାଙ୍କ ଋଣ ଠକି ବିଦେଶ ପଳାଇଥିବା ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସ୍ଥାନୀୟ ସ୍ୱତନ୍ତ୍ର ଅଦାଲତ ଶନିବାର ସମନ ଜାରି କରିଛନ୍ତି। ସମନରେ ମାଲ୍ୟାଙ୍କୁ ଅଗଷ୍ଟ ୨୭ରେ ଅଦାଲତରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଆବେଦନ ଭିତ୍ତିରେ ଅର୍ଥ ହେରଫେର ନିରୋଧ ଆଇନ (ପିଏମ୍ଏଲଏ)ର ସ୍ୱତନ୍ତ୍ର ଅଦାଲତ ବିଚାରପତି ଏମ୍ ଏସ ଆଜମି ଏହି ସମନ ଜାରି କରିଛନ୍ତି। ବେଆଇନ ଅର୍ଥ ହେରଫେରକୁ ନେଇ ଇଡି ମାଲ୍ୟାଙ୍କ ବିରୋଧରେ ଦ୍ୱିତୀୟ ଅଭିଯୋଗଫର୍ଦ ଦାଖଲ କରିଛି। ଜୁନ୍ ୨୨ରେ ଇଡି ଅଭିଯୋଗଫର୍ଦ ଦାଖଲ କରିବା ସହିତ ମାଲ୍ୟା ବିରୋଧରେ ସମନ ଜାରି କରିବାକୁ ଆବେଦନ କରିଥିଲା। ପଳାତକ ଘୋଷିତ ବ୍ୟାଙ୍କ ଋଣ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ନିକଟରେ ଆଣିଥିବା ଅଧ୍ୟାଦେଶ ଆଧାରରେ ଅଦାଲତ ମାଲ୍ୟାଙ୍କ ବିରୋଧରେ ସମନ ଜାରି କରିଛନ୍ତି। ଏପରି କି ମାଲ୍ୟାଙ୍କର ୧୨,୫୦୦କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ଇଡି ଅଦାଲତଙ୍କ ଅନୁମତି ଲୋଡିଛି। ମାଲ୍ୟା ଯଦି ଅଗଷ୍ଟ ୨୭ରେ ହାଜର ନ ହୁଅନ୍ତି; ତେବେ ତାଙ୍କୁ ଆର୍ଥିକ ପଳାତକ ଘୋଷଣା କରାଯିବ। ଏହା ସହିତ ତାଙ୍କର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ। ଏହା ପୂର୍ବରୁ ଇଡିର ଦୁଇଟି ମାମଲା ଆଧାରରେ ଅଦାଲତ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।