Patra electronics

ଶିକ୍ଷକଙ୍କ ଘରେ ଚୋରା ମଦ ବିକ୍ରୀ ଅଭିଯୋଗ, ବିରୋଧ କରିବାରୁ  ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ମାଡ 

ମାଲକାନଗିରି: ଶିକ୍ଷକଙ୍କ ଘରେ ଚୋରା ମଦ ବିକ୍ରୀକୁ ବିରୋଧ କରିବାରୁ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କିଆଙ୍ଗ ଗ୍ରାମର ଶୁଶିଳ ତନ୍ତି ନାମକ ଜଣେ ବ୍ୟକ୍ତି କର୍ତ୍ତନପାଲି ପଞ୍ଚାୟତ କଟୁଆପଦର ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। କଟୁଆପଦର ଗାଁ ଟି ଘାଟି ଉପରେ ଥିବାରୁ ଶିକ୍ଷକ ଜଣକ କେବେ ମଧ୍ୟ ବିଦ୍ୟାଳୟ କୁ ଯାଉନଥିବା ଅଭିଯୋଗ ହୋଇଛି। ତେବେ ବିଦ୍ୟାଳୟକୁ ନଯାଇ  ଶୁଶିଳ ନିଜ ଗ୍ରାମ କିଆଙ୍ଗ ଠାରେ ଚୋରାମଦ ନିଜେ ରହୁଥିବା ଘାରେ ରଖି ବିକ୍ରୀ କରୁଥିବା ଜଣାପଡ଼ିଥିଲା। ମାଥିଲି ସ୍ଥିତ ଅବକାରୀ ବିଭାଗ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସେହି ଗ୍ରାମ ତଥା ପଞ୍ଚାୟତର ମହିଳା  ସ୍ବୟଂ ସହାୟିକା ଗୋଷ୍ଠୀ ଦୁଇଦିନ ପୂର୍ବେ ଏ ସଂପର୍କରେ ମାଥିଲି ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।

କିନ୍ତୁ କୌଣସି କାର୍ୟ୍ୟାନୁଷ୍ଠାନ ନହେବାରୁ ଗତକାଲି ସମସ୍ତ ମହିଳା ଏକାଠି ହୋଇ ପଞ୍ଚାୟରେ ମଦ ବନ୍ଦ ପାଇଁ ଏକ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରା ଶୁଶିଳଙ୍କ ଘର ନିକଟରେ ପହଞ୍ଚିଥିବା ପରେ ତାଙ୍କ ଘର ଆଗରେ ମହିଳାମାନେ ମଦ ବନ୍ଦ କରିବାକୁ ବିଭିନ୍ନ ନାରାବାଜି ଦେଇଥିଲେ। କିନ୍ତୁ ଶୁଶିଳ ମଦ ବନ୍ଦ କରିବା ପରିବର୍ତ୍ତେ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କ ସହ ଯୁକ୍ତିତର୍କ କରିଥିଲେ।  ଯୁକ୍ତିତର୍କ ବେଳେ ଶିକ୍ଷକ ଶ୍ରୀ ତନ୍ତୀ ରାଗିଯାଇ ହୋଇ ସେମାନଙ୍କୁ ଧକ୍କା ମାରିଥିଲେ। ତେବେ ଏନେଇ  ମହିଳାମାନେ ମାଥିଲି ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ଥାନାରେ ଏତଲା ଦେବା ପରେ ମଧ୍ୟ ଅଭିଯୁକ୍ତଙ୍କ ପ୍ରତି ମାଥିଲି ଥାନା କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା କଥା ଅଭିଯୋଗ ହୋଇଛି। ଏ ସମ୍ପର୍କରେ  ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ କହିଛନ୍ତି ଯେ ଗତକାଲି ମହିଳାମାନେ ଆସି ଏତଲା ଦେଇଛନ୍ତି। ସେହି ଏତଲା ଆଧାରରେ କେସ ନମ୍ବର ୨୧୧/୨୩ ରେ ଏକ ମାମଲା ରୁଜୁ ହୋଇଛି। ଆଜି ଥାନାର ଗୋଟାଏ ଟିମ୍ ତଦନ୍ତକରିବା ନିମନ୍ତେ କିଆଙ୍ଗ ଯାଇଛନ୍ତି। ସେମାନେ ତଦନ୍ତ କରି ଫେରିବା ପରେ ଦୋଷୀଙ୍କ ବିରୋଧରେ ନିୟମାନୁଯାୟୀ ଉଚିତ୍ ଦଣ୍ଡ ବିଧାନ କରାଯିବ ବୋଲି ମାଥିଲି ଥାନା ଅଧିକାରି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

Comments are closed.